ଓ୍ବାଶିଂଟନ ଡିସି: ଆମେରିକା ଅନ୍ତର୍ଗତ ହାଓ୍ବାଇରେ ଥିବା ପୋଖରୀର ପାଣି ଗୋଲାପୀ ରଙ୍ଗ ଧାରଣ କରିଛି । ଏହା ପରେ ବିଶେଷଜ୍ଞମାନେ ଏହି ପାଣିର ରଙ୍ଗ କାହିଁକି ଏବଂ କେଉଁ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି ସେନେଇ ଗବେଷଣା ଆରମ୍ଭ କରିଛନ୍ତି । ମାଉଇରେ ଥିବା ଜାତୀୟ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଥିବା ଏହି ପୋଖରୀର ପାଣି ଗୋଲାପୀ ରଙ୍ଗ ହେବା କଥା ଶୁଣିବା ପରେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି । ହେଲେ ପୋଖରୀର ପାଣି ସ୍ପର୍ଶ କରିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ପାଣିର ପରୀକ୍ଷଣ ଜାରି ରହିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ପ୍ରଜାତିର ଶୈବାଳ କାରଣରୁ ପୋଖରୀର ପାଣି ଗୋଲାପୀ ହୋଇଛି କି ବୋଲି ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି । ଆମେରିକା ମତ୍ସ୍ୟ ଏବଂ ବନ୍ୟଜନ୍ତୁ ସେବା ପକ୍ଷରୁ ଏହି ପରୀକ୍ଷା ଜାରି ରହିଛି । ଅତ୍ୟଧିକ କ୍ଷାରୀୟ ଜଳରେ ରହିବା ଦ୍ବାରା ହାଲୋବ୍ୟାକ୍ଟେରିଆ ପାଇଁ ପାଣିର ରଙ୍ଗ ପରିବର୍ତ୍ତନ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏହି ପୋଖରୀ ମରୁଡ଼ିର ସାମ୍ନା କରିଥିବା ବେଳେ କେବେ ବି ଏହାର ଜଳ ଗୋଲାପୀ ହୋଇନଥିଲା ।
ଅନ୍ୟପଟେ ଏହି ପୋଖରୀର ପାଣିର ରଙ୍ଗ ବଦଳିଯାଇଥିବା ନେଇ ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ମ୍ୟାନେଜର ବ୍ରେଟ ଓଲଫେ କହିଛନ୍ତି । ଏବେ ପୋଖରୀ ପାଣିର ସାଲିନିଟି(କ୍ଷାର ପରିମାଣ) ସମୁଦ୍ର ଜଳଠାରୁ ଦୁଇ ଗୁଣ ରହିଛି । ଏସବୁ ଭିତରେ ପୋଖରୀର ଜଳକୁ ଦେଖିବା ଲାଗି ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି । ଏଠାରେ ଥିବା ବିଲୁପ୍ତ ପ୍ରାୟ ପକ୍ଷୀମାନଙ୍କୁ ଦେଖିବା ପାଇଁ ନୁହେଁ ବରଂ ପୋଖରୀର ଗୋଲାପୀ ପାଣି ଦେଖିବାକୁ ପର୍ଯ୍ୟଟକ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଓଲଫେ କହିଛନ୍ତି ।
ଆମେରିକା ମତ୍ସ୍ୟ ଏବଂ ବନ୍ୟଜନ୍ତୁ ସେବା ପକ୍ଷରୁ ସମ୍ପୃକ୍ତ ପୋଖରୀରୁ ମାଛ ନଖାଇବା ପାଇଁ ପର୍ଯ୍ୟଟକଙ୍କୁ ଚେତାଇ ଦିଆଯାଇଛି । ପୋଖରୀରୁ ଦୂରତା ରକ୍ଷା କରିବା ସହ ଏହାର ପାଣି ନଛୁଇଁବା ପାଇଁ ମଧ୍ୟ ପର୍ଯ୍ୟଟକଙ୍କୁ କୁହାଯାଇଛି । ସେପଟେ ପର୍ଯ୍ୟଟକଙ୍କ ସହ ଆସୁଥିବା ପୋଷା ପଶୁ ଯେମିତି ପୋଖରୀର ପାଣି ନପିଅନ୍ତି ତା ଉପରେ ଧ୍ୟାନ ଦିଆଯାଉଛି ।