ଭୁବନେଶ୍ୱର, ୩/୯ : ସ୍ଥାନୀୟ ଏକ ମଲଠାରେ ରବିବାର ବହୁ ପ୍ରତିକ୍ଷୀତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ର ଗୀତ ରିଲିଜ୍ ହୋଇଯାଇଛି l ଏହି ଅବସରରେ ମଲରେ ବହୁ ସିନେ ପ୍ରେମୀ ଉପସ୍ଥିତ ଥିଲେ l ତା’ସହିତ ସିନେମାର ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା, ସହ ପ୍ରଯୋଜକ ସଞ୍ଜୟ ପଟେଲ, ନାୟକ ସ୍ୱରାଜ, ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବଲିଉଡ଼ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ନାଭ୍ୟା, ଅଭିନେତା ଡିସ୍କୋ ରେଡ୍ଡୀ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏବଂ ଏସଏସ କେବୁଲର ମୁଖ୍ୟ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଆର.ଜେ ଗୁଡ୍ଡୀ ଏବଂ କମେଡ଼ିଆନ ପୁଷ୍ପକଙ୍କ ଯୁଗଳବନ୍ଦୀରେ ଗୀତ ରିଲିଜ୍ ପର୍ବ ବେଶ ସୁନ୍ଦର ଭାବରେ ସଂଯୋଜନା ହୋଇଥିଲା l
ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଆଗରୁ ଦେଖି ଯେତିକି ଉତ୍ସାହିତ ହେଇଥିଲେ ଦର୍ଶକ ଗୀତ ରିଲିଜ୍ ଉତ୍ସବରେ ମଧ୍ୟ ବେଶ ଉତ୍ସାହିତ ଥିଲେ l ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ l ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁରୁ ଶୁଣିବାକୁ ମିଳିଥିଲା l ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ।
ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ l