ବିଶାଖାପଟ୍ଟନମ୍,୦୨/୦୨: ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ସ୍ପିନ ବୋଲିଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଫିଟ୍ ହେବା ପାଇଁ ୪ସପ୍ତାହ ସମୟ ଲାଗିବ । ତାଙ୍କ ଆହତ ସମସ୍ୟା ଗୁରୁତର ରହିଛି । ପରବର୍ତ୍ତୀ ୩ଟି ଯାକ ଟେଷ୍ଟରୁ ମଧ୍ୟ ସେ ବାଦ ପଡ଼ିବାର ଆଶଙ୍କା ରହିଛି । ମାତ୍ର ଅନ୍ୟ ଆହତ ଖେଳାଳି କେ ଏଲ ରାହୁଲ ତୃତୀୟ ଟେଷ୍ଟ ପୂର୍ବରୁ ଫିଟ ହୋଇଯିବେ ।
ବର୍ତ୍ତମାନ ଉଭୟ ଜାତୀୟ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ଗତ ଦିନିକିଆ ବିଶ୍ୱକପ୍ ସମୟରେ ଆହତ ହୋଇଥିବା ପେସ୍ ବୋଲର ମହମ୍ମଦ ସାମି ମଧ୍ୟ ଟେଷ୍ଟ ସିରିଜ ମଧ୍ୟରେ ଫିଟ୍ ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି । ବ୍ୟକ୍ତିଗତ କାରଣକୁ ନେଇ ପ୍ରଥମ ୨ଟି ଟେଷ୍ଟରୁ ଓହରି ଯାଇଥିବା ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ମଧ୍ୟ କୌଣସି ସୂଚନା ନାହିଁ । ସେ ସମ୍ପ୍ରତି ଭାରତରେ ନାହାନ୍ତି । ତାଙ୍କ ବିଷୟରେ ବିସିସିଆଇ ସୂଚନା ଦେଉନାହିଁ ।