ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଲ୍ୟାବ୍‌ରେ ପୂର୍ଣ୍ଣ ମାନବ ଭ୍ରୂଣ ମଡେଲ ବିକଶିତ, ଶୁକ୍ରାଣୁ, ଡିମ୍ବାଣୁ କିମ୍ବା ଗର୍ଭର ଉପଯୋଗ ବିନା ଷ୍ଟେମ୍‌ କୋଷିକାରୁ ହେଲା ବିକଶିତ

ନୂଆଦିଲ୍ଲୀ ୦୮/୦୯: ବୈଜ୍ଞାନିକମାନେ ଶୂକ୍ରାଣୁ, ଡିମ୍ବାଣୁ କିମ୍ବା ଗର୍ଭାଶୟ ବିନା ପୂର୍ଣ୍ଣ ମାନବ ଭ୍ରୂଣ ବିକଶିତ କରିଛନ୍ତି । ୱିଜ୍‌ମାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ  ଏହି କୃତିତ୍ୱ ହାସଲ କରିଛନ୍ତି । ସେମାନେ କହିଛନ୍ତି, ଷ୍ଟେମ୍‌ କୋଷିକାଗୁଡ଼ିକର ଉପଯୋଗ ଜରିଆରେ ବିକଶିତ ଏହି ‘ଭ୍ରୂଣ  ମଡେଲ’ ବାସ୍ତବ ୧୪ ଦିନର ଭ୍ରୂଣ ଭଳି ଦିଶୁଛି । ଏପରିକି ଏହା  ହରମୋନ୍‌ ଉତ୍ପନ୍ନ କରିଛି, ଯାହାର ପ୍ରୟୋଗଶାଳାରେ ଗର୍ଭାବସ୍ଥା  ପରୀକ୍ଷାରୁ ସକାରାତ୍ମକ ଫଳ ମିଳିଛି । ଭ୍ରୂଣ ମଡେଲ ବିକାଶର  ଉଦ୍ଦେଶ୍ୟ ହେଉଛି ଆମ ଜୀବନର ପ୍ରାରମ୍ଭିକ ମୁହୂର୍ତ୍ତଗୁଡ଼ିକ ବିଷୟରେ ବୁଝିବାର ଏକ ମାର୍ଗ ପ୍ରଦାନ କରିବା । 

ଏକ ଶୂକ୍ରାଣୁ ଏକ ଡିମ୍ବାଣୁକୁ ପ୍ରଜନନକ୍ଷମ କରିବା ପରର ପ୍ରଥମ ସପ୍ତାହ ସେହି ଅବଧି, ଯେଉଁଥିରେ ଅସ୍ପଷ୍ଟ କୋଷିକାଗୁଡ଼ିକର  ସଂଗ୍ରହଠୁ ଆରମ୍ଭ କରି ସ୍କାନ୍‌ରେ ଶିଶୁ ଚିହ୍ନଟ ହେବା ପର୍ଯ୍ୟନ୍ତ  ନାଟକୀୟ ପରିବର୍ତ୍ତନ ହୋଇଥାଏ । ଏହି ଜଟିଳ ସମୟ ଗର୍ଭପାତ  ଓ ଜନ୍ମ ବିକାରର ପ୍ରମୁଖ ସ୍ରୋତ, କିନ୍ତୁ ଏ ନେଇ ତଥ୍ୟର ଅଭାବ  ରହିଛି । ଏହା ଏକ ବ୍ଲାକ୍‌ ବକ୍ସ ବା ତଥ୍ୟର ଭଣ୍ଡାର ହୋଇଥିବାବେଳେ  ଏ ନେଇ ଆମ ଜ୍ଞାନ ଅତ୍ୟନ୍ତ ସୀମିତ ବୋଲି ୱିଜମାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ସାଇନ୍ସର ପ୍ରଫେସର ଜାକବ୍‌ ହାନ୍ନା କହିଛନ୍ତି । 

ଭ୍ରୂଣ ଅନୁସନ୍ଧାନ ଆଇନଗତ, ନୈତିକ ଓ ବୈଷୟିକ ରୂପେ  ଜଟିଳ । ଏବେ କିନ୍ତୁ ପ୍ରାକୃତିକ ଭ୍ରୁଣ ବିକାଶକୁ ନକଲ କରୁଥିବା  କ୍ଷେତ୍ରଗୁଡ଼ିକର ଦ୍ରୁତ ବିକାଶ ହେଉଛି । ସଦ୍ୟ ବିକଶିତ ଭ୍ରୂଣ ବାସ୍ତବରେ ଏକ ୧୪ ଦିନର ଭ୍ରୂଣର ପାଠ୍ୟପୁସ୍ତକ ଛବି, ଯାହା ପୂର୍ବରୁ କେବେ ହୋଇନାହିଁ ବୋଲି ପ୍ରଫେସର ହାନ୍ନା କହିଛନ୍ତି । ଶୂକ୍ରାଣୁ ଓ ଡିମ୍ବାଣୁ ନୁହେଁ, ଭ୍ରୂଣ ବିକାଶର ପ୍ରାରମ୍ଭିକ ଉପାଦାନ  ଥିଲା ଷ୍ଟେମ୍‌ କୋଷିକା । ଏହାକୁ ଶରୀରରେ ଯେକୌଣସି  ପ୍ରକାର ଟିସ୍ୟୁ ବିକାଶ ଲାଗି ଶକ୍ତି ହାସଲ କରିବାକୁ ପୁନଃ  ପ୍ରୋଗ୍ରାମ୍‌ କରାଯାଇଥିଲା । ମାନବ ଭ୍ରୂଣର ପ୍ରାରମ୍ଭିକ ସୋପାନରେ  ଦେଖାଯାଉଥିବା ୪ ପ୍ରକାର କୋଷିକାରେ ରୂପାନ୍ତରିତ କରିବା  ଲାଗି ଏହି ଷ୍ଟେମ୍‌ କୋଷିକାଗୁଡ଼ିକରେ ରାସାୟନିକ ପ୍ରୟୋଗ କରାଯାଇଥିଲା । ଏହି ୪ କୋଷିକା ହେଉଛି- ଏପିବ୍ଲାଷ୍ଟ୍‌ ସେଲ୍ସ,  ଯାହା ଉପଯୁକ୍ତ ଭ୍ରୂଣ ହୁଏ । ଟ୍ରୋଫୋବ୍ଲାଷ୍ଟ୍‌ ସେଲ୍ସ, ଯାହା ପ୍ଲାସେଣ୍ଟା  ହୁଏ। ହାଇପୋବ୍ଲାଷ୍ଟ୍‌ ସେଲ୍ସ, ଯାହା ସହାୟକ ହଳଦିଆ ଥଳି  ପାଲଟେ । 

ଶେଷଟି ହେଉଛି ଏକ୍ସଟ୍ରାଏମ୍ବ୍ରିଓନିକ୍‌ ମିସୋଡର୍ମ ସେଲ୍ସ । ମୋଟ୍‌ ୧୨୦ କୋଷିକାଗୁଡ଼ିକୁ ସଠିକ୍‌ ଅନୁପାତରେ ମିଶାଗଲା ।  ତା’ପରେ ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଲେ । ପ୍ରାୟ ୧  ପ୍ରତିଶତ ମିଶ୍ରଣ ଆପଣାଛାଏଁ ପରସ୍ପର ସହ ମିଶି ଭ୍ରୂଣ ଭଳି ସାମଞ୍ଜସ୍ୟ  ଥିବା ଢାଞ୍ଚାରେ ରୂପାନ୍ତରିତ ହେବାର ଯାତ୍ରା ଆରମ୍ଭ କଲେ । ତେବେ  ଏହା ମାନବ ଭ୍ରୂଣ ଭଳି ନୁହେଁ । ପ୍ରଫେସର ହାନ୍ନା ଏହି ପ୍ରକ୍ରିୟା ଲାଗି  ସବୁ ଶ୍ରେୟ କୋଷିକାଗୁଡ଼ିକୁ ଦେଇଛନ୍ତି । ଉପଯୁକ୍ତ କୋଷିକାଗୁଡ଼ିକର  ମିଶ୍ରଣ ସହିତ ଉପଯୁକ୍ତ ପରିବେଶରେ ଭ୍ରୂଣ ବିକଶିତ ହୋଇଛି, ଯାହା  ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ସେ କହିଛନ୍ତି । ଗର୍ଭଧାରଣର ୧୪  ଦିନ ପରେ ଭ୍ରୂଣ ଯେତିକି ବିକଶିତ ହୋଇଥାଏ, ସେ ପର୍ଯ୍ୟନ୍ତ ଭ୍ରୂଣ  ମଡେଲର ବୃଦ୍ଧି ଓ ବିକାଶ କରିବାକୁ ଦିଆଯାଇଥିଲା । 

ଏହି ସଫଳତା ପରେ ବିଭିନ୍ନ ପ୍ରକାର କୋଷିକା କିଭଳି ସୃଷ୍ଟି ହୁଏ,  ତାହା ଜାଣିବା ପାଇଁ ଭ୍ରୂଣ ମଡେଲଗୁଡ଼ିକ ବୈଜ୍ଞାନିକଙ୍କୁ ସାହଯ୍ୟ କରିପାରିବ । ଶରୀର ଅଙ୍ଗଗୁଡ଼ିକର ବିକାଶରେ ପ୍ରାରମ୍ଭିକ ପର୍ଯ୍ୟାୟ  ଏବଂ ବଂଶାନୁକ୍ରମିକ ରୋଗଗୁଡ଼ିକ ବିଷୟରେ ମଧ୍ୟ ବୁଝିବାରେ ସହାୟକ ହେବ । ପ୍ରାରମ୍ଭିକ ପ୍ଲାସେଣ୍ଟା କୋଷିକା ଯେ ପର୍ଯ୍ୟନ୍ତ ଭ୍ରୂଣକୁ  ଚତୁପାଶ୍ୱର୍ରୁ ନ ଆବୃତ୍ତ କରିଛି, ଭ୍ରୂଣର ଅନ୍ୟ ଅଂଶଗୁଡ଼ିକର ବିକାଶ ହେବ ନାହିଁ ବୋଲି ଅଧ୍ୟୟନ ଦର୍ଶାଇଛି । ଆଇଭିଏଫ୍‌ ବା ଇନ୍‌ଭିଟ୍ରୋ  ଫର୍ଟିଲାଇଜେସନ୍‌ର ସଫଳତା ହ୍ରାରରେ ସୁଧାର ଆଣିବା ସହିତ  କିଛି ଭ୍ରୂଣ କାହିଁକି ବିକଶିତ ହୋଇପାରୁ ନାହିଁ, ତାହା ମଧ୍ୟ  ବୁଝିବାରେ ଏହା ସାହାଯ୍ୟ କରିବ । ସେତିକି ନୁହେଁ,  ଗର୍ଭାବସ୍ଥାରେ ଔଷଧ ସେବନ ନିରାପଦ କି ନୁହେଁ, ତା’ର ପରୀକ୍ଷା  ଲାଗି ଏହି ଭ୍ରୂଣ ମଡେଲକୁ ପ୍ରୟୋଗ କରାଯାଇ ପାରିବ । 

ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭ୍ରୂଣ ବିକାଶର ଅନୁସନ୍ଧାନ କରୁଥିବା  ପ୍ରଫେସର ରବିନ୍‌ ଲଭେଲ୍‌ ବ୍ୟାଜ୍‌ କହିଛନ୍ତି, ଏହି ଭ୍ରୂଣ ମଡେଲ  ଖୁବ୍‌ ସୁନ୍ଦର ଓ ସ୍ୱାଭାବିକ ଦିଶୁଛି । କିନ୍ତୁ ବର୍ତ୍ତମାନର ଶତକଡ଼ା ୯୯  ଭାଗ ବିଫଳ ହାରକୁ ସୁଧାରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।  ମଡେଲ ଯଦି ଅଧିକାଂଶ ସମୟ ନିଜକୁ ପୂର୍ଣ୍ଣ ଭ୍ରୂଣ ଲାଗି ଯୋଡ଼ିବାରେ  ବିଫଳ ହେବ, ତେବେ ଗର୍ଭପାତ କିମ୍ବା ଗର୍ଭଧାରଣରେ ଅକ୍ଷମତାରେ  କ’ଣ ତ୍ରୁଟି ରହିଛି, ତାହା ଜାଣିବା କଷ୍ଟକର ହେବ । 

ତେବେ ଗର୍ଭଧାରଣର ୧୪ ଦିନ ଅବଧି ପରେ ଏହି ଭ୍ରୂଣ ବିକାଶ  ହେବ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠୁଛି । ଭ୍ରୂଣ ମଡେଲଗୁଡ଼ିକ  ଭ୍ରୂଣଠାରୁ ଭିନ୍ନ ହୋଇଥିବାରୁ ବିଦେଶରେ, ଏପରିକି ବ୍ରିଟେନରେ  ଏହି ପ୍ରକ୍ରିୟା ଅବୈଧ ନୁହେଁ । ଏହି ସ୍ଥିତିରେ କିଛି ଏହାକୁ ସ୍ୱାଗତ  କରିବେ, ଆଉ କିଛି ଗ୍ରହଣ କରିବେ ନାହିଁ ବୋଲି ଆଶଙ୍କା  କରାଯାଉଛି । ଏଗୁଡ଼ିକ ସାଧାରଣ ମାନବ ଭ୍ରୂଣ ନୁହେଁ, ବରଂ  ଭ୍ରୂଣ ମଡେଲ । ତଥାପି ବାସ୍ତବ  ଭ୍ରୂଣର ଅତି ନିକଟତର  ହୋଇଥିବାରୁ ଏଗୁଡ଼ିକୁ  ନେଇ ପ୍ରଶ୍ନ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.