ନୂଆଦିଲ୍ଲୀ: ୨୦୨୩ ବିଶ୍ଵକପରେ ଭାରତୀୟ ଟିମ୍ର ଦବଦବା ଜାରି ରହିଛି । ସମସ୍ତ ଲିଗ୍ ମ୍ୟାଚ୍ରେ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ନଭେମ୍ବର ୧୫ରେ ନ୍ୟୁଜିଲାଣ୍ଡକୁ ଭାରତ ଭେଟିବାକୁ ଯାଉଥିବା ବେଳେ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ୨୦୧୯ ବିଶ୍ବକପ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ପାଖରୁ ପରାଜୟ ବରଣ କରିଥିଲା ଭାରତୀୟ ଟିମ୍ । ତେଣୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ୨୦୧୯ ସେମି ଫାଇନାଲର ପରାଜୟ ସ୍ମୃତି ସତେଜ ରହିଛି ।
ଇତିମଧ୍ୟରେ ୨୦୨୩ ବିଶ୍ଵକପର ସେମି ଫାଇନାଲ୍ ନିୟମ ଭାରତୀୟ ପ୍ରଶଂସକଙ୍କୁ ଆଶ୍ବସ୍ତି ଦେଇଛି । ଯଦି ବର୍ଷା କାରଣରୁ ସେମି ଫାଇନାଲ୍ ମୁକାବିଲା ରଦ୍ଦ ହୁଏ ତେବେ ଭାରତ ଫାଇନାଲରେ ଏଣ୍ଟ୍ରି କରିବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ଫାଇନାଲ୍ ମୁକାବିଲା ବୁଧବାର ନଭେମ୍ବର ୧୫ ତାରିଖ ଓ୍ଵାଙ୍ଖେଡ଼େରେ ଖେଳାଯିବ । ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ବାଜି ମାରି ନେଇଥିଲା । ସେମି ଫାଇନାଲରେ ଉଭୟ ଦଳ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ ।
ଆଇସିସି ପକ୍ଷରୁ ସେମି ଫାଇନାଲ୍ ଓ ଫାଇନାଲ୍ ମୁକାବିଲା ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି । ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଦିନ ଅର୍ଥାତ ନଭେମ୍ବର ୧୫ ତାରିଖରେ ବର୍ଷା ହେଲେ ନଭେମ୍ବର ୧୬ ତାରିଖରେ ମ୍ୟାଚ୍ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ୍ ପାଇଁ ସାମନ ନିୟମ ଜାରି ରହିବ ।
ଯଦି ରିଜର୍ଭ ଡେରେ ବି ଖେଳ ନ ହୋଇ ପାରିଲା ତେବେ ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନ ଆଧାରରେ ଦଳକୁ ଫାଇନାଲରେ ଏଣ୍ଟ୍ରି ମିଳିପାରିବ । ଏଭଳି ସ୍ଥିତି ଉପୁଜିଲେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିପାରିବ । କାରଣ ଭାରତ ସମସ୍ତ ଲିଗ୍ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆଉ ଦଳ ନ୍ୟୁଜିଲାଣ୍ଡକୁ ଲିଗ୍ ପର୍ଯ୍ୟାୟରେ ବି ହରାଇଛି । ଏହି ନିୟମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପାଇଁ ଲାଗୁ ହେବ । ଦ୍ବିତୀୟ ସେମି ଫାଇନାଲ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।