ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଦୁଇ ଟିମର ଚୂଡ଼ାନ୍ତ ଏକାଦଶ କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ସ୍ପିନରଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତିନି ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇ ପାରନ୍ତି ।
ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ସହ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ତୃତୀୟ ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇ ପାରନ୍ତି। ଏହା ସହ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ମହମ୍ମଦ ସିରାଜ । ତେବେ କାଲିର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଷଷ୍ଠ ଥର ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ତୃତୀୟ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ସେପଟେ ଯଦି ଅଶ୍ଵିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଏ ତେବେ ସିରାଜଙ୍କୁ ବସିବାକୁ ପଡ଼ିପାରେ। ସିରାଜ୍ ଏ ଯାଏଁ ସବୁ ମ୍ୟାଚରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ରହି ଆସିଛନ୍ତି। ଅଶ୍ଵିନଙ୍କ ବ୍ୟତୀତ ଦଳରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା କୁହାଯାଉଛି । ଏହା ସହ ଯଦି ମହମ୍ମଦ ସିରାଜଙ୍କ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଏ, ତେବେ ସୂର୍ଯ୍ୟକୁମାର ଯାଦବଙ୍କୁ ବାହାରେ ବସିବାକୁ ପଡ଼ିପାରେ ।
ସୂର୍ଯ୍ୟକୁମାରଙ୍କୁ ବହୁ ସୁଯୋଗ ମିଳିଥିଲେ ବି ତାର ସେ ଫାଇଦା ଉଠାଇ ପାରି ନାହାନ୍ତି। ଅଶ୍ଵିନ ମଧ୍ୟ ବ୍ୟାଟିଂରେ ଯୋଗଦାନ ଦେବାକୁ ସକ୍ଷମ। ତେଣୁ ଫାଇନାଲ୍ ମ୍ୟାଚରେ ଅଶ୍ଵିନ ଖେଳିଲେ ସୂର୍ଯ୍ୟକୁମାର ଓ ସିରାଜଙ୍କ ମଧ୍ୟରୁ କେହି ଜଣେ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିବେ ।