ଭୁବନେଶ୍ୱର,୦୯/୧୧: ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆ ସାରା ବିଶ୍ୱରେ ପହଞ୍ଚିବ । ୩୦୦ରୁ ଅଧିକ ବିଦେଶୀ ପ୍ରତିନିଧିଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରସା ଯିବ । ଏହି ଶସ୍ୟ କିପରି ବିନା ସାର ଓ ରାସାୟନିକ ପଦାର୍ଥରେ ପ୍ରସ୍ତୁତ କରାଯାଇଛି ତାହା ବର୍ଣ୍ଣନା କରାଯିବ । ସ୍ୱାସ୍ଥ୍ୟ ପାଇଁ ଓଡ଼ିଶା ମାଣ୍ଡିଆର ଲାଭକାରୀ ଗୁଣ ସମ୍ପର୍କରେ ବୁଝାଇବା ସହିତ ବିଦେଶରେ ଏହାର ବିକ୍ରି ବୃଦ୍ଧି ନେଇ ଚେଷ୍ଟା କରାଯିବ ।
ଏପରି ଅବସର ଆଣିବ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ (ମିଲେଟ୍) ସମ୍ମିଳନୀ । ଗୁରୁବାର ଏହି ସମ୍ମିଳନୀ ଜନତା ମଇଦାନରେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସମ୍ମିଳନୀରେ ୧୮ଟି ଫୁଡ୍ ଷ୍ଟଲ୍, ୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ଷ୍ଟଲ୍ ଓ ୧୩ଟି ଷ୍ଟଲରେ ଚାଷରେ ବ୍ୟବହାର କରୁଥିବା ବିଭିନ୍ନ ମେସିନ୍ ପ୍ରଦର୍ଶିତ କରାଯାଇଛି । ଦେଶ ଓ ବିଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ ଜନତା ମଇଦାନ ସଜେଇ ହୋଇଛି ।
ଗୁରୁବାର ଦିନ ୧୨ଟା୩୦ରୁ ସନ୍ଧ୍ୟା ୬ଟା ମଧ୍ୟରେ ୪ଟି ସେମିନାର୍ ହଲ୍ରେ ବିଭିନ୍ନ ଆଲୋଚନାଚକ୍ର ରଖାଯାଇଛି । ଆସନ୍ତା ୧୦ ବର୍ଷ ପାଇଁ ମାଣ୍ଡିଆ ଚାଷର ରୋଡମ୍ୟାପ୍ ପ୍ରସ୍ତୁତି, ହୋଟେଲ୍ ଓ ରେସ୍ତୋରାଁଗୁଡିକରେ ମିଲେଟ୍କୁ ପ୍ରୋତ୍ସାହନ, ବୈଜ୍ଞାନିକ ପ୍ରଣାଳୀରେ ମିଲେଟ୍ ଉତ୍ପାଦନ ବୃଦ୍ଧି କରିବା, ଅନ୍ୟ ରାଜ୍ୟ ଓ ଦେଶଗୁଡିକରୁ ମାଣ୍ଡିଆ ଚାଷର ଶ୍ରେଷ୍ଠ ଉପାୟଗୁଡିକ ବିଷୟରେ ଜାଣିବା, ମାଣ୍ଡିଆକୁ କିଭଳି ଉତ୍ତମ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରି ମୂଲ୍ୟଯୁକ୍ତ କରାଯାଇପାରିବ ସେ ନେଇ ଆଲୋଚନା ହେବ ।
ମୋଟ ୩୨ଟି କର୍ମଶାଳାରେ ରହିବେ ୧୯୮ ଖ୍ୟାତିସମ୍ପନ୍ନ ପ୍ୟାନେଲିଷ୍ଟ୍ । ପ୍ରତ୍ୟେକ ସେମିନାର୍ ହଲରେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଅନୁବାଦ ପାଇଁ ଅନୁବାଦକ ସୁବିଧା ଉପଲବ୍ଧ କରାଯାଇଛି । ଅନୁବାଦ ସେବା ସମେତ କୃଷକଙ୍କ ଅଧିବେଶନଗୁଡ଼ିକରେ ସ୍ୱତନ୍ତ୍ର ଅନୁବାଦକାରୀମାନେ ବିଭିନ୍ନ ଅଧିବେଶନର ସାରାଂଶଗୁଡ଼ିକ ସ୍ଥାନୀୟ ଭାଷାର ଉପଲବ୍ଧ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ସମ୍ମିଳନୀରେ କୁଇଜ୍ ପ୍ରତିଯୋଗିତା, ମାଣ୍ଡିଆ ସମ୍ପର୍କରେ କାହାଣୀ କଥନ, ମିଲେଟ୍ ମା’ମାନଙ୍କର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିବା ନେଇ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ସେହିପରି ଅପରାହ୍ନ ୨ଟା୩୦ରେ କୃଷକ-ବୈଜ୍ଞାନିକ ଆଲୋଚନା ହେବ । ସନ୍ଧ୍ୟାରେ ୩ଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଣ୍ଡିଆ ସମ୍ପର୍କିତ ଗୀତ ଆଦିବାସୀ ଦେଶିଆ ଓ ଇଂରାଜୀ ଭାଷାରେ ସ୍ୱର ସଂଯୋଜନା କରାଯାଇଛି । ଯାହା ଯୁବପିଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗ ଦେବେ । ଏହା ସହିତ ହୋଟେଲ୍, ରେସ୍ତୋରାଁ, ଫୁଡ୍ ବ୍ଲଗର୍ସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମିଲେଟସ୍ ମା’ମାନଙ୍କ ସହିତ ମିଲେଟରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲାଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସମ୍ମିଳନୀରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍ଏଓ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍ପି), ଇଣ୍ଟରନ୍ୟାସନାଲ୍ ଫଣ୍ଡ ଫର ଏଗ୍ରିକଲଚରାଲ୍ ଡେଭେଲପମେଣ୍ଟ (ଆଇଏଫ୍ଏଡି), ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଆଫ୍ରିକୀୟ ଦେଶ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସର କର୍ମକର୍ତ୍ତା, ବିଭିନ୍ନ ରାଜ୍ୟର କୃଷି ସଚିବମାନେ ଯୋଗଦେବେ । ମିଲେଟ୍ ସମ୍ପର୍କରେ ଏକ ଫାଉଣ୍ଡେସନ୍ ଗାଇଡ୍ ଓ ଏକ କଫି ଟେବୁଲ୍ ବୁକ୍ ମଧ୍ୟ ଉନ୍ମୋଚିତ ହେବ ।