ନୂଆଦିଲ୍ଲୀ, ୨୮।୧: ଆସନ୍ତା ବଜେଟ୍ ପାଇଁ ପସ୍ତୁତି ଜୋର୍ଦାର ଚାଲିଛି । ନିର୍ବାଚନ ବର୍ଷ ହୋଇଥିବାରୁ ଏଥର ଆଗତ ହେବ ଅନ୍ତରୀଣ ବଜେଟ୍ । ଏଥିରୁ ସେଭଳି ବଡ଼ ଧରଣର ପରିବର୍ତ୍ତନ ଆଶା କରାଯାଉନାହିଁ । ତେବେ ସାଧାରଣ ଲୋକଙ୍କ ପାଇଁ କିଛି ଲୋକାଭିମୁଖୀ ଘୋଷଣା ଆସିପାରେ ବୋଲି ଅନୁମାନ ରହିଛି । କୃଷି, ନିଯୁକ୍ତି, ଆୟକର ରିହାତି ସହ ବରିଷ୍ଠ ନାଗରିକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇପାରେ । ଭିତ୍ତିଭୂମି କ୍ଷେତ୍ରକୁ ମଜଭୁତ କରିବା ପାଇଁ କିଛି ଘୋଷଣା କରାଯାଇପାରେ ବୋଲି ଅନୁମାନ ରହିଛି ।
ଏଭଳି ସମୟରେ ଏହି ବଜେଟ୍କୁ ଆଗତ କରାଯାଉଛି, ଯେତେବେଳେ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି । ବଜେଟ୍ ୨୦୨୪-୨୫ରେ ଏଭଳି କିଛି ପଦକ୍ଷେପ ଘୋଷଣା କରାଯାଇପାରେ, ଯାହାଦ୍ୱାରା ଭାରତର ଅଭିବୃଦ୍ଧି ଧାରା ଜାରି ରହିବ ଏବଂ ଏହା ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତ ବେଗରେ ବଢ଼ିବ । ଭାରତୀୟ ଅର୍ଥନୀତିକୁ ଅଧିକ ଆତ୍ମନିର୍ଭର କରିବାକୁ ଏଥିରେ କିଛି ପ୍ରସ୍ତାବ ଆଶା ରହିଥିବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ।
ପୁଞ୍ଜି ଲାଭ ଟିକସ ଢ଼ାଞ୍ଚାକୁ ସରଳ କରାଯାଇପାରେ । ଆୟକର ଆଇନର ଧାରା ୮୦ସି ଅଧୀନରେ ଟିକସ ରିହାତିକୁ ବଢ଼ାଯାଇପାରେ ବୋଲି ଅନୁମାନ କରାଯାଉଛି । ଅର୍ଣ୍ଣଷ୍ଟ ଆଣ୍ଡ୍ ୟଙ୍ଗ୍ ଏହାର ପ୍ରାକ୍-ବଜେଟ୍ ଅନୁମାନରେ କହିଛି ଯେ, ଭାରତର ଅଭିବୃଦ୍ଧି ଏହାର ସଞ୍ଚୟ ଏବଂ ନିବେଶ ହାର ଉପରେ ବଡ଼ ଆକାରରେ ନିର୍ଭର କରେ । ୨୦୨୨-୨୩ରେ ଦେଶର ପାରିବାରିକ ସଞ୍ଚୟ ହାର ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୫.୧% କୁ ହ୍ରାସ ପାଇଛି । ଏହା ବହୁ ଦଶନ୍ଧିର ନିମ୍ନ ସ୍ତର । ଏହାକୁ ବଢ଼ାଇବା ପାଇଁ କିଛି ପଦକ୍ଷେପ ନିଆଯିବା ଆଶା ରହିଛି । ବଜେଟ ୨୦୨୪-୨୫ରେ ଖାଦ୍ୟ ସବ୍ସିଡି ପାଇଁ ହିତାଧିକାରୀ ଯୋଗ୍ୟତାକୁ ସଂଶୋଧନ କରାଯିବା ଅନୁମାନ ରହିଥିବା ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏହାର ପ୍ରାକ୍-ବଜେଟ୍ ରିପୋର୍ଟରେ ଉଲ୍ଲେଖ କରିଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧ ତାରିଖରେ ଅନ୍ତରୀଣ ବଜେଟ୍:୨୦୨୪-୨୫କୁ ଉପସ୍ଥାପନ କରିବେ । ଏହା ନିର୍ମଳାଙ୍କ ଲଗାତର ଷଷ୍ଠ ବଜେଟ । ଭାରତୀୟ ଜନତା ପାର୍ଟି(ବିଜେପି) ଦ୍ୱିତୀୟ ପାଳି ପାଇଁ କ୍ଷମତାକୁ ଆସିବା ପରେ ୨୦୧୯ ଜୁଲାଇରେ ସେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତିମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ସୀତାରମଣ । ଏହା ଅନ୍ତରୀଣ ବଜେଟ୍ ହୋଇଥିବାରୁ ଏଥିରେ କୌଣସି ବଡ଼ ଘୋଷଣା କରାଯାଇ ନ ପାରେ । ତେବେ ଯୁବପିଢ଼ି, ମହିଳା, ଚାଷୀ ଏବଂ ଗରିବମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇପାରେ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସଂକେତ ଦେଇଛନ୍ତି । ନିର୍ବାଚନ ପରେ ନୂଆ ସରକାର ଆସିବା ଯାଏ ବ୍ୟୟ ଅଟ୍ଟକଳ ଧାର୍ଯ୍ୟ କରିବା ପାଇଁ ଅନ୍ତରୀଣ ବଜେଟ୍ ଆଗତ ହୋଇଥାଏ । ତେବେ ୨୦୨୪-୨୫ ଅନ୍ତରୀଣ ବଜେଟ୍କୁ ପ୍ରସ୍ତୁତ କରିବା ପାଇଁ ସୀତାରମଣଙ୍କ ଟିମ୍ରେ ଅଛନ୍ତି ନାମୀଦାମୀ ଅର୍ଥନୀତିଜ୍ଞ ଏବଂ ବରିଷ୍ଠ ଅଧିକାରୀ । ସୀତାରମଣଙ୍କ ବଜେଟ ସ୍କ୍ୱାଡ୍ ଉପରେ ଏକ ନଜର...
ଟି.ଭି. ସୋମନାଥନ: ଅର୍ଥ ମନ୍ତ୍ରାଳୟରେ ୫ ଜଣ ସଚିବଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ହେଉଛନ୍ତି ସୋମନାଥନ । ସେ ଏବେ ଅର୍ଥ ସଚିବ ପଦରେ ଅଛନ୍ତି । ଏହାସହିତ ବ୍ୟୟ ବିଭାଗ ଦାୟିତ୍ୱରେ ବି ଅଛନ୍ତି । ୧୯୮୭ ବ୍ୟାଚ୍ ତାମିଲ୍ନାଡୁ କ୍ୟାଡର ଆଇଏଏସ୍ ଅଧିକାରୀ ସୋମନାଥନ ୨୦୧୫ ଏପ୍ରିଲରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି । ଅର୍ଥନୀତିରେ ପିଏଚ୍ଡି କରିଥିବା ଏହି ଅର୍ଥ ସଚିବ ଅର୍ଥନୀତି ଉପରେ ୮୦ରୁ ଊଦ୍ଧ୍ୱର୍ ପେପର ଏବଂ ଲେଖା ପ୍ରକାଶ କରିଛନ୍ତି ।
ଅଜୟ ସେଠ୍: ୧୯୮୭ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର୍ ଆଇଏଏସ୍ ଅଧିକାରୀ ସେଠ୍ ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ । ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଆୟୋଜିତ ଜି-୨୦ ବୈଠକରେ ଫାଇନାନ୍ସ ଟ୍ରାକ୍ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରି ସେ ଚର୍ଚ୍ଚାରେ ଥିଲେ ।
ତୁହିନ କାନ୍ତ ପାଣ୍ଡେ: ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ହେଉଛନ୍ତି ପାଣ୍ଡେ । ଏୟାର୍ ଇଣ୍ଡିଆର ଘରୋଇକରଣ ଏବଂ ଏଲ୍ଆଇସିର ପ୍ରାଥମିକ ପବ୍ଲିକ୍ ଅଫର୍(ଆଇପିଓ) ଆଣିବାରେ ୧୯୮୭ ବ୍ୟାଚ୍ ଏହି ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସଞ୍ଜୟ ମଲ୍ହୋତ୍ରା: ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ମଲ୍ହୋତ୍ରା ଏବେ ରାଜସ୍ୱ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଆର୍ଥିକ ସେବା ବିଭାଗର ନେତୃତ୍ୱ ନେଇଥିଲେ । ଟିକସ ରାଜସ୍ୱ ଅଭିବୃଦ୍ଧି କିଭଳି ବଜାୟ ରହିବ ତାହା ଉପରେ ସେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ଅନୁମାନ ରହିଛି ।
ବିବେକ ଯୋଶୀ: ବଜେଟ ଉପରେ ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟାମାନଙ୍କ ମଧ୍ୟରେ ବିବେକ ଯୋଶୀ ନୂଆ । ୨୦୨୨ ନଭେମ୍ବରରେ ସେ ଅର୍ଥ ମନ୍ତ୍ରାଳୟରେ ଯୋଗ ଦେଇଛନ୍ତି । ଆର୍ଥିକ ସେବା ବିଭାଗର ସେ ସଚିବ ପଦରେ ଅଛନ୍ତି । ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ଅଧିକାରୀ ଶ୍ରୀ ଯୋଶୀ ଜେନେଭା ବିଶ୍ୱବିଦ୍ୟାଳୟରୁ ଇଣ୍ଟର୍ନ୍ୟାସ୍ନାଲ ଇକୋନୋମିକ୍ସରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ଆର୍ଥିକ ସେବା ବିଭାଗରେ ଯୋଗ ଦେବା ପୂର୍ବରୁ ଜୋଶୀ ଭାରତର ଜନଗଣନା କମିଶନର ଥିଲେ । ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ବୀମା କମ୍ପାନି ଏବଂ ନ୍ୟାସ୍ନାଲ ପେନ୍ସନ ସିଷ୍ଟମ୍ ଯୋଶୀଙ୍କ ପରିସରଭୁକ୍ତ ରହିବ । ଆଗାମୀ ବଜେଟରେ ସେ ଅର୍ଥମନ୍ତ୍ରୀଙ୍କୁ ଏସବୁ ଉପରେ ପରାମର୍ଶ ଦେବେ ।
ଭି ଅନନ୍ଥ ନାଗେଶ୍ୱରନ: ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ହେଉଛନ୍ତି ନାଗେଶ୍ୱରନ । ଅର୍ଥନୀତିକୁ ନେଇ ବିଭିନ୍ନ ସମସ୍ୟା ଉପରେ ସେ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଥାନ୍ତି । ଭାରତୀୟ ଅର୍ଥନୀତି ଉପରେ ବିଶ୍ୱ ଅସ୍ଥିରତାର ପ୍ରଭାବ ଉପରେ ସେ ଅର୍ଥମନ୍ତ୍ରୀଙ୍କୁ ଦିଗ ଦେଖାଇଥାନ୍ତି ।