ରାସଗୋବିନ୍ଦପୁର, ୨୧/୧୧ : ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀର ବେକକୁ କାଟି ଦୁଇ ଗଡ଼ କଲା ସ୍ୱାମୀ। ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନାନୁଯାୟୀ, ନଳଗଜା ଗ୍ରାମର ଅନନ୍ତ ଟୁଡୁଙ୍କ ପୁଅ ଜିତୁ ଟୁଡୁ (୩୦ ବର୍ଷ) ମଙ୍ଗଳବାର ସକାଳ ପ୍ରାୟ ୫ଟାରେ ମଦ ପିଇବାକୁ ସ୍ତ୍ରୀ ପାର୍ବତୀ ଟୁଡୁଙ୍କୁ (୨୬ ବର୍ଷ) ଟଙ୍କା ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ, ସ୍ୱାମୀ ଜିତୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ କତାରେ ପାର୍ବତୀଙ୍କ ବେକକୁ କାଟି ଦୁଇଗଡ଼ କରିଦେଇଥିଲା। ଘଟଣା ବାବଦରେ ଜାଣିପାରି ଗ୍ରାମବାସୀ ଧାରୁଆ ଅସ୍ତ୍ର ସହ ଜିତୁକୁ ଧରି ଏକ ଗଛରେ ବାନ୍ଧି ଦେଇ ରାସଗୋବିନ୍ଦପୁର ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧାରୁଆ ଅସ୍ତ୍ର ଜବତ କରି ଜିତୁକୁ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ ପରେ ଶଵ ବ୍ୟବଛେଦ ପାଇଁ ବାରିପଦା ପଠା ଯାଇଥିବା ଜଣାପଡିଛି।