ଭୁବନେଶ୍ୱର,୧୩।୯: ଉଦୟଗିରି ତଳ ବସ୍ଷ୍ଟାଣ୍ଡ ରାସ୍ତାରେ ବଡ଼ ବଡ଼ ଖାଲଖମା । ଜାତୀୟ ରାଜପଥରୁ ଆସୁଥିବା ଟୁରିଷ୍ଟ ବସ୍ ଷ୍ଟାଣ୍ଡକୁ ପଶିବା ବେଳେ ଦୁର୍ଘଟଣା ଘଟୁଛି । ଐତିହ୍ୟକ୍ଷେତ୍ରରେ ପ୍ରବେଶ ନକରୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ସ୍ଥିତି । ଖାଲଖମାରେ ପଡ଼ି ଉଠି କୌଣସିମତେ ପର୍ଯ୍ୟଟକ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରୁଛନ୍ତି । ହେଲେ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଖଣ୍ଡଗିରି-ଉଦୟଗିରିକୁ ଦୈନିକ ହଜାର ହଜାର ବାହାର ରାଜ୍ୟର ପର୍ଯ୍ୟଟକ ଆସୁଛନ୍ତି । ବର୍ତ୍ତମାନ ଖଣ୍ଡଗିରି ମୁଖ୍ୟ ରାସ୍ତା ବନ୍ଦ ଥିବା ବେଳେ ଗାଡ଼ିମୋଟର ଉଦୟଗିରି ତଳ ରାସ୍ତାରେ ଥିବା ବସ୍ଷ୍ଟାଣ୍ଡକୁ ଯାଉଛନ୍ତି । ରାସ୍ତାରେ ଆଣ୍ଠୁଏ ଖାଲ ଯୋଗୁଁ ବଡ଼ କଲବଲ ହେଉଛନ୍ତି ।
ଖଣ୍ଡଗିରି ପାହାଡ଼ ଦକ୍ଷିଣ ପାଶ୍ୱର୍ ଆମ୍ରି ହସ୍ପିଟାଲ ରାସ୍ତାରେ ମଧ୍ୟ ସମାନ ସ୍ଥିତି । ଖାଲଖମାରେ ଭର୍ତ୍ତି । ଏହି ରାସ୍ତା ଦେଇ ଜରୁରିକାଳୀନ ଗାଡ଼ି ଯିବାଆସିବା କରୁଛି । କିନ୍ତୁ, ରାସ୍ତା ମରାମତି ଉପରେ କେହି ନଜର ଦେଉନାହାନ୍ତି । କୋଳଥିଆ ଭିତର ରାସ୍ତା ବି ଅବସ୍ଥା ଖରାପ । ବରମୁଣ୍ଡା ଗାଁ ଭିତର ଦେଇ ଡେଲଟାଛକକୁ ପଡ଼ିଥିବା ରାସ୍ତାକୁ ୱାଟ୍କୋ ଖୋଳିଛି । ୫ ମାସ ହେଲା ଲୋକେ ନାକରେ କାନ୍ଦିଲେଣି । ବର୍ଷା ହେଲେ ରାସ୍ତା କାଦୁଅ ସରସର । ଏହି ରାସ୍ତା ଉପରେ ହଜାର ହଜାର ଲୋକେ ନିର୍ଭର କରୁଛନ୍ତି । ବିଏମ୍ସି ପକ୍ଷରୁ ଖୋଳତଡ଼ା କରିବାକୁ ବାରଣ କରାଯାଇଥିଲେ ମଧ୍ୟ ୱାଟକୋ ଶୁଣୁନାହିଁ ।
ରେଣ୍ଟାଲ କଲୋନୀ-ସିଆରପିରୁ ସଂଯୋଗ କରିଥିବା ରାସ୍ତା ପିଚୁ-ପେଭରବ୍ଲକ ମିଶା । ରାସ୍ତାକୁ ସମତୁଳ କରାଯାଇନି । ଗାଡି ଗୋଟିଏ ପଟକୁ ଢଳି ଯାଉଛି । ସ୍ୱେରେଜ ଚ୍ୟାମ୍ବର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଦ୍ରୁତ ବେଗରେ ଗଲେ ଦୁର୍ଘଟଣା ନିଶ୍ଚିତ । ହେଲେ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ନିରବ । ଆଗକୁ ପାର୍ବଣ ଆସୁଛି । ଭିଡ଼ ଜମିବ । ହେଲେ ରାସ୍ତା ଅବସ୍ଥା ଶୋଚନୀୟ । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । ହେଲେ ପୂର୍ତ୍ତ ଓ ବିଏମ୍ସି ଚେତୁନି । ଅଧିକାରୀ ମାନେ ହାଲୁକା ଭାବେ ନେଉଛନ୍ତି । ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଗଲେ ମଧ୍ୟ ସେମାନେ ଫୋନ୍ ଉଠାଇନଥିଲେ ।