କଟକ, ୦୫/୦୯ : ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି। ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଉଭୟଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି।
ସୂଚନା ଅନୁଯାୟୀ, ଆଇନଜୀବୀ ଶିବ ଶଙ୍କର ମିଶ୍ର ୧୯୯୧ ମସିହାରେ ଓକିଲାତି ପେସାକୁ ଆପଣେଇ ଥିଲେ। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅନୁଭୂତି ରହିଛି ।
ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଶିବ ଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ’ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ।
ଆନନ୍ଦ ଚନ୍ଦ୍ର ବେହେରା ୧୯୬୪, ମେ’ ୨୩ରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୦୪ରେ ସେ ଫାଷ୍ଟଟ୍ରାକ୍ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୧୩ରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡ଼ରରେ ଯୋଗ ଦେଇଥିଲେ । କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା, ଧର୍ମଗଡ଼ରେ ଅତିରିକ୍ତ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଛନ୍ତି । ସେ ଜଗତସିଂହପୁର ଓ ବ୍ରହ୍ମପୁରରେ ଜିଲ୍ଲା ଜଜ୍ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି । ରାଜ୍ୟରେ ଜଣେ ଲୋକପ୍ରିୟ ବିଚାର ବିଭାଗୀୟ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି ।