ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମିଧିଲି', ବାଂଲାଦେଶ ଉପକୂଳ ମୁହାଁ ହେବ: ଓଡ଼ିଶା ଉପରେ ପଡିବନି ପ୍ରଭାବ

ଭୁବନେଶ୍ୱର,୧୭/୧୧: ଶୁକ୍ରବାର ସକାଳେ ବାତ୍ୟା ରୂପ ନେଲା ଗଭୀର ଅବପାତ। ବାତ୍ୟା ‘ମିଧିଲି’ ବାଂଲାଦେଶରେ ହୋଇ ଯିବ। ୧୮ ତାରିଖ ସକାଳେ  ଅର୍ଥାତ ଶନିବାର ବିଳମ୍ବିତ ରାତି କିମ୍ବା ଭୋର ସୁଦ୍ଧା ଖେପୁପରା ଉପକୂଳରେ ମାଡ଼ ହେବ ।

ପାଣିପାଗ ବିଭାଗ ସୂଚନା ମୁତାବିକ, ଶୁକ୍ରବାର ସକାଳେ ଗଭୀର ଅବପାତ ବାତ୍ୟା ରୂପ ନେଇଛି। ବଙ୍ଗୋପସାଗରର ଉତ୍ତର- ପଶ୍ଚିମ ଉପୂକଳରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ବାତ୍ୟା ମିଧିଲି ପାରାଦୀପ ଠାରୁ ୧୯୦ କିମି, ଦୀଘାଠାରୁ ୨୦୦ କିମି ଦୂରରେ ରହିଛି। ବାତ୍ୟା

ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳକୁ କେପୁପାରା ନିକଟ ଦେଇ ଅତିକ୍ରମ କରିପାରେ ଏବଂ ପବନର ବେଗ ୬୦-୭୦ କିଲୋମିଟର ବେଗରେ ପବନ ବହିପାରେ।

ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟରେ ପାଗ କୋହଲା ରହିବ । ଉପକୂଳ ଓଡ଼ିଶାର କିଛି ଜାଗାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କୋହଲା ପାଗ ଯୋଗୁ ପ୍ରାୟ ସବୁଠି ଦିନ ତାପମାତ୍ରା ଖସିଛି ।  

ପାଣିପାଗ ବିଭାଗ ଆକଳନ କହୁଛି, ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ କିଛି କିଛି ସ୍ଥାନ ସମେତ କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ସକାଳ ସୁଦ୍ଧା ପ୍ରବଳ ବର୍ଷା (୭୦ ମିଲିମିଟରରୁ ୧୧୦ ମିମି ପର୍ଯ୍ୟନ୍ତ) ଆଶଙ୍କା ଅଛି । ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବାକି ସବୁଠି ପାଗ ଶୁଖିଲା ରହିବ । ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ୨୦ ତାରିଖରେ ମାଲକାନଗିରି, କୋରାପୁଟର  ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।  

ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ତା’ର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମଝିରେ ମଝିରେ ପବନର ଝଟ୍‌କା ୭୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ଏହା ପରେ ପବନ ବେଗ ଧୀରେଧୀରେ କମିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।  

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଶୁକ୍ରବାର ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଶନିବାରଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୦ରେ ଦକ୍ଷିଣରେ ପୁଣି କିଛି ବର୍ଷା ହୋଇପାରେ । ୨୫/୨୬ ତାରିଖବେଳକୁ ପୁଣି ପାଗ ବଦଳିପାରେ ।  

ଆଇଏମ୍‌ଡିର ପୂର୍ବାନୁମାନ କହୁଛି, ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ।

Copyright © 2022 - Summa Real Media Private Limited. All Rights Reserved.