ଭୁବନେଶ୍ୱର ୧୪/୧୧: ଗୁରୁବାରଠାରୁ ରାଜ୍ୟରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୬ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ।
୨୪ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଗୁରୁବାର ବେଳକୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।
ବୁଧବାର ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଜଗତ୍ସିଂହପୁର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।
ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର, ଜଗତସିଂହପୁର, କଟକ, ଅନୁଗୁଳ ଓ ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବୌଦ୍ଧ, ସୁନ୍ଦରଗଡ଼, ଗଞ୍ଜାମ, ଦେବଗଡ଼, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସୋମବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ନବରଙ୍ଗପୁରରେ ୧୩.୬, ଫୁଲବାଣୀରେ ୧୫.୫, ସୁନ୍ଦରଗଡ଼ରେ ୧୬.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।