ମାଲକାନଗିରି,କାଲିମେଳା ୧୦।୧୧ (ଆପ୍ର): ମଣିଷ ଜୀବନ ପାଣିଫୋଟକା ସଦୃଶ । କେତେବେଳେ କାହାର କ’ଣ ହେବ କିଛି ଜଣା ନଥାଏ । ମୃତ୍ୟୁ ଏମିତି ବି ଆସେ । ଠିକ୍ ସେହିଭଳି ଏକ ଘଟଣା ଘଟିଛି । ବାସନ ମାଜୁଥିବା ବେଳେ ତେନ୍ତୁଳିଗଛ ପଡି ଜଣେ ମହିଳାଙ୍କର ମୃତ୍ୟୁଘଟି ଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ତାଙ୍କ ପରିବାର ଲୋକ । ଆଜି (ଶୁକ୍ରବାର) ସକାଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତସ୍ଥ ସାଲମାରିକୋଣ୍ଡା ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ଘରେ ଘଟିଛି ଏକ ଦୁଃଖଦାୟକ ଘଟଣା।
ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପଞ୍ଚାୟତ ସାଲମାରିକୋଣ୍ଡା ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ସ୍ତ୍ରୀ ଗୌରୀ ପାତ୍ର (୪୫) ଆଜି ସକାଳେ ଘର ସମ୍ମୁଖରେ ବାସନ ମାଜୁଥିବା ବେଳେ ନିକଟରେ ଥିବା ଏକ ବୃହତ ତେନ୍ତୁଳିଗଛ ଅଚାନକ ଉପୁଡ଼ି ତାଙ୍କ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ତେନ୍ତୁଳିଗଛଟି ହଠାତ ଘର ଉପରେ ଉପଡି ପଡ଼ିଯିବାରୁ ଟିଣ ଛପର ଘରଟି ସଂପୂର୍ଣ୍ଣ ଭାଙ୍ଗି ମହିଳାଙ୍କ ଉପରେ ପଡିଯାଇ ଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବାର ଜଣାପଡ଼ିଛି । ମହିଳା ଜଣଙ୍କ ତେନ୍ତୁଳି ଗଛ ଓ ଘର ତଳେ ଚାପି ହୋଇ ଚିତ୍କାର କରିବାରୁ ପରିବାର ଓ ପାଖପଡ଼ୋଶୀ ଉଦ୍ଧାର କରି ତୁରନ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କାଲିମେଳା ମେଡିକାଲକୁ ନେଇଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କାଲିମେଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିଥିବାର ଜଣାପଡ଼ିଛି । ମୃତ ମହିଳାଙ୍କର ୩ ପୁଅ ଓ ଜଣେ ଝିଅ ରହିଥିବାର ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ସାଲିମାରିକୋଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।