ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା: ସନ୍ଧ୍ୟା ୫.୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ, ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ମହିମାଗାଦି

ଢେଙ୍କାନାଳ/ଗଁଦିଆ/ଯୋରନ୍ଦା,୨୨/୦୨: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ବା ପ୍ରଭୁପୂର୍ଣ୍ଣିମା ଗୁରୁବାର ବ୍ରାହ୍ମ ମୂହୂର୍ତ୍ତରୁ  ଆରମ୍ଭ ହେବାକୁ ଯାଉଛି । ଗୁରୁବାର ସନ୍ଧ୍ୟା ୫ଟା ୫  ମିନିଟ୍‌ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ  କରାଯିବ । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ  ଝାଡ଼ଦୀପ ପ୍ରଜ୍ୱଳନ କରିବେ । ମହିମାଗାଦିରେ ଯୋରନ୍ଦା ମେଳା  ପାଇଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼,  ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ  ଆଦି ଅଞ୍ଚଳରୁ ୨୦ ହଜାରରୁ ଊଦ୍ଧ୍ୱର୍ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ  ହେଇଥିବା ଜଣାପଡ଼ିଛି । ମହିମା ସନ୍ନ୍ୟାସୀଙ୍କ ଭୀମଭୋଇ  ଜଣାଣ, ଚଉତିଶା ଗାନ ଓ ଖଞ୍ଜଣୀ ବାଦନରେ ମହିମାଗାଦି  ମୁଖରିତ ହୋଇଉଠିଛି । ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ମେଳା  ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  

ଚଳିତ ବର୍ଷ ଯୋରନ୍ଦା ମାଘମେଳାକୁ ୧୫୧ ବର୍ଷ  ପୂରିଛି । ମହିମା ଧର୍ମର ରୀତିନୀତି ଅନୁଯାୟୀ ଚଳିତ ବର୍ଷ  ୧୫୧ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ । ଏଥିପାଇଁ  ବ୍ରାହ୍ମ ମୂହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର,  ଧୁନି ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି  ଆରମ୍ଭ ହେବ । ପ୍ରାତଃ ବ୍ରାହ୍ମ ମୂହୂର୍ତ୍ତରେ ମନ୍ଦିରର ଚାରିଦ୍ୱାର  ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁପାଶ୍ୱର୍ରେ ସିଞ୍ଚନ କରାଯିବ । ଅଗୁର, କର୍ପୁର ଓ ଚନ୍ଦନ ପାଣି ସିଞ୍ଚନ କରାଯାଇ  ଛେରା ପହଁରା କରାଯିବ । ତ୍ରିସନ୍ଧ୍ୟା ପୂଜା ପରେ ଅପରାହ୍ନ  ୫ଟା ୫ ମିନିଟ୍‌ରେ ଝାଡ଼ଦୀପ ପ୍ରଜ୍ୱଳିତ ହେବ । ଏଥିପାଇଁ  ମହିମା ଗାଦି ନୀତି ମନ୍ଦିରରୁ ଝାଡ଼ଦୀପକୁ ସଜ୍ଜିତ କରାଯାଇ  ରଖାଯାଇଛି । ମଙ୍ଗଳବାର ବକ୍କଳଧାରୀ ଓ କୌପିନଧାରୀ  ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି  ଚୂଡ଼ାନ୍ତ କରାଯାଇଛି । କେତେକ ତ୍ୟାଗୀ ବୈରାଗୀଙ୍କୁ କୌପିନ  ବାନା ପ୍ରଦାନ କରାଯାଇଛି । କୌପିନଧାରୀ ସମାଜର ଉପାସନା  ପୀଠ ଉଚ୍ଛେଦ ହୋଇଯାଇଥିବାରୁ ସେମାନେ ଯେଉଁ ସ୍ଥାନରେ  ନୂଆ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି, ସେଠାରେ  ଅଖଣ୍ଡ ବତୀ ମଣ୍ଡପ, ଅଖଣ୍ଡ ଧୁନି ମଣ୍ଡପ, ଭେକ ମଣ୍ଡପ ଉପାସନାସ୍ଥଳୀରେ ନୀତି ସମ୍ପନ୍ନ କରିବେ ।  

ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ  ସେମାନଙ୍କର ପସରା ମେଲାଇଛନ୍ତି । ରାଜ୍ୟ ଏବଂ ଦେଶର  ବିଭିନ୍ନ ପ୍ରାନ୍ତରରୁ ସାଧୁସନ୍ଥ ଓ ସନ୍ନ୍ୟାସୀମାନଙ୍କର ଆଗମନ  ମହିମାଗାଦିକୁ ବଢ଼ିବାରେ ଲାଗିଛି । ଅନୁକୂଳ ପାଗ ଯୋଗୁଁ  ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ନ୍ୟାସୀ, ଭକ୍ତମାନଙ୍କର ସୁଅ ଛୁଟିବାରେ  ଲାଗିଛି । ମାନସିକ କରିଥିବା ଛୋଟ ଛୋଟ ଶିଶୁମାନଙ୍କୁ ମୁଣ୍ଡନ  କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି । ବାହାରୁ ଆସିଥିବା ପର୍ଯ୍ୟଟକମାନେ ପହଞ୍ଚି ମନ୍ଦିର ଓ ମହିମା  ଧର୍ମ ସଂପର୍କରେ ପଚାରି ବୁଝୁଛନ୍ତି । ରାତିସୁଦ୍ଧା ଆହୁରି ଭକ୍ତ ଓ ସାଧୁମାନଙ୍କର ସମାଗମ ବଢ଼ିବାର ସମ୍ଭାବନା ରହିଛି । 

ମହିମା ଗାଦିର ବିଭିନ୍ନ ମନ୍ଦିର ତଥା ସର୍ବସ୍ଥାନ  ନୀତି ଉପାସନା ପୀଠମାନଙ୍କରେ ସାଧୁଭକ୍ତମାନେ ଉପସ୍ଥିତ  ରହି ଘଣ୍ଟ, ଶଙ୍ଖ, ଢୋଲ, ଟମକ, ଭେରି, ତୁରୀ, ମୃଦଙ୍ଗ,  କରତାଳ ତଥା ନାନାପ୍ରକାର ବାଦ୍ୟଯନ୍ତ୍ର ପ୍ରାଣୀଙ୍କ ମଙ୍ଗଳ ନିମିତ୍ତ ଅଖଣ୍ଡବତୀ ଓ ଜ୍ୟୋତିରେ ଘୃତାହୁତି କରିବା ସଙ୍ଗେ  ସଙ୍ଗେ ବ୍ରହ୍ମଧୁନିରେ ଆହୁତି ପ୍ରଦାନ କରାଯିବ । ସକାଳ ୫ଟା  ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅହ୍ମଣିଆ ପ୍ରସାଦ ଅର୍ପଣ  କରାଯାଇ ଛୋଟ ଛୋଟ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯିବ । ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ  ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ  କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତର  ମଙ୍ଗଳ କାମନା କରିବେ । ମେଳାକୁ ଆକର୍ଷଣୀୟ ଓ ସରସ  ସୁନ୍ଦର କରିବା ପାଇଁ ପ୍ରଶାସନ, ପୁଲିସ, ପଞ୍ଚାୟତ ସାଧୁସନ୍ଥ  ଓ ସ୍ଥାନୀୟ ଅଞ୍ଚଳବାସୀ ଜୋରସୋରରେ ଲାଗିପଡ଼ିଛନ୍ତି । 

ମଙ୍ଗଳବାର ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ,  ଏସ୍‌ପି ମଡକର ସନ୍ଦିପ ସମ୍ପତ, ଜିଲ୍ଲା ପରିଷଦ ନିର୍ବାହୀ  ଅଧିକାରୀ ଜ୍ୟୋତିଶଙ୍କର ସାହୁ, ତହସିଲ୍‌ଦାର ସୁରଥ ଚନ୍ଦ୍ର  ରାଉତ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମେଳାରେ  ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ପାର୍ଟି ନାଟକ  ପରିବେଷଣ କରିବାର ବ୍ୟବସ୍ଥା ହୋଇଛି । ଏଥିସହ ବିଭିନ୍ନ  ରକମର ଦୋଳି, ମୀନା ବଜାର, ଭଳିକି ଭଳି ଖାଦ୍ୟ ସାମଗ୍ରୀ  ଷ୍ଟଲ୍‌ ଖୋଲାଯାଇଛି । ସେହିପରି ପ୍ରଥମ କରି ପଲ୍ଲିଶ୍ରୀ  ମେଳା ଆୟୋଜନ କରାଯାଉଛି । ମେଳାରେ ଗ୍ରାମାଞ୍ଚଳ  କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ  ଉପକରଣ ସାମଗ୍ରୀର ପ୍ରଦର୍ଶନୀ ସହିତ ସ୍ୱାଦିଷ୍ଟ ଖାଦ୍ୟ  ପ୍ରଦର୍ଶିତ ହେବ । ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ  ପହଞ୍ଚିଛି । ଶାନ୍ତି ଶୃଙ୍ଖଳାର ସହ ମେଳା ଆୟୋଜନ ପାଇଁ ସମସ୍ତ  ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.