ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଆଉ ୩ ଦିନ, ସାହିତ୍ୟ ଓ ସଂସ୍କୃତିରେ ପାରଦର୍ଶୀ ମହିଳାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୩୧।୧: ବିଭିନ୍ନ ପାଠ୍ୟପୁସ୍ତକ ପଢ଼ିବାକୁ ଗାଁରୁ ସହରକୁ କିମ୍ବା ଜିଲ୍ଲାସ୍ତରକୁ ଦୌଡ଼ିବାକୁ ପଡ଼ିବନି । ସେମାନଙ୍କ ପାଖରେ ବହି ପହଞ୍ଚିବ । ଆଉ ପାଠ ପଢ଼ିବେ ଛାତ୍ରଛାତ୍ରୀ, ଗବେଷକ ଏବଂ ସାଧାରଣ ପାଠକ । ସେଥିପାଇଁ ପ୍ରତି ପଞ୍ଚାୟତରେ ହେବ ପାଠାଗାର । ରାଜ୍ୟର ସମସ୍ତ ପଞ୍ଚାୟତରେ ଏହି ପାଠାଗାର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୫-‘ଟି’ ଉପକ୍ରମରେ ସାରା ଓଡ଼ିଶାରେ ଯେଉଁ ରୂପାନ୍ତରଣ ଚାଲିଛି, ସେଥିରେ ପାଠାଗାରକୁ ଜୋର୍‌ ଦିଆଯାଇଛି । ଯେମିତି ପିଲାମାନେ ପଢ଼ିବା ପାଇଁ ଏବଂ ଗବେଷଣା ଲାଗି ଅସୁବିଧାରେ ପଡ଼ିବେନି, ତାକୁ ଧ୍ୟାନରେ ରଖି ଏହିଭଳି ଏକ ପଦକ୍ଷେପ ନେଇଛନ୍ତି । 

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷାବିତ୍‌ ଓ ସାହିତ୍ୟିକମାନଙ୍କ ସହ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ୍‌ ଅଧ୍ୟକ୍ଷତା କରିଥିଲେ । ଓଡ଼ିଆ ଭାଷାର ପ୍ରାଚୀନତା, ପ୍ରାସଙ୍ଗିକତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସମ୍ମିଳନୀରେ ବିଚାର ବିମର୍ଶ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜନ ହେଉଥିବାରୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଦିଗରେ ସମସ୍ତ ଭାଷାବିତ୍‌ମାନଙ୍କ ଉଦ୍ୟମ ପ୍ରଶଂସନୀୟ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ପାରଦର୍ଶିତା ଥିବା ମହିଳାମାନଙ୍କୁ ସମ୍ମିଳନୀ ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ମଧ୍ୟ କାର୍ତ୍ତିକେୟନ କହିଥିଲେ । ବୈଠକରେ ସାହିତ୍ୟିକ, ଭାଷାବିତ୍‌, ନୃତ୍ୟବିତ୍‌ ଏବଂ ଭାଷାନୁରାଗୀମାନେ ଯୋଗଦେଇ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ । 

ସମ୍ମିଳନୀ ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଅକ୍ଷରକୁ ନେଇ ଝୋଟି ପକାଇବା, ପ୍ରାଚୀନ ସାହିତ୍ୟକୁ ଲୋକାଭିମୁଖୀ କରିବା, ଯୁଗୋପଯୋଗୀ ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଚଳନ, ଶିଶୁ ଲେଖାକୁ ପ୍ରୋତ୍ସାହିତ କରିବା, ଅନ୍ୟଭାଷାର ଉପାଦେୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ଉପରେ ସେମାନେ ମତାମତ ଦେଇଥିଲେ । ପାରସ୍ପରିକ ସହଯୋଗରେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ଆୟୋଜନ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଧନ୍ୟବାଦ ଦେଇଥିଲେ । ସ୍ଥାନୀୟ ଜନତା ମଇଦାନ ଠାରେ ଆସନ୍ତା ଫେବ୍ରୁଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଆୟୋଜିତ ହେବ । ଏହାକୁ ଆଉ ମାତ୍ର ୩ଦିନ ରହିଲା । ସେଥିପାଇଁ ପ୍ରସ୍ତୁତି ବି ଜୋର୍‌ଦାର କରାଯାଉଛି । ସମ୍ମିଳନୀରେ ତିନିଦିନ ଧରି ଓଡ଼ିଆ ଭାଷାର ଉନ୍ନତି ପାଇଁ ବିଭିନ୍ନ ପର୍ଯ୍ୟାୟଭିତ୍ତିକ ଆଲୋଚନା ହେବ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.