ପୁରୀ, ୧୩/୦୮ : ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ମହାପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ତିନି ଜଣିଆ କମିଟିର ତଦନ୍ତ ଆରମ୍ଭ। ସିସିଟିଭି ଓ ଅନ୍ୟ ଭିଡିଓ ଆଧାରରେ ତଦନ୍ତ ଚାଲିଛି। ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ସିଟି ଡିଏସ୍ପି ପ୍ରଶାନ୍ତ ସାହୁ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ରହିଛନ୍ତି। ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ଵରେ ଥିବା ସେବାୟତ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ବରିଷ୍ଠ ଦଇତାପତି ସେବକଙ୍କୁ ପଚରାଉଚୁରା କରାଯାଇଛି। ଏହି ଦିନ ବଡ଼ ଠାକୁରଙ୍କ ପହଣ୍ଡିରେ କେଉଁମାନେ ଉପସ୍ଥିତ ଥିଲେ, ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ୱରେ କିଏ ଥିଲା ଓ ଦାୟିତ୍ୱ ପରିଚାଳନାରେ କିଏ ଖିଲାପ କରିଥିଲା ତାହାର ଅନୁଧ୍ୟାନ ଚାଲିଥିବା ଜଣାପଡ଼ିଛି । ତଦନ୍ତ ସରିବା ପରେ ଏନେଇ ସୂଚନା ଦିଆଯିବ।
ସୂଚନା ଥାଉକି, ଗତ ମାସ ୯ ତାରିଖରେ ଆଡ଼ପ ମଣ୍ଡପ ବିଜେ ବେଳେ ମହାପ୍ରଭୁ ବଡ଼ ଠାକୁରଙ୍କୁ ରଥ ଚାରମାଳ ଉପରୁ ଖସି ପଡ଼ିଥିଲେ । ସେବାୟତଙ୍କ ଏହି ଦାୟିତ୍ୱହୀନତା ଓ ପ୍ରଶାସନର ଖାମଖିଆଲି କାର୍ଯ୍ୟ ଦେଖି ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀ ଦୁଃଖିତ ହୋଇଥିଲେ । ଭକ୍ତଙ୍କ ଭାବାବେଗ ଉପରେ ଆଘାତ ଲାଗିଥିଲା । ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ୨୪ ଦିନ ବିତିଗଲାଣି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।