ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଚୁଚୁନ୍ଦ୍ରା ଲୋଭରେ ବୋତଲରେ ଫସିଲା ନାଗ, ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ୍‌

ଭୁବନେଶ୍ୱର ୦୯/୦୭: ଭୁବନେଶ୍ୱର ଉପକଣ୍ଠରେ ଥିବା ଜାମୁକୋଳି ଗ୍ରାମର ନକୁଳ ଖଟେଇଙ୍କ ବାଡି ଭିତରେ ରଖା ଯାଇଥିବା ପରିତ୍ୟକ୍ତ କ୍ଷୀର ବୋତଲ ବସ୍ତା ଭିତରେ ଏଇ ନାଗ ସାପ ଅଧା ପଶି ରହିଥିଲା । ସାପଟିକୁ ନାଗ ବୋଲି ଜାଣିବା ପରେ ଆଉ ନମାରି, ନକୁଳ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିଦେଶୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସାପର ଲାଞ୍ଜ କୁ ଧରି ଧୀରେ ଧୀରେ ଟାଣିଲେ ମଧ୍ୟ ତାହା ସେଇ ଅଖା ବସ୍ତା ଭିତରୁ ଆଦୌ ବାହାରିଲା ନାହିଁ । ଅନ୍ୟ ଉପାୟ ନପାଇ ବିଦେଶୀ ଅପର ପଟେ ବସ୍ତାକୁ କାଟିଦେବା ପରେ ବୋତଲ ଗୁଡ଼ିକ ତଳକୁ ଗଡିଗଲା । ଏଥର ସାପକୁ ଭିଡ଼ିବା ବେଳେ ସାପଟି ବାହାରକୁ ଆସିଲା ସତ, କିନ୍ତୁ ଏକ କାଚ ବୋତଲ ମୁଣ୍ଡ ଭର୍ତ୍ତି କରିଥିବା ଅବସ୍ଥାରେ ହିଁ ବାହାରିଥିଲା ।

ସାପ ମୁଣ୍ଡକୁ ବୋତଲ ବାହାରକୁ ଆଣିବା ପାଇଁ ବିଦେଶୀ ଯେତେ ଚେଷ୍ଟା କଲେବି ବାହାରିଲା ନାହିଁ । ଭୂଇଁ ଉପରେ ଥୋଇଲେ ତାହା ବୋତଲ ଭିତରକୁ ଅଧିକ ପଶିବା ପାଇଁ ଚେଷ୍ଟା କରୁଥାଏ । ବୋତଲ ଭାଙ୍ଗି ସାପକୁ ମୁକ୍ତ କରିବା ପାଇଁ ଭାବିଁ ବିଦେଶୀ ଘଟଣା ସ୍ଥଳରୁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପରାମର୍ଶ ମାଗିଲେ । ଶୁଭେନ୍ଦୁ କାଚକୁ ନ ଭାଙ୍ଗି ଯତ୍ନ କରି ସ୍ନେକ୍ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିବା ପାଇଁ କହିଲେ ।

ସାପଟିର ଗତି ବିଧି ଦେଖିବା ପରେ ଶୁଭେନ୍ଦୁ ବୋତଲ ଭିତରେ ଏକ ମୂଷା/ବେଙ୍ଗର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । କାଚକୁ ବାଡେଇ ଭାଙ୍ଗିଲେ କାଳେ ସାପ ଦେହରେ ଧାରୁଆ କାଚ ବାଜି କଟି ଯିବ, ତେଣୁ ତା ପୂର୍ବରୁ ନଡ଼ିଆ ତେଲ ଲଗେଇ ଧୀରେ ଧୀରେ ସାପ ଦେହକୁ ବାହାରକୁ ଆଣିବା ପାଇଁ ଯୋଜନା କରାଗଲା । ବିଦେଶୀ ନଡ଼ିଆ ତେଲ ବୋତଲରୁ ସାପ ଦେହରେ ନଡିଆ ତେଲ ପକେଇବା ବେଳେ, ଶୁଭେନ୍ଦୁ କୌଣସି ଚାପ ପ୍ରୟୋଗ ନକରି ଆସ୍ତେ ଆସ୍ତେ ସାପ ଦେହକୁ ବାହାରକୁ ଟାଣିବାକୁ ଲାଗିଲା । ନଡ଼ିଆ ତେଲ ଯୋଗୁଁ ସାପ ର ଦେହ ଚିକ୍କଣ ହୋଇ ଆରାମରେ କାଚ ବାହାରକୁ ବାହାରିବାକୁ ଲାଗିଲା । ଗୋଟେ ମିନିଟରୁ କମ୍ ସମୟ ମଧ୍ୟରେ ସାପଟି ସମ୍ପୂର୍ଣ୍ଣ ଭାବରେ ବୋତଲ ବାହାରକୁ ଚାଲି ଆସିଥିଲା ।

ସାପଟିକୁ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ସାପଟି ଖାଦ୍ୟ ଲୋଭରେ ନା ଚୁଚୁନ୍ଦ୍ରାକୁ ଛାଡି ପାରୁଥିଲା, ନା ଚୁଚୁନ୍ଦ୍ରାକୁ ଗିଳି ପାରୁଥିଲା । ବୋତଲର ମୁହଁଟି ଛୋଟ ହୋଇଥବାରୁ ଚୁଚୁନ୍ଦ୍ରାକୁ ଗିଳି ସେଇ ବୋତଲର ଫନ୍ଦକୁ ଅତିକ୍ରମ କରିବା ଅସମ୍ଭବ ଥିଲା । ଘରେ ସ୍ତ୍ରୀ ଲୋକମାନେ ଚୁଡ଼ି ପିନ୍ଧିବା ବା ବାହାର କରିବା ବେଳେ ନଡ଼ିଆ ତେଲ ଲଗେଇଲେ ଚୁଡ଼ି ସହଜରେ ବାହାରି ଯାଇଥାଏ । ସେଇ ଘଟଣା ରେ ଅନୁପ୍ରାଣିତ ହୋଇ ମୁଁ ନଡ଼ିଆ ତେଲ ବ୍ୟବାହର କରିଥିଲି ଏବଂ ସାପକୁ ଆମେ ଅକ୍ଷତ ଭାବରେ ଉଦ୍ଧାର କରିଥିଲୁ" ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.