ଭୁବନେଶ୍ୱର, ଦେବୁ ପଟ୍ଟନାୟକ/୧୪।୮: ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ ଖଣ୍ଡିକ ହେଉଛି ତା'ର ନାଗରିକର ରାଷ୍ଟ୍ର ନିର୍ମାଣର ସଂକଳ୍ପପତ୍ର, ମତ ଓ କ୍ଷମତାର ପ୍ରାଣବିନ୍ଦୁ । ଭୋଟ ଖଣ୍ଡିକ ହେଉଛି ସମ୍ମିଧାନର ଏକ କ୍ଷୁଦ୍ର ସାଙ୍କେତିକ ସୁରକ୍ଷା ପତ୍ର । ଭୋଟ ଖଣ୍ଡିକ ହେଉଛି ଗଣତନ୍ତ୍ରର ପ୍ରାଣ ଓ ଆତ୍ମା । ନିର୍ବାଚନରେ ନାଗରିକଟି ଭୋଟ ଦେଇ ତା'ର ମନୋନୀତ ପ୍ରାର୍ଥୀକୁ ନିଜର ଇଚ୍ଛା ଓ କ୍ଷମତାକୁ ସମର୍ପି ଦେଇଥାଏ । ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ସମ୍ବିଧାନର ବଳଗଣ୍ଡି ଭିତରେ ବାନ୍ଧିହୋଇ କ୍ଷମତାର ସଦୁପଯୋଗ କରି ମତଦାତାମାନଙ୍କର ଆଶା ଅବଶ୍ୟ ପୂରଣ କରିବା । ରାଷ୍ଟ୍ରର ପ୍ରଗତି ଓ ପରିବର୍ତ୍ତନକୁ ସ୍ୱାଗତ କରିବା ସହିତ ତା'ର ଗତିକୁ ଅଧିକ ଗତିଶୀଳ କରି ବିଧାନସଭା ଓ ସଂସଦ ଭିତରେ ବିଧିବିଧାନ ଗଢ଼ିବା । ଦେଶ, ରାଜ୍ୟ ତଥା ନାଗରିକର ଜୀବନ ନାଟିକାକୁ ବଞ୍ଚାଇ ରଖିବା ସହିତ ସେମାନଙ୍କର ମାନ ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା । ସବୁବେଳେ ଲୋକମାନେ ଆଶା କରିଥାନ୍ତି ଯେ, ସେମାନେ ପଠାଇଥିବା ପ୍ରତିନିଧିଟି ନିଃସ୍ୱାର୍ଥପର, ସ୍ୱାଭିମାନୀ, ସାହସୀ, ସ୍ଥିତପ୍ରଜ୍ଞ, ଦୂରଦର୍ଶୀ ଓ କର୍ମନିଷ୍ଠ ହୋଇଥିବା ଆବଶ୍ୟକ ।
ପ୍ରଥମତଃ, ମତଦାତାଟି ଆଶା କରେ ଯେ, ତାକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ବା ବିଧାୟକ ଗୃହ ଭିତରେ ଓ ବାହାରେ ସାଧାରଣ ଶିଷ୍ଟାଚାର ଅନୁପାଳନ କରିବାରେ ବିଚ୍ୟୁତ ନହୁଅନ୍ତୁ । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସାଧାରଣ ଲୋକଙ୍କଠାରୁ ଊଦ୍ଧ୍ୱର୍କୁ ଉଠି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । କହିବାକୁ ଗଲେ ଆମର ଏହି ସାଂସଦ ଓ ବିଧାୟକମାନେ ଜଣେ ଜଣେ ବିଧି ଗଢ଼ୁଥିବା ବ୍ରହ୍ମା । ଦେଶ ଓ ରାଜ୍ୟର ପ୍ରଗତି ପଟୁଆରର ସର୍ବାଗ୍ରେ ଚାଲୁଥିବା ଜଣେ ଜଣେ ସେନାଧ୍ୟକ୍ଷ । ଯାହାଙ୍କ କାନ୍ଧରେ ରାଷ୍ଟ୍ରର ସାର୍ବଭୌମତ୍ୱ ସୁରକ୍ଷିତ ରଖିବାର ଭାର । ତେଣୁ ସମସ୍ତେ ଆଶା କରନ୍ତି ଯେ, ସେମାନେ ସଂସଦ ବା ବିଧାନସୌଧ ଭଳି ସଭାଗୃହର ଗମ୍ଭୀର ପରିବେଶରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରନ୍ତୁ । ସଭାକାର୍ଯ୍ୟ ସହିତ ସମ୍ପୃକ୍ତ ନଥିବା କୌଣସି ବହି, ସମ୍ବାଦପତ୍ର କିମ୍ବା ଚିଠିପତ୍ର ପଢ଼ନ୍ତୁ ନାହିଁ । ବିଶୃଙ୍ଖଳ ଅଭିବ୍ୟକ୍ତି ବା ଗଣ୍ଡଗୋଳ ବା ଅନ୍ୟପ୍ରକାର ବିଶୃଙ୍ଖଳ ବ୍ୟବହାର ଦ୍ୱାରା କୌଣସି ସଭ୍ୟ କହୁଥିବାବେଳେ ବାଧା ଉପୁଯାନ୍ତୁନାହିଁ । ସଭାଗୃହରେ ପ୍ରବେଶ କରିବାବେଳେ ବିଧାନସଭା ଗୃହ ତ୍ୟାଗ କରିବାବେଳେ ଏବଂ ଆସନ ଗ୍ରହଣ ବା ଆସନ ତ୍ୟାଗ କରିବାବେଳେ ବାଚସ୍ପତିଙ୍କୁ ମୁଣ୍ଡ ନୁଆଇଁ ସମ୍ମାନ ପ୍ରଦର୍ଶନ କରନ୍ତୁ । ବାଚସ୍ପତିଙ୍କ ଆସନ ଓ କହୁଥିବା କୌଣସି ସଭ୍ୟଙ୍କ ମଧ୍ୟଦେଇ ଯା'ଆସ କରନ୍ତୁନାହିଁ । ବାଚସ୍ପତିଙ୍କ ଭାଷଣ ବେଳେ ସଭାଗୃହ ତ୍ୟାଗ କରନ୍ତୁ ନାହିଁ । ସବୁବେଳେ ବାଚସ୍ପତିଙ୍କ ଆସନକୁ ସମ୍ବୋଧିତ କରି କୁହନ୍ତୁ । କହୁଥିବାବେଳେ ତାଙ୍କର ନିଜ ସ୍ଥାନ ଛାଡ଼ନ୍ତୁ ନାହିଁ ।
ବିଧାସଭାରେ କହୁନଥିବା ବେଳେ ନିରବତା ଅବଲମ୍ବନ କରନ୍ତୁ ଏବଂ କାର୍ଯ୍ୟଧାରାରେ ବାଧା ଦିଅନ୍ତୁ ନାହିଁ । ଚିତ୍କାର ବା ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ ଏବଂ ବିଧାନସଭାରେ ଭାଷଣ ଦିଆଯାଉଥିବା ବେଳେ ଧାରାବାହିକ ଟିପ୍ପଣୀ କରିବାରୁ କ୍ଷାନ୍ତ ରୁହନ୍ତୁ । ସାମ୍ପ୍ରତିକ ସମୟରେ କିନ୍ତୁ ଆମର କେତେକ ଆଇନ ପ୍ରବର୍ତ୍ତକମାନଙ୍କର ଆଚରଣ ଓ ଉଚ୍ଚାରଣର ଉଦାହରଣ ଜନସାଧାରଣଙ୍କୁ ନିରାଶ କରିଛି । କଷ୍ଟ ଦେଇଛି ଆଉ ଲଜ୍ଜିତ କରିଛି । ଏହି ପରିପ୍ରେକ୍ଷୀରେ ଲୋକପ୍ରତିନିଧିମାନଙ୍କର କର୍ତ୍ତବ୍ୟକୁ ନେଇ ଏକ ବିତର୍କର ଆବଶ୍ୟକତା ଜରୁରି ହୋଇପଡ଼ିଛି । ଗୃହରେ ବିଧିବିଧାନ ଗଢ଼ିବା ଆଗରୁ ଚଳିଆସୁଥିବା ବିଧିବ୍ୟବସ୍ଥା ଓ ନୀତିରେ ଜନସ୍ୱାର୍ଥକୁ ଆଖିଆଗରେ ରଖି ଆବଶ୍ୟକୀୟ ସଂଶୋଧନ ଆଣିବା ହେଉଛି ସାଂସଦ ଓ ବିଧାୟକମାନଙ୍କର ପ୍ରମୁଖ କାମ ଭିତରୁ ଗୋଟିଏ । ଏଥିରେ ସେମାନଙ୍କର ଗୁରୁଦାୟିତ୍ୱ ଅଛି । ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ବିଧେୟକଟି ଉପରେ ଚାଲୁଥିବା ବିତର୍କରେ ଗଠନମୂଳକ ଭାବେ ଭାଗ ନେବେ ଏବଂ ଶେଷରେ ଏହାକୁ ପାରିତ ହେବା ସପକ୍ଷରେ ବା ବିପକ୍ଷରେ ନିଜର ମତଦାନ କରିବେ । କୌଣସି ସଭ୍ୟ ଚାହିଁଲେ ବାଚସ୍ପତିଙ୍କ ସମ୍ମତିକ୍ରମେ ସର୍ବସାଧାରଣ ସ୍ୱାର୍ଥଜଡ଼ିତ ସଂକଳ୍ପ ପ୍ରସ୍ତାବ ଆଗତ କରିପାରିବେ ।
ସେଥିନିମିତ୍ତ ଭିନ୍ନ ଭିନ୍ନ ପ୍ରସ୍ତାବ ଅନୁଯାୟୀ ଦୁଇଦିନ ବା କେବେ ପନ୍ଦର ଦିନ ପୂର୍ବରୁ ସେକ୍ରଟେରୀଙ୍କୁ ନୋଟିସ୍ ଦେବେ । ତା'ସହିତ ସେ ପ୍ରସ୍ତାବିତ ସଂକଳ୍ପଟିର ଏକକିତା ନକଲ ବି ସଂଲଗ୍ନ କରି ପଠାଇଥିବେ । ପୂର୍ବରୁ ବାଚସ୍ପତିଙ୍କର ଅନୁମତି ନେଇ ଜଣେ ସଭ୍ୟ ଚାହିଁଲେ କୌଣସି ଏକ ସର୍ବସାଧାରଣ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ ବି କରିପାରିବେ । କୌଣସି ସଭ୍ୟ ମଧ୍ୟ ବାଚସ୍ପତିଙ୍କ ସମ୍ମତିକ୍ରମେ ଅନ୍ୟକୌଣସି ସଭ୍ୟ ବା ବିଧାନସଭା ବା ତାହାର କୌଣସି କମିଟି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ଉତ୍ଥାପନ କରିପାରିବେ । ସ୍ୱାଧିକାର ଭଙ୍ଗ ପ୍ରଶ୍ନ ଉତ୍ଥାପନ କାରିବାକୁ ଚାହୁଁଥିବା ସଭ୍ୟ ଯେଉଁଦିନ ପ୍ରଶ୍ନଟି ଉତ୍ଥାପନ ନକରିବାକୁ ପ୍ରସ୍ତାବ କରିଥିବେ ସେହିଦିନର ବୈଠକ ଆରମ୍ଭ ହେବାର ଏକଦିନ ପୂର୍ବରୁ ସେ ସମ୍ପର୍କରେ ସେକ୍ରେଟାରୀଙ୍କୁ ଲିଖିତ ଭାବେ ନୋଟିସ୍ ଦେଇଥିବେ । କୌଣସି ପ୍ରମାଣପତ୍ର ଉପରେ ଭିତ୍ତିକରି ଯଦି ପ୍ରଶ୍ନଟି ଉତ୍ଥାପିତ ହୋଇଥିବ ତା'ହେଲେ ନୋଟିସ୍ ସହ ଉକ୍ତ ପ୍ରମାଣପତ୍ରଟି ଦେଇଥିବେ । ମନ୍ତ୍ରିମଣ୍ଡଳ ଉପରେ ଅନାସ୍ଥା ପ୍ରକାଶ କରି ଜଣେ ସଭ୍ୟ ଚାହିଁଲେ ଏକ ପ୍ରସ୍ତାବ ଆଣିପାରିବେ ।
କିନ୍ତୁ ତା' ଉପରେ ଥିବା ନିମ୍ନଲିଖିତ କଟକଣା ସବୁକୁ ପାଳନ କରିଥିବେ, ଯଥା- ପ୍ରଶ୍ନ ସମୟ ପରେ ଏବଂ ସେଇଦିନର କାର୍ଯ୍ୟସୂଚୀ ବିଷୟ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତାବ ଆଣିବାକୁ ସେ ଆଜ୍ଞା ମାଗିଥିବେ । ଏବଂ ଆଜ୍ଞା ଚାହୁଁଥିବା ସଭ୍ୟ ଯେଉଁ ପ୍ରସ୍ତାବ ଆଗତ କରିବାକୁ ଇଚ୍ଛା କରୁଥିବେ, ସେଇଦିନର ବୈଠକ ଆରମ୍ଭ ହେବା ପୂର୍ବରୁ ତତ୍ସମ୍ପର୍କରେ ସେକ୍ରେଟାରୀଙ୍କ ନିକଟରେ ଲିଖିତ ନୋଟିସ୍ ଦାଖଲ କରିଥିବେ । ଏହି ବିଧେୟକଗୁଡିକ ସାମାଜିକ ପରିବର୍ତ୍ତନର ଓ ରାଜ୍ୟର ପ୍ରଗତିର ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଦେଖିବାକୁ ମିଳୁଛି ଏହି କାର୍ଯ୍ୟ ତୁଲାଇବାରେ କେତେକ ସଭ୍ୟଙ୍କ ଭୂମିକା ବେଳେବେଳେ ଭାରି ନୈରାଶ୍ୟଜନକ । କେହି କେହି ଏହି ବିତର୍କ ଚାଲିଥିଲାବେଳେ ପ୍ରାୟତଃ ଅନୁପସ୍ଥିତ ରହନ୍ତି ବା ଯଦି ଉପସ୍ଥିତ ରହନ୍ତି ତେବେ ଆଲୋଚନାରେ ଭାଗ ନିଅନ୍ତି ନାହିଁ । ଅନ୍ୟମାନେ ଯିଏ ଉପସ୍ଥିତ ରହି ଭାଗ ନେଇଥାନ୍ତି ସେମାନଙ୍କ ଭିତରୁ କେତେକ ସମୂହ ସ୍ୱାର୍ଥକୁ ନଦେଖି ପକ୍ଷପାତ ନୀତି ଅବଲମ୍ବନ କରିଥାନ୍ତି । କେତେକ ବି ଅସହିଷ୍ଣୁ ହୋଇପଡ଼ି ହାତାହାତି ହୋଇଯାଆନ୍ତି । କେହି କେହି କୁତ୍ସିତ ଘୋଡ଼ା ବେପାରରେ ମଧ୍ୟ ସମ୍ପୃକ୍ତ ହୋଇଯାଆନ୍ତି । ଏଭଳି କାର୍ଯ୍ୟ ସେମାନଙ୍କ ପଦମର୍ଯ୍ୟାଦା କ୍ଷୂଣ୍ଣ କରିବା ସହିତ ସେମାନଙ୍କୁ ଲୋକଙ୍କ ଆଖିରେ ନୀଚ କରିଦେଇଥାଏ । ଏଭଳି ଆଚରଣ ପ୍ରଦର୍ଶନ କରି ସେମାନେ ଦେଶ ଓ ଜାତି ପ୍ରତି ବିଶ୍ୱାସଘାତକତା ଭଳି କାର୍ଯ୍ୟ କରୁଛନ୍ତି ନିଶ୍ଚୟ! ସରକାରୀ ନୀତି ଠିକ୍ କାର୍ଯ୍ୟକାରୀ ହେଉଛି କି ନାହିଁ ତା’ ଉପରେ ନଜର ରଖିବା ହେଉଛି ସଭ୍ୟମାନଙ୍କର ଆଉ ଗୋଟିଏ ଗମ୍ଭୀର କାର୍ଯ୍ୟ । ସରକାରଙ୍କ କାର୍ଯ୍ୟକ୍ରମ, ପ୍ରାକଳ୍ପଗୁଡ଼ିକ ଅଭିଳଷିତ ଲକ୍ଷ୍ୟ ହାସଲ କରୁଛି ନା ନାହିଁ, ସମାଜ ଉପରେ ତାର କି ପ୍ରଭାବ ପଡୁଛି, ସେଗୁଡିକ ପାଇଁ ଯଥେଷ୍ଟ ଅର୍ଥ ବ୍ୟୟ ବରାଦ ହୋଇଛି କି ନାହିଁ, ସେସବୁ ଅର୍ଥ ଠିକ୍ ଖର୍ଚ୍ଚ ହେଉଛି ନା ନାହିଁ ଇତ୍ୟାଦିକୁ ନେଇ ସଭ୍ୟମାନେ ଗୃହରେ ସରକାରଙ୍କଠାରୁ ଉତ୍ତର ଦାବି କରିଥାନ୍ତି ।
ବଜେଟ୍ ଅଧିବେଶନ ବେଳେ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସଭ୍ୟମାନଙ୍କର ଅନ୍ୟତମ ପ୍ରମୁଖ ଭୂମିକା । ବଜେଟ୍ ଅନୁମୋଦନ ପ୍ରକ୍ରିୟାର ତିନୋଟି ତାତ୍ପର୍ଯ୍ୟପୂର୍ଣ୍ଣ ସ୍ତରରେ ନିଜର ସ୍ୱାକ୍ଷର ରଖିବାର ସୁଯୋଗକୁ କେବେ କେଉଁ ଦାୟିତ୍ୱସମ୍ପନ୍ନ ସଭ୍ୟ ଅଣଦେଖା କରିବେନାହିଁ । କେଉଁ ଆଧାରରେ ରାଜ୍ୟର ଶୁଳ୍କ ରାଶି ଆବଣ୍ଟନ ହେଉଛି ସେମାନେ ତା'ର ତନଖି କରିଥାନ୍ତି । ସେ ଶୁଳ୍କ ରାଶିରୁ କେତେ କେତେ କେଉଁ ରାଜ୍ୟ ବା ଜିଲ୍ଲାକୁ ଆବଣ୍ଟନ କରାଯିବ ତାହା ନିର୍ଦ୍ଧାରଣ କରିଥାନ୍ତି । ସେସବୁ କଲାବେଳେ ସର୍ବସାଧାରଣ ବିତ୍ତୀୟ ନୀତିକୁ ଠିକ୍ ଅନୁସରଣ କରାଯାଉଛି କି ନାହିଁ ଏବଂ ବିତ୍ତୀୟ ଉତ୍ତରଦାୟିତ୍ୱର ପ୍ରାବନ୍ଧ ଏହି ପ୍ରକ୍ରିୟା ସବୁରେ ସନ୍ନିବେଷ୍ଟିତ ହୋଇଛି କି ନାହିଁ ବିଶ୍ଳେଷଣ କରିଥାନ୍ତି । ଏଭଳି ପ୍ରସ୍ତାବର ପ୍ରାସଙ୍ଗିକତା ରାଜ୍ୟ ବିଧାନସଭା ପାଇଁ ମହତ୍ତ୍ୱପୂର୍ଣ୍ଣ ଏଇଥିପାଇଁ ଯେ, ଏଥର ନବନିର୍ବାଚିତ ବିଧାୟକମାନଙ୍କ ଭିତରୁ ପ୍ରାୟ ଅର୍ଦ୍ଧାଧିକ ନୂଆକରି ବିଧାନସଭା ଗୃହକୁ ପ୍ରବେଶ କରିଛନ୍ତି । ଓଡ଼ିଶା ବିଧାନସଭାର ଏହି ସପ୍ତଦଶ ବିଧାନସଭାକୁ ୮୪ଜଣ ବିଧାୟକ ପ୍ରଥମଥର ପାଇଁ ନିର୍ବାଚିତ ହୋଇଆସିଛନ୍ତି । ସେମାନଙ୍କ ମଧ୍ୟରେ ଶାସକ ଦଳ- ଭାରତୀୟ ଜନତା ପାର୍ଟିରୁ ସମୁଦାୟ ନିର୍ବାଚିତ ହୋଇଥିବା ୭୮ଜଣ ବିଧାୟକଙ୍କ ମଧ୍ୟରୁ ୫୪ଜଣ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିରୋଧୀଦଳ, ବିଜୁ ଜନତା ଦଳ ତରଫରୁ ୫୧ଜଣ ନିର୍ବାଚିତ ହୋଇଆସିଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ଜଣ ନବାଗତ ବା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସରୁ ୧୪ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏକାବେଳେ ସେମାନଙ୍କ ମଧ୍ୟରେ ୯ଜଣ ନବାଗତ ବା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ।
ଏହାବ୍ୟତୀତ ସ୍ୱାଧୀନ ଭାବେ ନିର୍ବାଚିତ ହୋଇ ଆସିଥିବା ସମୁଦାୟ ୩ଜଣ ବିଧାୟକଙ୍କ ମଧ୍ୟରେ ସମସ୍ତେ ନବାଗତ ବା ପ୍ରଥମଥର ପାଇଁ ଓନିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । କେହି ମା' ପେଟରୁ ଶିଖିକି ଆସିନଥାନ୍ତି । ତେଣୁ ସମସ୍ତ ବିଧାୟକଙ୍କ ପାଇଁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା ପାଇଁ ଅନେକ କର୍ମଶାଳା ଓ ସଚେତନ ଶିବିର ଆୟୋଜନ କରିବା ଆବଶ୍ୟକ ଅଛି । ଆମ ରାଜ୍ୟ ବିଧାନସଭା ଗୃହରେ ବିଧାୟକମାନେ ନିଜ ଦାୟିତ୍ୱର କେବଳ ଗୋଟିଏ ଅଂଶ ସଂପାଦନ କରିଥାନ୍ତି । ସେମାନଙ୍କ ବେଶୀ କାର୍ଯ୍ୟ ରହିଥାଏ ସେମାନେ ସଭ୍ୟ ଥିବା ସରକାରଙ୍କ ଦ୍ୱାରା ଗଠିତ ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟି, ପରିଷଦ ଓ ବୋର୍ଡଗୁଡ଼ିକରେ ଯଥା- ଗୃହ କମିଟି, ବିଜିନେସ୍ ଆଡଭାଇଜରି କମିଟି, ପବ୍ଲିକ ଆକାଉଣ୍ଟସ୍ କମିଟି ଆଦି । ସେଗୁଡିକରେ ହେଉଥିବା ଆଲୋଚନାରେ ସେମାନେ କେତେ ନିଷ୍ଠା ଓ ଆନ୍ତରିକତା ସହିତ ଭାଗ ନେଉଛନ୍ତି ତାହା ହେଉଛି ବଡ଼ ଗୁରୁତ୍ୱପୂର୍ଣ୍ଣ । ସେଗୁଡ଼ିକରେ ବିଧାୟକମାନେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ମତ ଶୁଣିଥାନ୍ତି । ପ୍ରକୃତରେ ପ୍ରସ୍ତାବିତ ଆଇନର ମୂଳଦୁଆ ସେହିଠାରେ ହିଁ ପଡ଼ିଥାଏ । ସମୟ ବଦଳିବା ସହିତ ନୂଆ ନୂଆ ସମସ୍ୟା ଆସି ଠିଆ ହେଉଛି । ପୁରୁଣା ସମସ୍ୟା ବି ରୂପ ବଦଳାଉଛି । ସେସବୁ ପ୍ରତି ସଚେତନ ରହିବା ଏବଂ ସମାଧାନ କରିବା ପାଇଁ କି ପ୍ରକାର ଆଇନ ପ୍ରଣୟନ କରାଯିବା ଆବଶ୍ୟକ ସେ ସମ୍ପର୍କରେ ଅଧ୍ୟୟନ କରିବା ବିଧାୟକମାନଙ୍କ ପାଇଁ ଆଜି ଏକ ଆହ୍ୱାନ । ନହେଲେ ଜଣେ ଆଦର୍ଶ ବିଧାୟକ ସେମାନେ ହୋଇପାରିବେ ନାହିଁ । ଦେଶ ଓ ରାଜ୍ୟ ଗଠନରେ ସେମାନଙ୍କର ପ୍ରାସଙ୍ଗିକତା ରହିବ ନାହିଁ ।