ନୀଳଗିରି,୧୧/୯ : ନୀଳଗିରି ଥାନା ଅଧିନ ସହରଠାରୁ ଗାଁ ଗୁଡିକରେ ଏବେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି । ଆଜି ସନ୍ଧ୍ୟା ୮ ଟା ସମୟରେ ଜଣେ ବାହାର ରାଜ୍ୟର ଯୁବକ ଘରେ ପଶି ଚୋରୀ କରୁଥିବା ସମୟରେ ଧରା ପଡି ବନ୍ଧା ହୋଇ ବେଶ ଉତ୍ତମ ମଧ୍ୟମ ଖାଇବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଅଧିନ ଘାଟଘର ସାହି ଅଞ୍ଚଳରେ ବାଇନ ରାଉତଙ୍କ ଘରକୁ ଜଣେ ଅଜଣା ବ୍ୟକ୍ତି ଯାଇ ପାଣି ପିଇବାକୁ ମାଗିଥିଲେ । ଘର ଲୋକ ପାଣି ଆଣିବାକୁ ଭିତରକୁ ଯାଇଥିବାବେଳେ ଯୁବକ ଜଣକ ବାହାରେ ଛିଡ଼ା ହୋଇଥିବା ସ୍କୁଟିର ଚାବି ଭାଙ୍ଗି ନେବାକୁ ଚେଷ୍ଟାକରୁଥିଲେ । ପରିବାର ଲୋକେ ଦେଖି ତାଙ୍କୁ ଅଟକାଇବାରୁ ସେ ଦୌଡ଼ି ପାଖରେ ଆଉ ଜଣଙ୍କ ଘର ଫାଟକ ଡେଇଁ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଗ୍ରାମବାସୀ ତାଙ୍କୁ ଧରି ଏକ ଖୁଣ୍ଟିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ଯୁବକ ଜଣଙ୍କ ଘର ଓଡିଶା ବାହାରେ ବୋଲି ଜଣାପଡିଛି। ସେ ହିନ୍ଦୀରେ କଥା ମଧ୍ୟ କହୁଛି। ପୋଲିସ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ତେବେ ଯୁବକ ଜଣକ ବାଇକ ଚୋରି ରାକେଟରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି।