ପ୍ରମୂଖ ଖବର
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଯୁବତୀଙ୍କୁ ବୁଲିବାକୁ ଡାକି ନେଇ ଗଣବଳାତ୍କାର, ସମ୍ପର୍କୀୟ ଭିଣୋଇ ସମେତ ୨ ଗିରଫ

ବୀରମିତ୍ରପୁର, ୨୫।୫: ଯୁବତୀଙ୍କୁ ବୁଲିବାକୁ ଡାକି ନେଇ ଜଙ୍ଗଲରେ ଗଣବଳାତ୍କାର କରିବା ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଅଞ୍ଚଳରେ । ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ହେଲେ ସୀତାରାମ ଓରଫ ରାମ ଧନୱାର (୨୫) ଏବଂ ରାଜୀବ ଲୁଗୁନ ଓରଫ ଟପ୍ନୋ (୨୩) । ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଏକ ଗାଁରେ ରହୁଥିବା ୨୪ ବର୍ଷୀୟା ଯୁବତୀ ଗତ ୨୧ ତାରିଖରେ କୁଆଁରମୁଣ୍ଡା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଯୁବତୀ ଜଣକ ଘରେ ଏକାକୀ ଥିବା ବେଳେ ସମ୍ପର୍କୀୟମାନେ କୌଣସି କାମରେ ରାଉରକେଲା ଆସିଥିଲେ । ଏହାର ସୁଯୋଗ ନେଇ ସୀତାରାମ ଯୁବତୀଙ୍କୁ ଫୋନ୍‌ କରି ବୁଲିବାକୁ ଡାକିଥିଲେ । କାରଣ ଯୁବତୀଙ୍କ ସମ୍ପର୍କୀୟ ଭିଣୋଇ ହେଉଛନ୍ତି ସୀତାରାମ । 

ପ୍ରଥମେ ଯୁବତୀ ଜଣକ ତାଙ୍କ ସହ ଯିବାକୁ ମନା କରିଥିଲେ । ମାତ୍ର ସୀତାରାମ ବାରମ୍ବାର ଫୋନ କରି ଯୁବତୀଙ୍କୁ ବୁଲିବାକୁ ଯିବା ଲାଗି ବାଧ୍ୟ କରିଥିଲେ । ଫଳରେ ଯୁବତୀ ରାଜି ହୋଇଥିଲେ । ୨୧ ତାରିଖ ରାତି ପ୍ରାୟ ସାଢ଼େ ୮ଟାରେ ସୀତାରାମ ଓ ତାଙ୍କ ବନ୍ଧୁ ରାଜୀବ ବାଇକ୍‌ରେ ଆସି ଯୁବତୀଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ଯୁବତୀଙ୍କୁ ବାଇକ୍‌ରେ ବସାଇ ବୁଲାଇବା ଆଳରେ ଖୁଖୁଣ୍ଡୁବାହାଲ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଉଭୟ ଯୁବତୀଙ୍କ ସହ ପାଶବିକ ଅତ୍ୟାଚାର କରିଥିଲେ । କାହାକୁ କିଛି ନକହିବା ଲାଗି ଯୁବତୀଙ୍କୁ ସୀତାରାମ ଓ ରାଜୀବ କହିଥିଲେ । ପରେ ଗାଡ଼ିରେ ଛାଡ଼ିବାକୁ ଆସୁଥିବା ବେଳେ ଯୁବତୀଙ୍କ ଭାଉଜ ଏହା ଦେଖି ଦେବାରୁ ଯୁବକ ଦ୍ୱୟ ଘରଠାରୁ କିଛି ଦୂରରେ ଯୁବତୀଙ୍କୁ ଛାଡ଼ି ପଳାଇ ଯାଇଥିଲେ । ସମ୍ପର୍କୀୟମାନେ ରାଉରକେଲାରୁ ଫେରିବା ପରେ ଯୁବତୀ ସବୁ କଥା କହିଥିଲେ । ୨୨ ତାରିଖରେ ପୀଡ଼ିତା ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ପୁଲିସ୍‌ ଦଫା ୩୭୬(ଡି)ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶୁକ୍ରବାର ସକାଳେ ପୁଲିସ୍‌ ଗୁପ୍ତ ସୂଚନା ପାଇଥିଲା ସୀତାରାମ ଓ ରାଜୀବ ଡୁମାଙ୍ଗଦିରି ଗାଁର ଆଖପାଖ ଅଞ୍ଚଳରେ ଅଛନ୍ତି । ପୁଲିସ୍‌ ସେଠାରେ ଚଢ଼ାଉ କରି ସେମାନଙ୍କୁ ଧରି ଥାନାକୁ ଆଣିଥିଲା ଓ ଅଭିଯୁକ୍ତ ଦ୍ୱୟ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ । ସେମାନଙ୍କୁ ଗିରଫ କରିବା ପରେ ଡାକ୍ତରୀ ମାଇନା କରି ପୁଲିସ୍‌ କୋର୍ଟ ଚାଲାଣ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.