ମୁମ୍ବାଇ ୨୫/୦୫: ବଲିଉଡ୍ ଅଭିନେତ୍ରୀ ଲୈଲା ଖାନ୍ ଏବଂ ତାଙ୍କ ପରିବାରକୁ ହତ୍ୟା ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ଶୁକ୍ରବାର ତାଙ୍କ ସାବତ ବାପା ପରଭେଜ୍ ଟାକ୍ଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ପରଭେଜ ୨୦୧୧ରେ ଲୈଲାଙ୍କ ସମେତ ତାଙ୍କ ମା’ ସେଲିନା ଏବଂ ୪ ଭାଇଭଉଣୀଙ୍କୁ ହତ୍ୟା କରିଥିଲେ । ମାମଲାର ଶୁଣାଣି ବେଳେ ଜଜ୍ ଏସ୍.ବି ପାୱାର କହିଥିଲେ ଏହା ଅତି ବିରଳତମ ଘଟଣା । ପ୍ରମାଣ ନଷ୍ଟ କରିଥିବାରୁ ତାଙ୍କୁ ୭ ବର୍ଷ ଜେଲଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି ।
୨୦୧୧ ଫେବ୍ରୁଆରୀରେ ମହାରାଷ୍ଟ୍ରର ଇଗତ୍ପୁରି ଠାରେ ଥିବା ଲୈଲାଙ୍କ ବଙ୍ଗଳାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସେଲିନା ତାଙ୍କ ସମ୍ପତ୍ତିରୁ ପରଭେଜ୍ଙ୍କୁ ଭାଗ ନ ଦେବାରୁ ପରଭେଜ ଏପରି କରିଥିଲେ । ସେ ପ୍ରଥମେ ସେଲିନାଙ୍କୁ ହତ୍ୟା କରି ପରେ ଲୈଲା ଏବଂ ଅନ୍ୟ ୪ ଜଣଙ୍କୁ ହତ୍ୟା କରିଥିଲେ । ପରେ ଶବଗୁଡ଼ିକୁ ଫାର୍ମ ହାଉସରେ ପୋତି ଦେଇଥିଲେ । ଏହାର କିଛି ମାସ ପରେ ପରଭେଜଙ୍କୁ ଜମ୍ମୁକାଶ୍ମୀର ପୁଲିସ ଅନ୍ୟ ମାମଲରେ ଗିରଫ କରିଥିଲା । ତଦନ୍ତରେ ଲୈଲାଙ୍କ ହତ୍ୟାକାଣ୍ଡ କଥା ସାମ୍ନାକୁ ଆସିଥିଲା । ପଚରାଉଚରା ପରେ ଫାର୍ମହାଉସ୍ରୁ ଗଳିତ ଶବ ଜବତ କରାଯାଇଥିଲା । ମାମଲାରେ ୪୦ ଜଣ ସାକ୍ଷ୍ୟ ଦେଇଥିଲେ । ଲୈଲାଙ୍କ ପକ୍ଷ ଓକିଲ ତଥା ପବ୍ଲିକ ପ୍ରସିକ୍ୟୁଟର ପଙ୍କଜ ଚୌହାନ ଏହି ଜଘନ୍ୟ ହତ୍ୟାକାଣ୍ଡ ଲାଗି ପରଭେଜଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଦାବି କରିଥିଲେ । ଚଳିତ ମାସ ପ୍ରାରମ୍ଭରେ କୋର୍ଟ ଘଟଣାର ଶୁଶାଣି କରି ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଆଜି କୋର୍ଟ ଦଣ୍ଡବିଧାନ କରିଛନ୍ତି ।