କାଶୀପୁର, ୧୯।୯ କାଶୀପୁର ତହସିଲ କାର୍ଯ୍ୟାଳୟରେ ଆଜକୁ ପ୍ରାୟ ୬ ମାସ ହେଲା ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଛି। ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ଜାତିଗତ ସହିତ ଅନ୍ୟ ପ୍ରମାଣପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଖଣି ଖାଦନରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉ ଥିବାରୁ ଶାନ୍ତି ରକ୍ଷାରେ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ସହ ଜମିବାଡ଼ିର କିଣାବିକାରେ ଜମି ରେଜିଷ୍ଟ୍ରେସନ କାର୍ଯ୍ୟ ତୁଲାଇବାକୁ ପଡୁଛି । ଜଣେ ମାତ୍ର ତହସିଲଦାରଙ୍କୁ ଏସବୁ ଦାୟିତ୍ୱ ସମ୍ଭାଳିବାରେ ଅସୁବିଧା ହେଉଛି। ତହସିଲଦାରଙ୍କ କାର୍ଯ୍ୟ ବହୁଳ ଯୋଗୁ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି ପାରୁ ନାହାନ୍ତି । ଯାହା ଫଳରେ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ।
ପୂର୍ବରୁ ଏଠାରେ ଥିବା ଅତିରିକ୍ତ ତହସିଲଦାର ବରିଆଲ ମୁର୍ମୁ ଗତ ଅକ୍ଟୋବର ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ | କିନ୍ତୁ ଶ୍ରୀ ମୁର୍ମୁ ଏଠାରେ କିଛି ମାସ ରହିବା ପରେ ପଦୋନ୍ନତି ହେବାରୁ ଏହି ପଦବୀଟି ଖାଲି ପଡ଼ିଛି । ଅତିରିକ୍ତ ତହସିଲଦାର ପଦବୀ ସହ ଖାଲି ପଡ଼ିଥିବା ଅନ୍ୟ ପଦବୀ ପୂରଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉ ଥିଲେ ସୁଦ୍ଧା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହେଉଛି ।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।