ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହୋଇଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ପାଇଁ ୪୮ଲକ୍ଷ କୋଟି ଟଙ୍କାର ଏହି ବଜେଟ୍ ଉପସ୍ଥାପନ କରି ଇତିହାସ ରଚନା କରିଛନ୍ତି । କ୍ରମାଗତ ସାତଟି ବଜେଟ୍ ଉପସ୍ଥାପନ କରି ସେ ମୋରାରଜୀ ଦେଶାଇଙ୍କର କ୍ରମାଗତ ଛଅଟି ବଜେଟ୍ ଉପସ୍ଥାପନର କୀର୍ତ୍ତିମାନକୁ ଟପିଛନ୍ତି । ଏହା ପୂର୍ବରୁ ନିର୍ବାଚନ ଥିବାରୁ ଫେବ୍ରୁଆରୀ ମାସ ଏକ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯାଇଥିଲା ।
ସରଳ ଭାଷାରେ କହିଲେ, ବଜେଟ୍ ହେଉଛି ଗୋଟିଏ ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ । ସମୁଦାୟ ଆୟ ଏବଂ ସମୁଦାୟ ବ୍ୟୟକୁ ଯଦି ଗୋଟିଏ ଗୋଟିଏ ଟଙ୍କା ଧରାଯାଏ, ତାହେଲେ ସେ ଟଙ୍କା କେଉଁ ସ୍ରୋତରୁ ଆସିବ ଏବଂ କେଉଁ ବାବଦରେ ଖର୍ଚ୍ଚ ହେବ ତାହାର ବିବରଣୀ ହିଁ ବଜେଟ୍ । ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । କିନ୍ତୁ ଭାରତୀୟ ସମ୍ବିଧାନ ଧାରା-୧୧୪(୩) ଅନୁସାରେ, ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି ନାହିଁ । ତେଣୁ ପ୍ରତିବର୍ଷ ସଂସଦରେ ବଜେଟ୍ ଉପସ୍ଥାପନର ନିୟମ ରହିଛି । ଏହାର ସାମ୍ବିଧାନିକ ନାମ ‘ବାର୍ଷିକ ଆର୍ଥିକ ବିବରଣୀ' । ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର, ଅନୁଦାନ, ଋଣ ଏବଂ ସରକାରୀ ସମ୍ପତ୍ତି ବିକ୍ରିରୁ ଆସୁଥିବା ଅର୍ଥ ଇତ୍ୟାଦି ଆୟର ବିଭିନ୍ନ ସ୍ରୋତ ।
ବିକଶିତ ଭାରତ ପ୍ରତିଷ୍ଠା ଲକ୍ଷ୍ୟରେ ଏହି ବଜେଟରେ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ, କୃଷି ଓ ଗ୍ରାମାଞ୍ଚଳ ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ବ୍ୟୟ ବରାଦ ୨.୬୬ଲକ୍ଷ କୋଟି ଟଙ୍କା । କୃଷିକ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ବିଶ୍ୱ ତାପମାନ ବୃଦ୍ଧିକୁ ଆଖିଆଗରେ ରଖି ଜଳବାୟୁ ଅନୁକୂଳ ଚାଷ ଏବଂ ଉତ୍ପାଦକତା ବୃଦ୍ଧି ପାଇଁ କୃଷିକ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦିଆଯାଇଛି । ଦୁଇବର୍ଷରେ ପ୍ରାକୃତିକ ଚାଷ ପାଇଁ ଏକ କୋଟି ଚାଷୀ ସୃଷ୍ଟିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୦୯ ପ୍ରକାରର ଅଧିକ ଉତ୍ପାଦନକ୍ଷମ ଏବଂ ୩୨ ପ୍ରକାରର ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିପାରୁଥିବା ଫସଲ ଚାଷ ପାଇଁ ଉପଲବ୍ଧ ହେବ । ଫଳଚାଷକୁ ଅଧିକ ବ୍ୟାପକ ଏବଂ ଲାଭଦାୟକ କରିବା ପାଇଁ ସଂରକ୍ଷଣ, ପରିବହନ ଏବଂ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦିଆଯାଇ ଷ୍ଟାର୍ଟ ଅପ୍ ଏବଂ ସମବାୟ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯାଇଛି ।
ଅଧିକାଂଶ ଫସଲ ପାଇଁ କୃଷକ ଖର୍ଚ୍ଚ କରୁଥିବା ଅର୍ଥରାଶିର ପଚାଶ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ ଭରଣା କରିବା ପାଇଁ ସ୍ଥିର କରାଯାଇଛି । କୃଷକର ବିକାଶ ଏବଂ କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ପ୍ରଦାନ ପାଇଁ ସମବାୟ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଭାରତ ସବୁବେଳେ ରନ୍ଧନ ତୈଳ ପାଇଁ ବାହ୍ୟ ଦେଶ ଉପରେ ନିର୍ଭରଶୀଳ । ଏହାର ପ୍ରାୟ ୮୦ ଭାଗ ଆମଦାନୀ କରାଯାଇଥାଏ । ତୈଳ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ସୋରିଷ, ସୋୟାବିନ ବାଦାମ, ସୂର୍ଯ୍ୟମୁଖୀ ଓ ରାଶି ଫସଲକୁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି । ଚିଙ୍ଗୁଡ଼ି ଚାଷ ଓ ରପ୍ତାନି ପାଇଁ ବ୍ୟବସ୍ଥା ହୋଇଛି । ଦେଶର ଚାରିଶହ ଜିଲ୍ଲାରେ ଫସଲ ସର୍ବେକ୍ଷଣ କରାଯିବ । ଡିଜିଟାଲ ପବ୍ଲିକ ଭିତ୍ତିଭୂମି ବ୍ୟବସ୍ଥାରେ ସବୁ କୃଷକ ଏବଂ ସେମାନଙ୍କର ଚାଷଜମିକୁ ଅନ୍ତର୍ଭୁକ୍ତ କରାଯିବ । କୃଷିକ୍ଷେତ୍ର ପାଇଁ ୧.୫୨ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ନେଇ କୃଷକକୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ କରାଯାଇଛି ।
ବଜେଟ୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭୂସଂସ୍କାର ପ୍ରସ୍ତାବ । ଯେଉଁ ରାଜ୍ୟମାନେ ଆସନ୍ତା ତିନିବର୍ଷରେ ଏହି ସଂସ୍କାର କରିବେ ସେମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଏହାଫଳରେ ଜମିଜମା ରେକର୍ଡକୁ ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରାଯିବ । ଦେଶର ଭୂ-ବଜାରରେ ଜମି ପରିମାଣ ବୃଦ୍ଧି ପାଇବ । ଏକ ୟୁନିକ୍ ଲ୍ୟାଣ୍ଡ୍ ଆଇଡେଣ୍ଟିଟିଫିକେସନ୍ ନମ୍ବର ଦିଆଯିବ । ଏହା ସହିତ ସମ୍ପତ୍ତିର ଜିଓଟାଗିଂ ହେବାର ପ୍ରସ୍ତାବ ରହିଛି । ଏହାଦ୍ୱାରା ଘର ବା ସମ୍ପତ୍ତିରୁ ହୋଲ୍ଡିଂ ଟ୍ୟାକ୍ସ ଠିକ୍ ଭାବରେ ସଂଗ୍ରହ କରାଯାଇ ପାରିବ, ଯାହା ବର୍ତ୍ତମାନ ସରକାର ବା ନଗରପାଳିକାମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ସରକାରୀ ଆୟ ବୃଦ୍ଧି ପାଇବ । ଦେଶରେ ବେକାରୀ ଚରମ ସ୍ତରରେ ପହଞ୍ଚିଛି । ତେଣୁ ଦୁଇଲକ୍ଷ କୋଟି ଟଙ୍କା ବ୍ୟୟରେ ପାଞ୍ଚବର୍ଷରେ ୪.୧ କୋଟି ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଦେବାର ଲକ୍ଷ୍ୟ ରଖାଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ ହୋଇଥିବା ସଂଗଠିତ କ୍ଷେତ୍ରର ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ପ୍ରଥମ ଥର ନିଯୁକ୍ତ ଚାକିରିଆ ପାଇଁ ସର୍ବାଧିକ ପନ୍ଦରହଜାର ଟଙ୍କା ଗୋଟିଏ ମାସର ଦରମା ପ୍ରୋତ୍ସାହନ ଆକାରରେ ତିନିଟି କିସ୍ତିରେ ଦିଆଯିବ । ୨୧୦ ଲକ୍ଷ ଯୁବକ ଏହି ସୁବିଧା ପାଇବେ ।
ସରକାର ଅନୁଭବ କରୁଛନ୍ତି ଯେ, ଘରୋଇ କମ୍ପାନୀ ସମସ୍ତ ପ୍ରକାର ସରକାରୀ ସୁଯୋଗ ନେଇ ବ୍ୟବସାୟ ବୃଦ୍ଧି କରି ପ୍ରଚୁର ଲାଭ ପାଉଥିଲେ ମଧ୍ୟ ନିଯୁକ୍ତି ସୃଷ୍ଟି କରୁନାହାଁନ୍ତି । ଆର୍ଥିକ ସର୍ବେକ୍ଷଣ ଅନୁସାରେ ବେସରକାରୀ କ୍ଷେତ୍ରର ଲାଭ ୪୦୦% ବଢ଼ିଥିବା ବେଳେ ନିଯୁକ୍ତି ମାତ୍ର ୩୩% ବଢ଼ିଛି । ନବଯୁଗୀୟ ଜ୍ଞାନକୌଶଳ ବ୍ୟବହାର ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି । ନିଯୁକ୍ତି ପ୍ରଦାନକାରୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସହାୟତା ଦିଆଯିବ । ସରକାର ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନରେ କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ର ବ୍ୟବସ୍ଥା ଏବଂ ମାସିକ ପାଞ୍ଚହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବେ । ଲୋକଙ୍କୁ ନିଯୁକ୍ତି ପାଇଁ ଯୋଗ୍ୟ କରିବା ପାଇଁ ୧.୪୮ଲକ୍ଷ କୋଟି ଟଙ୍କାର ଅଟକଳ, ଅର୍ଥାତ୍ ନିଯୁକ୍ତି ସୃଷ୍ଟି ପାଇଁ କମ୍ପାନୀମାନଙ୍କୁ ସବସିଡି ପ୍ରଦାନ । ଅନେକ ସର୍ତ୍ତ ସମ୍ବଳିତ ଏହି ଯୋଜନା ଉପରେ ସେମାନେ କେତେ ଗୁରୁତ୍ୱ ଦେବେ ଭବିଷ୍ୟତ କହିବ । ଦକ୍ଷତା ବିକାଶ ପାଇଁ ଏକହଜାର ଔଦ୍ୟୋଗିକ ତାଲିମ ସଂସ୍ଥାର ଉନ୍ନତିକରଣ କରାଯିବ । ପାଞ୍ଚବର୍ଷରେ କୋଡ଼ିଏ ଲକ୍ଷ ଯୁବକ ଯୁବତୀଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବ । ଏହାଛଡ଼ା ବିଦ୍ୟାଳୟ ସ୍ତରରୁ ନବଯୁଗୀୟ ଜ୍ଞାନକୌଶଳ ସହିତ ତାଳଦେଇ ଚାଲିବାକୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯିବ ।
ଦେଶରେ ଶିକ୍ଷିତ-ଅଶିକ୍ଷିତ, କୁଶଳୀ ବା ଅଣକୁଶଳୀ ବେକାର ଯୁବକଙ୍କ ପାଇଁ ନିଯୁକ୍ତିର ସବୁଠାରୁ ବଡ଼ ସୁଯୋଗ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍.ଏସ୍.ଏମ୍.ଇ) ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏବେ ଏହି କ୍ଷେତ୍ରର ସ୍ଥିତି ଭଲ ନାହିଁ । ୨୦୧୫ ମସିହାରୁ ୨୦୨୩ ମସିହା ଭିତରେ ଏମ୍.ଏସ୍.ଏମ୍.ଇ. ତିନିଟି ବଡ଼ ଧକ୍କା ଖାଇଛନ୍ତି- ୨୦୧୬ରେ ବିମୁଦ୍ରାୟନ, ୨୦୧୭ରେ ଜିଏସ୍ଟି ପ୍ରଚଳନ ଏବଂ ୨୦୨୦ରେ କରୋନା । ଏହା ଫଳରେ ପ୍ରାୟ ଷୋହଳ ଲକ୍ଷ ନିଯୁକ୍ତି ଯାଇଛି । ଏହି ଉଦ୍ୟୋଗର ଉତ୍ଥାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଯନ୍ତ୍ରପାତି କିଣିବା ପାଇଁ ମୁଦ୍ରା ଋଣ ସହାୟତା ରାଶିକୁ ଦଶ ଲକ୍ଷରୁ କୋଡ଼ିଏ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଶିଶୁ, ତରୁଣ ଓ କିଶୋର- ଏପରି ତିନିଟି ଋଣ ଉପଲବ୍ଧ । ବିନା ବନ୍ଧକରେ ୨୦ଲକ୍ଷ ଋଣ ନେଲେ ଉତ୍ପାଦ ବୃଦ୍ଧି ହେବା ସହ ନିଯୁକ୍ତି ମଧ୍ୟ ସୃଷ୍ଟିହେବ । ସେତେବେଳେ ନିଯୁକ୍ତି ଦେଉଥିବା ଉଦ୍ୟୋଗ ସରକାରଙ୍କ ଠାରୁ ପ୍ରୋତ୍ସାହନ ପାଇବେ । ତେଣୁ ଚାହିଦା ଓ ଯୋଗାଣ ଉଭୟ ପକ୍ଷରୁ ଏମ୍.ଏସ୍.ଏମ୍.ଇ.କୁ ଆର୍ଥିକ ଓ ପ୍ରାଦ୍ୟୋଗିକ ସ୍ତରରେ ଉଠେଇବାକୁ ଚେଷ୍ଟା କରାଯାଇଛି । ଆଧୁନିକ ଜ୍ଞାନକୌଶଳ ସହିତ ତାଳଦେଇ ଚାଲିବା ପାଇଁ ପ୍ରାଦ୍ୟୋଗିକ ସହାୟତା ଯୋଗାଇ ଦିଆଯିବ । ଏମ୍.ଏସ୍.ଏମ୍.ଇ. କ୍ଲଷ୍ଟର ଥିବା ଚବିଶ ସ୍ଥାନରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଶାଖା ଖୋଲି ଆର୍ଥିକ ସହାୟତା ଯୋଗାଇ ଦେବେ ।
ନିଯୁକ୍ତିର ଏକ ବଡ଼ ସୁଯୋଗ ଷ୍ଟାର୍ଟ ଅପ୍ ପକ୍ଷରୁ ଆସିଥାଏ । ମାତ୍ର ନିବେଶ ଅଭାବରୁ ବହୁ ଷ୍ଟାର୍ଟ ଅପ୍ ବନ୍ଦ ହୋଇଯାଇଛି । ବଜେଟରେ ଏଞ୍ଜେଲ ଟ୍ୟାକ୍ସର ଉଚ୍ଛେଦ ଫଳରେ ଉଭୟ ଭାରତୀୟ ଏବଂ ବିଦେଶୀ କମ୍ପାନୀ ଷ୍ଟାର୍ଟ ଅପ୍ ପାଇଁ ଅଧିକ ନିବେଶ କରିବେ । ଅଧିକ ନିଯୁକ୍ତି ସୃଷ୍ଟିହେବ । କୋଭିଡ-୧୯ ଏବଂ ଚାକିରିରେ ଅଭାବ ହେତୁ ୨୦୨୦ ଠାରୁ ମନରେଗାରେ ଶ୍ରମିକ ଆବେଦନ ସଂଖ୍ୟା ବଢ଼ିଛି । ଅର୍ଥାତ୍, ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ହେଉନି । ମନରେଗା ପାଇଁ ୮୬୦୦୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ୧୧.୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ସୃଷ୍ଟି ପାଇଁ ଖର୍ଚ୍ଚ (କାପେକ୍ସ) ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏହା ସହିତ ସହରାଞ୍ଚଳ ବିକାଶ, ଶକ୍ତି ଯୋଗାଣ, ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ ଇତ୍ୟାଦି ଉପରେ ଗୁରୁତ୍ୱ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି । ଏସବୁ ପଦକ୍ଷେପ କି ଫଳ ଦେଉଛି ତାହା ବରାଦ ଅର୍ଥର ସଠିକ ବ୍ୟୟ, ଯୋଜନାର ସଫଳ ରୂପାୟନ ଏବଂ ଜନସହଭାଗିତା ଉପରେ ନିର୍ଭର କରୁଛି ।