ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପ୍ରଚାରକୁ ବିଭ୍ରାନ୍ତ କରୁଛି ଏଆଇ: ନକଲି ଭିଡିଓରେ ପଦ୍ମ ଆଙ୍କୁଛନ୍ତି ନବୀନ, ଧର୍ମେନ୍ଦ୍ର କରୁଛନ୍ତି ଶଙ୍ଖ ଚିତ୍ର

ଭୁବନେଶ୍ୱର,୧୩/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ଚିହ୍ନ ପଦ୍ମ ଫୁଲ ଆଙ୍କୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାତରେ ଆଙ୍କୁଛନ୍ତି ଶଙ୍ଖ ।  ଏମିତି ଭିଡିଓ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଏମିତି ନକଲି ଭିଡିଓ କେମିତି ହେଲା? ଏହାକୁ କିଏ ପୋଷ୍ଟ କଲା ତା’ର ଚାଲିଛି ଖୋଳତାଡ଼ । କୃତ୍ରିମ ବୁଦ୍ଧିମତା (ଏଆଇ) ସହାୟତାରେ ଡିପଫେକ୍‌ ଜରିଆରେ ପ୍ରସ୍ତୁତ ଏମିତି ମିଛ ଭିଡିଓ ଘୂରି ବୁଲୁଛି । 

ଅପପ୍ରଚାରକୁ ଗୁରୁତ୍ୱ ଦେଇ ଏମିତି ଫେକ୍‌ ଭିଡିଓ ଭାଇରାଲ ହେଉଛି । ଲୋକଙ୍କୁ ବିଭ୍ରାନ୍ତ କରୁଛି । ଭୋଟ ଯେତିକି ପାଖେଇ ଆସୁଛି । ଏଭଳି ଫେକ୍‌ ଭିଡିଓର ସଂଖ୍ୟା ସୋସିଆଲ ମିଡିଆ ସାଇଟ୍‌ରେ ବଢ଼ି ଚାଲିଛି । ନିର୍ବାଚନ କମିଶନଙ୍କ ସହ ରାଜନୈତିକ ଦଳ ପାଇଁ ଏହା  ବଡ଼ ଚିନ୍ତାର କାରଣ ପାଲଟିଛି ।

ସେହିଭଳି ଭୋଟଭିକ୍ଷାରେ ଏଆଇକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଜନ ସମାବେଶରେ ହିନ୍ଦି ଭାଷଣର ଓଡ଼ିଆ ଅନୁବାଦ କରିବ ଏଆଇ । ଏହାକୁ ତୁରନ୍ତ ଡବିଂ କରି ଉପସ୍ଥିତ ଜନତାଙ୍କୁ ଶୁଣାଇବ ‘ଭାଷିଣୀ’ ଆପ୍‌ । ଏହା ଜରିଆରେ ମୋଦିଙ୍କ ଭାଷଣ ଭୋଟରଙ୍କୁ ଛୁଇଁବ । ‘ପଦ୍ମ’ ସପକ୍ଷରେ ପଡ଼ିବ ଭୋଟ । ଏମିତି ଆକଳନ କରିଛି ବିଜେପି ଆଇଟି ସେଲ୍‌ । ଅପପ୍ରଚାର ହେଉ ଅବା ପ୍ରଚାର ଚଳିତ ନିର୍ବାଚନରେ ଏଆଇ ତୁଲାଇବ ଗୁରୁତ୍ୱପୂର୍ଣ୍ଣ ଭୂମିକା । 

ଭୋଟ ଚବିଶରେ ଲଢ଼େଇ ହେବ ଆର୍‌ ପାର୍‌ । ହାଇଟେକ୍‌ ପ୍ରଚାରରେ ସାରା ଓଡ଼ିଶା କମ୍ପିବ । ଅଧିକ ସଂଖ୍ୟକ ଭୋଟରଙ୍କ ପାଖରେ ସୁବିଧାରେ ପହଞ୍ଚିବାକୁ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନେବେ ରାଜନୈତିକ ଦଳ । ରାଜ୍ୟରେ ଏଯାଏ ଭୋଟ ପ୍ରଚାର ଜମିନି । ମାତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଫେକ୍‌ ଭିଡିଓ ଭାଇରାଲ ଦର୍ଶାଉଛି, ଆଗକୁ ଏଆଇ ସହ ଭଏସ୍‌ କ୍ଳୋନିଂ କରି ଅଧିକ ସଂଖ୍ୟାରେ ନକଲି ଭିଡିଓ ଭାଇରାଲ ହେବ । ପ୍ରଚାର ବଦଳରେ ଅପପ୍ରଚାର ଭିଡିଓ ଭୋଟରଙ୍କୁ ବିଭ୍ରାନ୍ତ ସହ ପ୍ରଭାବିତ ମଧ୍ୟ କରିବ । ଯେ କୌଣସି ହାଇପ୍ରୋଫାଇଲ ନେତା ଓ ଷ୍ଟାର ପ୍ରଚାରକଙ୍କ ଚେହେରାକୁ ଡିପଫେକ୍‌ କୌଶଳରେ ବଦଳାଇ ନକଲି ଭିଡିଓ ହେବ ଭାଇରାଲ । ବିଜେଡି ସହ ବିେଜେପି ଓ କଂଗ୍ରେସ ମଧ୍ୟ ଏଥିରେ ଢେର ପ୍ରଭାବିତ ହେବ । କ୍ଷତି ସହିବ ।

ଏଭଳି ଭିଡିଓ ସଂପର୍କରେ ତୀକ୍ଷଣ ନଜର ରଖି ସ୍ପାମ୍‌ ରିପୋର୍ଟ କରିବାକୁ ତିନି ଦଳର ଆଇଟି ସେଲ୍‌ ସ୍ଥିର କରିଛି । ମାତ୍ର ଏଭଳି ଭିଡିଓ ସୋସିଆଲ ମିଡିଆ ସାଇଟରୁ ହଟିବା ପ୍ରକ୍ରିୟା ସମୟସାପେକ୍ଷ ଓ ଜଟିଳ ପ୍ରକ୍ରିୟା ବୋଲି ଆଇଟି ବିଶେଷଜ୍ଞ କହୁଛନ୍ତି । ଏଆଇ ବ୍ୟବହାର ହୋଇଥିବା ଏଭଳି ଭିଡିଓ ଯଦି କୌଣସି ସଂପ୍ରଦାୟ କିମ୍ବା ଧର୍ମୀୟ ଗୋଷ୍ଠୀକୁ ନେଇ ହୋଇଥାଏ ତାହାଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ମଧ୍ୟ ହେବାର ଆଶଙ୍କା ରହିଛି । ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ସାଇବର ସ୍କ୍ୱାଡ୍‌ ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହି ସ୍କ୍ୱାଡ୍‌ ମିଛ ଭିଡିଓ ପୋଷ୍ଟ କରୁଥିବା ବ୍ୟକ୍ତି ବିଶେଷ, ରାଜନୈତିକ ଦଳର ଆଇଟି ସେଲ୍‌ ଓ କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ଉପରେ ପୂରା ନଜର ରଖିବ ।

ବିଜେଡି, ବିଜେପି ଓ କଂଗ୍ରେସ ଡିଜିଟାଲ ପ୍ରଚାରକୁ ସର୍ବାଗ୍ରେ ରଖିଛନ୍ତି । ଭାଷା ସାଜିବନି ବାଧକ । ଭୋଟଭିକ୍ଷାରେ ପ୍ରତିବନ୍ଧକ ହେବନି ଭାଷା। ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ସମ୍ବୋଧିତ କରିବେ । ପଦ୍ମ ଚିହ୍ନ ପାଇଁ ମାଗିବେ ଭୋଟ । ମୋଦିଙ୍କ ଭାଷଣକୁ ଏଆଇ ତୁରନ୍ତ ଓଡ଼ିଆରେ ଅନୁବାଦ ସହ ‘ଭାଷିଣୀ’ ଜରିଆରେ ଡବିଂ କରି ଉପସ୍ଥିତ ଜନତାଙ୍କୁ ଶୁଣାଇବ । ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର କରିବାକୁ ମେଗା ପ୍ଲାନ କରିଛି ବିଜେପି । 

‘ଅବ୍‌ କି ବାର ୪୦୦ ପାର୍‌’ ସହ ‘ମୋଦି କି ଗ୍ୟାରେଣ୍ଟି’କୁ ଜନତା ଜନାର୍ଦ୍ଦନଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଏଆଇ କୌଶଳକୁ ବ୍ୟବହାର କରିବ । ପ୍ରଧାନମନ୍ତ୍ରୀ ହେଉଛି ବିଜେପିର ମୁଖ୍ୟ ଷ୍ଟାର ପ୍ରଚାରକ । ତାଙ୍କ ଭାଷଣ ହିଁ ଦଳ ସପକ୍ଷରେ ଭୋଟ ବର୍ଷା କରାଇବ । ଏମିତି ଆତ୍ମବିଶ୍ୱାସ ଦଳର ରହିଛି । ତେଣୁ ଏଆଇ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ହିନ୍ଦି ଭାଷଣର ରିୟଲ ଟାଇମ୍‌ ଅନୁବାଦ ଓ ଡବିଂ କେନ୍ଦ୍ରର ସଫଳତା ଓ ମୋଦି ଗ୍ୟାରେଣ୍ଟି ନେଇ ଭୋଟରଙ୍କ ମନ ଜିଣିବ । ଦଳକୁ ଭୋଟରେ ଆକାଶଛୁଆଁ ସଫଳତା ଦେବାରେ ଏଆଇ ବେଶ ସହାୟକ ହେବ ।

ଅନୁବାଦ ଓ ଡବିଂ ଯେତେ ସ୍ପଷ୍ଟ ଓ ସରଳ ହେବ ତାହା ଭୋଟରଙ୍କ ହୃଦୟକୁ ଛୁଇଁବ । ଏହାକୁ ଆହୁରି ବ୍ୟାପକ କରିବାକୁ ବିଜେପି ମୁଖ୍ୟାଳୟ ପକ୍ଷରୁ ଇତିମଧ୍ୟରେ ୪୫ ଜଣ ଆଇଟି ପ୍ରଫେସନାଲଙ୍କୁ ନିଯୁକ୍ତି ମିଳିଛି । ଦଳ ପକ୍ଷରୁ ଓଡ଼ିଶା ପାଇଁ ୨ଟି ଆଇଟି ଷ୍ଟାର୍ଟଅପକୁ ଏ ଦାୟିତ୍ୱ ଦିଆଯାଇଛି । ଯେଉଁ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ସମାବେଶ ହେବ ତା’କୁ ଦେଖି ସେହି ଅଞ୍ଚଳର ଶବ୍ଦକୁ ଏଆଇ ଅନୁବାଦରେ କିଭଳି ଅଧିକ ବ୍ୟବହାର କରିବ ତା’କୁ ଏ ଷ୍ଟାର୍ଟଅପ ତାଦରଖ କରିବେ । ଦଳ ଆକଳନ କରୁଛି ଯେ, ଏଆଇ ବ୍ୟବହାର ଦ୍ୱାରା ମୋଦିଙ୍କ ସଭାରେ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବେ । ଏହାଛଡ଼ା ଡବିଂ ଭାଷଣ ଆଞ୍ଚଳିକ ଓଡ଼ିଆ ଟେଲିଭିଜନ ଚାନେଲ, ଦୂରଦର୍ଶନ ସହ ରେଡିଓରେ ପ୍ରସାରିତ ହୋଇ ଦଳ ସପକ୍ଷରେ ମାହୋଲ ତିଆରି କରିବ । ୟୁଟ୍ୟୁବ୍‌, ଫେସବୁକ୍‌, ଏକ୍ସ ସହ ଇନଷ୍ଟାରେ ଏହି ଅନୁଦିତ ଓଡ଼ିଆ ଭାଷଣ ମଧ୍ୟ ଯୁବବର୍ଗଙ୍କ ଭୋଟ ଭିଡ଼ିବାରେ ସହାୟକ ହେବ ।

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.