ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଚିନ୍ତା ବଢ଼ାଇଛି ବୁଲା ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି, ସବୁ ଗାଈଙ୍କୁ ଦିଆଯିବ ‘ପୃଥକିକୃତ ଶୁକ୍ରାଣୁ’

କଟକ, ୦୩/୦୯ : ବିଗତ ଦୁଇ ଦଶନ୍ଧି ହେବ ଚାଷବାସରେ ଟ୍ରାକ୍ଟର ବ୍ୟବହାର ବଢ଼ିବା ଯୋଗୁଁ ଚାଷୀ ଆଉ ଅଣ୍ଡିରା ବାଛୁରୀକୁ ବଳଦ କରୁନାହାନ୍ତି । ଯାହାର ସିଧାସଳଖ ପ୍ରଭାବ ଏବେ ଷଣ୍ଢଙ୍କ ଅହେତୁକ ସଂଖ୍ୟା ବୃଦ୍ଧି ଉପରେ ପଡ଼ିଛି । ସ୍ଥିତି ଏଭଳି ହେଲାଣି ଯେ, ରାସ୍ତାଘାଟ ତ ଛାଡ଼, ବୁଲା ଷଣ୍ଢଙ୍କ ପାଇଁ ଜମିରେ ଫସଲ ବି ନଷ୍ଟ ହେଉଛି । ଏଭଳି ଅଭାବନୀୟ ସ୍ଥିତି ଓ ସମସ୍ୟାର ଦୀର୍ଘମିଆଦି ସମାଧାନ ପାଇଁ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ଉଦ୍ୟମ ଆରମ୍ଭ କରିଛି । ଅଣ୍ଡିରା ତୁଳନାରେ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇଁ ‘ପୃଥକିକୃତ ଶୁକ୍ରାଣୁ’ ରାଜ୍ୟ ତମାମ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଏବେ ଏଭଳି ଶୁକ୍ରାଣୁ କେତେକାଂଶରେ ଦିଆଯାଉଛି, ସଂପୂର୍ଣ୍ଣ ଭାବେ କେବଳ ଏଭଳି ଶୁକ୍ରାଣୁ ବ୍ୟବହାର ଦିଗରେ ବିଭାଗ କାର୍ଯ୍ୟ ଆରମ୍ଭ କରିଛି । 

ଗୋପାଳନ କରୁଥିବା ଚାଷୀ ବା ସାଧାରଣ ଘରେ ଗାଈ ରଖିଥିବା ଲୋକ ମାଈ ବାଛୁରୀ ଜନ୍ମ ହେଲେ ତାହାକୁ ଘରେ ରଖି ଦୁଗ୍ଧ ଚାଷକୁ ଆଗକୁ ବଢ଼ାଇଥାନ୍ତି । ମାତ୍ର ଅଣ୍ଡିରା ବାଛୁରୀ ଜନ୍ମ ହେଲେ ଡାକ୍ତରୀ ପଦ୍ଧତିରେ ତାକୁ ବଳଦ କରିଦିଆଯାଏ । ପରେ ଏହି ବଳଦ ବିଲରେ ଚାଷ କାମରେ ସହଯୋଗ କରେ । ଖୁବ୍‌ କମ୍‌ ସଂଖ୍ୟକ ଚାଷୀ ବା ଘରୋଇ ଲୋକ ମାନସିକ ଉଦ୍ଦେଶ୍ୟରେ ଅଣ୍ଡିରା ବାଛୁରୀକୁ ଷଣ୍ଢ କରି ଛାଡ଼ିଦିଅନ୍ତି । ପରେ ଏହି ଷଣ୍ଢ ଗୋ’ ବଂଶ ବଢ଼ାଇବାରେ ସହାୟକ ହୁଅନ୍ତି । ମାତ୍ର ପ୍ରାୟ ଦୁଇ ଦଶନ୍ଧି ହେବ ଜମିବାଡ଼ିରେ ଟ୍ରାକ୍ଟର ବ୍ୟବହାର ବହୁ ଗୁଣା ବଢ଼ିଛି । କମ୍‌ ଖର୍ଚ୍ଚ ଓ ସହଜ ଚାଷ ପାଇଁ ଚାଷୀ ଆଉ ବଳଦ ସାହାଯ୍ୟରେ ହଳଲଙ୍ଗଳ ଧରି ଚାଷ କରୁନାହାନ୍ତି, ମଇ ଦେଉନାହାନ୍ତି କି ବେଙ୍ଗଳା ପକାଉନାହାନ୍ତି । ଚାଷ କାମରେ ବା ଶଗଡ଼ରେ ବ୍ୟବହାର ହେଉନଥିବାରୁ ଲୋକେ ବଳଦ ପାଳିବାକୁ ଚାହୁଁନାହାନ୍ତି । କାରଣ ବଳଦ ପାଳିବା ମଧ୍ୟ ବ୍ୟୟବହୁଳ । ତେଣୁ ଗାଈ ଅଣ୍ଡିରା ବାଛୁରୀ ଜନ୍ମ ଦେବା ପରେ ଚାଷୀମାନେ ତାକୁ ଆଉ ଡାକ୍ତରୀ ପଦ୍ଧତିରେ ବଳଦ ନକରି କିଛି ଦିନ ପାଳନ କରି ଷଣ୍ଢ ଭାବେ ରାସ୍ତାକୁ ଛାଡ଼ି ଦେଉଛନ୍ତି । ଫଳରେ ୧୦ ବର୍ଷରୁ ଅଧିକ ସମୟ ହେବ ରାଜ୍ୟରେ ଷଣ୍ଢ ସଂଖ୍ୟା ବଢ଼ି ବଢ଼ି ଚାଲିଛି । 

୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨୦ ତମ ପ୍ରାଣୀ ସମ୍ପଦ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୯୯ ଲକ୍ଷ ୦୩ ହଜାର ୯୭୦ଟି ଗୋରୁ ଥିଲେ । ସେଥିରୁ ପ୍ରାୟ ୫୨ ପ୍ରତିଶତ ଅର୍ଥାତ୍‌ ୫୧ ଲକ୍ଷ ୫୦ ହଜାର ୬୪ଟି ଗାଈ ଓ ବାଛୁରୀ ଥିଲେ । ସେହିପରି ୪୮ ପ୍ରତିଶତ ଅର୍ଥାତ୍‌ ୪୭ ଲକ୍ଷ ୫୩ ହଜାର ୯୦୫ଟି ଅଣ୍ଡିରା ବାଛୁରୀ, ବଳଦ ଓ ଷଣ୍ଢ ଥିଲେ । ଏହି ସଂଖ୍ୟାରେ ଗତ ୫ ବର୍ଷରେ ବଡ଼ ପରିବର୍ତ୍ତନ ଆସିଛି । ପାଖାପାଖି ଜନ୍ମ ହେଉଥିବା ୫୦ ପ୍ରତିଶତ ଅଣ୍ଡିରା ବାଛୁରୀ ମଧ୍ୟରୁ ୯୫ରୁ ୯୭ ପ୍ରତିଶତ ବାଛୁରୀକୁ ଚାଷୀ ଓ ଘରୋଇ ଗୋପାଳକ ଷଣ୍ଢ ଭାବେ ଛାଡ଼ି ଦେଉଛନ୍ତି । ଯାହା ଚିନ୍ତାର ବିଷୟ ପାଲଟିଛି । ବୁଲା ଷଣ୍ଢଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ତାହା ପ୍ରାଣୀ ସଂପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ବଢ଼ାଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଷଣ୍ଢଙ୍କୁ ଗୋଶାଳାରେ ରଖି ପାଳିବା ମଧ୍ୟ ସରକାର କିମ୍ବା ବେସରକାରୀ ସଂସ୍ଥା ପାଇଁ ସମ୍ଭବ ହେଉନି । ତେଣୁ ପ୍ରାଣୀ ସଂପଦ ବିଭାଗ ଏବେ ଦୀର୍ଘମିଆଦି ଭାବେ ଅଣ୍ଡିରା ବାଛୁରୀ ସଂଖ୍ୟା କମାଇବାକୁ ଯୋଜନା କରିଛି । 

ଗତ ବର୍ଷେ ଦୁଇ ବର୍ଷ ହେବ ବିଭାଗ ପକ୍ଷରୁ ଗୋ ବଂଶ ବୃଦ୍ଧି ପାଇଁ ଅର୍ଥାତ୍‌ ଗାଈର ପିଲା ଜନ୍ମ ପାଇଁ କୃତ୍ରିମ ଉପାୟରେ ଦିଆଯାଉଥିବା ଶୁକ୍ରାଣୁରେ ପରିବର୍ତ୍ତନ ଅଣାଯାଇଛି । ପୁନେ ଓ ଗୁଜରାଟରେ ପ୍ରସ୍ତୁତ ହେଉଥିବା ସର୍ଟେଡ୍‌ ସିମେନ୍‌ ବା ‘ପୃଥକିକୃତ ଶୁକ୍ରାଣୁ’ ଅଣାଯାଇ ଗାଈଙ୍କୁ ଦିଆଯାଉଛି । ଏହି ଶୁକ୍ରାଣୁରେ ମାଈ ବାଛୁରୀ ଜନ୍ମ ହେବାର ୯୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି । ଅର୍ଥାତ୍‌ ପରୋକ୍ଷରେ ଷଣ୍ଢଙ୍କ ସଂଖ୍ୟା କମାଯିବାର ଉଦ୍ୟମ କରାଯାଉଛି । ଏବେ କେବଳ ଏହି ପ୍ରକାରର ଶୁକ୍ରାଣୁକୁ ହିଁ ରାଜ୍ୟ ତମାମ୍‌ ଗାଈଙ୍କୁ ଦେବା ପାଇଁ ବିଭାଗୀୟ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଣୀ ସଂପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ଅଶୋକ ତ୍ରିପାଠୀଙ୍କ ସୂଚନା ମୁତାବକ, ଆଗକୁ ଅଧିକ ପରିମାଣରେ ଶୁକ୍ରାଣୁ ବାହାରୁ ମଗାଇବା ଦିଗରେ କାମ କରାଯିବ । ସେହିପରି ରାଜ୍ୟରେ ରହିଥିବା କିଛି ହିମୀକୃତ ଶୁକ୍ରାଣୁ ବ୍ୟାଙ୍କରେ ଏଭଳି ପୃଥକୀକରଣ ବ୍ୟବସ୍ଥା ଆଗାମୀ ଦିନରେ କାର୍ଯ୍ୟକ୍ଷମ କରାଯାଇ ରାଜ୍ୟ ଭିତରେ ପୃଥକିକୃତ ଶୁକ୍ରାଣୁ ପ୍ରସ୍ତୁତ ପାଇଁ ଉଦ୍ୟମ ହେଉଛି । ଗୋବନ୍ଧ୍ୟା ନିରାକରଣ କାମ ମଧ୍ୟ ରାଜ୍ୟ ତମାମ କରାଯାଇ ଗୋପାଳନକୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି ଡା. ତ୍ରିପାଠୀ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.