ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ବର୍ଷ ହେଲା ତୁଟୁନି ଆପାର୍ଟମେଣ୍ଟ୍‌ ଅଡୁଆ: ଗଢ଼ା ହୋଇପାରୁନି ସୋସାଇଟି, ବିକ୍ରି-ଖର୍ଦି ହୋଇପାରୁନି ଫ୍ଲାଟ୍‌

କଟକ,୨୯/୦୩: ଦୁଇ ବର୍ଷ ତଳେ ଓଡ଼ିଶା ହାଇକୋର୍ଟ ରାଜ୍ୟରେ ଫ୍ଲାଟ୍‌ କିଣାବିକା ଉପରେ କଟକଣା ଜାରି କରିଥିଲେ । ଯେପର୍ଯ୍ୟନ୍ତ ଫ୍ଲାଟ୍‌ ଓନର୍‌ସିପ୍‌ ଆଇନ ଆସିନାହିଁ ସେପର୍ଯ୍ୟନ୍ତ ଫ୍ଲାଟ୍‌ କିଣାବିକା ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିବାକୁ ବସିଲାଣି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରଥମେ ଏ ସଂକ୍ରାନ୍ତ ଆଇନ ଏବଂ ପରେ ରୁଲ୍ସ ମଧ୍ୟ ଆଣିଲେ । ଏହା ସତ୍ତେ୍ୱ ଫ୍ଲାଟ୍‌ କିଣାବିକାକୁ ନେଇ ଲାଗି ରହିଥିବା ଅଡୁଆର ଏଯାଏ ତୁଟିଲା ନାହିଁ । 

ନୂଆ ଆଇନ ଅନୁଯାୟୀ ସୋସାଇଟି ଗଠନ ହୋଇପାରୁନଥିବାରୁ ଫ୍ଲାଟ୍‌ ବିକ୍ରି-ଖର୍ଦି ହୋଇପାରୁ ନାହିଁ । ଏହାଦ୍ୱାରା ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଛନ୍ତି । ୨୦୨୧-୨୨ ରୁ ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ରାଜ୍ୟ ସରକାରଙ୍କୁ ଫ୍ଲାଟ୍‌ କିଣାବିକାରୁ ଆସୁଥିବା ଷ୍ଟାମ୍ପ ଡିୁ୍ୟଟି ବାବଦରେ ପ୍ରାୟ ହଜାରେ କୋଟି ଟଙ୍କାର ରାଜସ୍ୱ ହରାଇଥିବା ଆକଳନ କରାଯାଉଛି । ଅନ୍ୟପକ୍ଷରେ ଆଇନ ଅନୁଯାୟୀ ଆପାର୍ଟମେଣ୍ଟ ଜମି ସୋସାଇଟି ନାମରେ କରାଯିବ, ଏବାବଦ ଷ୍ଟାମ୍ପ ଡ୍ୟୁଟି କିଏ ଦେବ ସେନେଇ ବିବାଦ ଦେଖାଦେଇଛି । ଗୋଟେ ଆପାର୍ଟମେଣ୍ଟ ଯଦି ବଡ଼ ବା ଅଧିକ ଜମିରେ  ହେଉଛି, ସେ ବାବଦରେ ଷ୍ଟାମ୍ପ ଡ୍ୟୁଟି କୋଟି କୋଟି ଟଙ୍କା ହେବ । ତାହେଲେ ଏହି ଷ୍ଟାମ୍ପ ଡ୍ୟୁଟି ବାବଦ ଅର୍ଥ କାହାଠାରୁ ଆଦାୟ କରାଯିବ ସେନେଇ ଆଇନରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ବିନା ଆଇନରେ ରାଜ୍ୟରେ ଫ୍ଲାଟ୍‌ କିଣାବିକା ହୋଇ ଆସୁଥିବାରୁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଆଇଜିଆର୍‌ଙ୍କୁ ଆଇନ ଅନୁଯାୟୀ ଆସୋସିଏସନ୍‌ ଅଫ୍‌ ଆଲଟିଜ୍‌ ଗଠନ ପରେ ଫ୍ଲାଟ୍‌ କିଣାବିକା କରାଯାଇପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ୨୦୨୨ ମେ’ ୧୨ରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲାବେଳେ ଏହା ପରଠାରୁ ଆଇଜିଆରଙ୍କ ପକ୍ଷରୁ ଫ୍ଲାଟ୍‌ କିଣାବିକାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା । ସେବେଠାରୁ ଆଉ ଫ୍ଲାଟ୍‌ କିଣାବିକା ହୋଇପାରୁ ନାହିଁ । ଦେଢ଼ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିବା ପରେ ୨୦୨୩ ସେପ୍ଟେମ୍ବରରେ ପ୍ରଥମେ ରାଜ୍ୟ ସରକାର ଆଇନ  ଆଣିଥିଲେ । କିନ୍ତୁ ଏହି ଆଇନ ଆସିଲା ପରେ ମଧ୍ୟ ରୁଲ୍ସ ଆସିବାକୁ ପୁଣି ପାଞ୍ଚମାସ ସମୟ ଲାଗି ଯାଇଥିଲା । ଚଳିତବର୍ଷ ଫେବ୍ରୁଆରୀ ୧୬ରେ ରାଜ୍ୟ ସରକାର ରୁଲ୍ସ ଆଣିଥିଲେ । ଏତେସବୁ ସତ୍ତେ୍ୱ ଆଜି ବି’ ରାଜ୍ୟରେ ଫ୍ଲାଟ୍‌ କିଣା-ବିକା ସମ୍ଭବ ହୋଇପାରୁ ନାହିଁ । 

ଏ ସଂକ୍ରାନ୍ତରେ ଆଇନଜୀବୀ ମୋହିତ୍‌ ଅଗ୍ରୱାଲ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ରୁଲ୍ସ ଆଣିଛନ୍ତି ସେହି ଅନୁସାରେ ଯେଭଳି ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନାହିଁ । ଏହି ଭିତ୍ତିଭୂମି ପ୍ରସ୍ତୁତ କାର୍ଯ୍ୟ କରିବା ହେଉଛି ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କର । କିନ୍ତୁ ଆଜି ପର୍ଯ୍ୟନ୍ତ ବିଡିଏ ଅବା ସିଡିଏ କିମ୍ବା ପିକେଡିଏ ସେମାନଙ୍କ ସ୍ତରରେ ଫ୍ଲାଟ୍‌ ବିକ୍ରି-ଖର୍ଦି ପାଇଁ କୌଣସି ପ୍ରକାର ଭିତ୍ତିଭୂମି ତିଆରି କରିନାହାନ୍ତି । ଫଳରେ ଫ୍ଲାଟ୍‌ ଓନର୍‌ସିପ୍‌ ଆସୋସିଏସନ୍‌ ଆଇନ ଅନୁଯାୟୀ ଗଠନ ହୋଇପାରୁ ନାହିଁ । ଯଦି ଏହି ଆସୋସିଏସନ୍‌ ଗଠନ ନହୁଏ ତାହେଲେ ଫ୍ଲାଟ୍‌ ମଧ୍ୟ ବିକ୍ରି-ଖର୍ଦି ହୋଇପାରିବ ନାହିଁ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି । ଅପରପକ୍ଷରେ ପ୍ରକଳ୍ପ ଜମିକୁ ଆସୋସିଏସନ୍‌ ନାମରେ ଟ୍ରାନ୍ସଫର କରାଯିବ ବୋଲି ନିୟମ ଅନୁଯାୟୀ ସ୍ଥିର ହୋଇଛି । କିନ୍ତୁ ସେ ବାବଦ ଷ୍ଟାମ୍ପ ଡ୍ୟୁଟି କିଏ ଜମା କରିବ ବୋଲି ସେ ନେଇ ଆଇନରେ କୌଣସି କଥା ସ୍ପଷ୍ଟ କରାଯାଇ ନାହିଁ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି । ଫଳରେ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.