ପ୍ରମୂଖ ଖବର

ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ତିଆରି କଲେ ରାମଲଲାଙ୍କ ଆଉ ଏକ ମୂର୍ତ୍ତି , ଦେଖି ବିମୋହିତ ହେଲେ ଲୋକେ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତିକୁ ତିଆରି କରିଛନ୍ତି ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ। ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ହୋଇଥିଲେ। ଅରୁଣ ଯୋଗୀରାଜଙ୍କ ଦ୍ୱାରା ତିଆରି କରାଯାଇ ଥିବା ରାମଲଲାଙ୍କ ମୂର୍ତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲା। ଏହା ଏତେ ସୁନ୍ଦର ଓ ମନମୋହକ ଯେ ମୂର୍ତ୍ତିକୁ ଦେଖି ଲୋକଙ୍କ ଆଖି ଝଲସି ଯାଇଥିଲା। ହୃଦୟ ଭକ୍ତିରେ ଗଦଗଦ୍‌ ହୋଇ ଯାଇଥିଲା। ଏବେ ଆଉ ଥରେ ଅରୁଣ ରାମ ଲଲାଙ୍କ ଆଉ ଏକ ମୂର୍ତ୍ତି ତିଆରି କରିଛନ୍ତି, ଯାହାର ଖୁବ୍‌ ପ୍ରଶଂସା ହେଉଛି। 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଅରୁଣ ଯୋଗୀରାଜ ରାମଲଲାଙ୍କ ନୂଆ ମୂର୍ତ୍ତିର ଫଟୋ ସେୟାର କରିଛନ୍ତି। ଏହି ମୂର୍ତ୍ତି ରାମ ମନ୍ଦିରରେ ସ୍ଥାପିତ ରାମଲଲାଙ୍କ ମୂର୍ତ୍ତି ଭଳି ହୋଇଛି, କିନ୍ତୁ ତା ଠାରୁ ବହୁତ ଛୋଟ। ଏକ୍ସରେ ଅରୁଣ ଯୋଗୀରାଜ ପୋଷ୍ଟ କରି ଲେଖିଛନ୍ତି – ରାମଲଲାଙ୍କ ମୁଖ୍ୟ ମୂର୍ତ୍ତିର ଚୟନ ପରେ ମୁଁ ଅଯୋଧ୍ୟା ନିଜର ବଳକା ସମୟରେ ଆଉ ଏକ ଛୋଟ ମୂର୍ତ୍ତି (ପଥର) ତିଆରି କରିଛି। ଯୋଗୀରାଜ ମୋଟ ୩ଟି ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ ଫଟୋରେ ସେ ରାମଲଲାଙ୍କ ମୂର୍ତ୍ତି ହାତରେ ଧରି ଠିଆ ହୋଇଛନ୍ତି , ଅନ୍ୟ ଦୁଇଟି ଫଟୋରେ ମଧ୍ୟ ରାମଲଲାଙ୍କ ମୂର୍ତ୍ତିର ଫଟୋ ରହିଛି। ରାମଲଲାଙ୍କ ଛୋଟ ମୂର୍ତ୍ତି ମଧ୍ୟ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ଲଗିଛି। 


ଯୋଗୀରାଜଙ୍କ ଉକ୍ତ ପୋଷ୍ଟଟି ଖୁବ୍‌ ଭାଇରାଲ ହେଉଛି। କିଛି ସମୟରେ ଏହା ୧୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ପାଖାପାଖି ୮୮ ହଜାର ଲୋକ ପୋଷ୍ଟକୁ ଦେଖି ସାରିଛନ୍ତି। ରାମଲଲାଙ୍କର ଏହି ଫଟୋକୁ ଲୋକେ ଖୁବ୍‌ ସୁନ୍ଦର କହୁଛନ୍ତି। 

କହି ରଖୁଛୁ କି, ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତିକୁ ତିଆରି କରିବାରେ ଅରୁଣ ଯୋଗୀରାଜଙ୍କୁ ମୋଟ ସାତ ମାସର ସମୟ ଲାଗିଥିଲା। ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟ ତାଙ୍କୁ ୪ଟି ଜିନିଷ କହିଥିଲେ। ଏଥିରେ ହସମୁଖ ଚେହେରା , ୫ବର୍ଷ ପିଲା ଭଳି ସ୍ୱରୂପ , ଯୁବରାଜ ଭଳି ଚେହେରା ଏବଂ ଦିବ୍ୟ ଦୃଷ୍ଟି ରହିଥିଲା । ଯୋଗୀରାଜ କହୁଥିଲେ ସେ ଯେତେବେଳେ ଏହି ମୂର୍ତ୍ତି ଗଢୁଥିଲେ ନିତି ଏକ ମାଙ୍କଡ଼ ସେଠାକୁ ଆସୁଥିଲା। ମୂର୍ତ୍ତିକୁ ଦେଖିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.