ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଅବକାରୀ ନୀତି କ’ଣ ? କାହିଁକି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି ?

ନୂଆଦିଲ୍ଲୀ, ୨୧/୦୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକାଧିକ ସମନ ସତ୍ତ୍ୱେ ହାଜର ନ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗିରଫ ହୋଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଗିରଫ ପୂର୍ବରୁ କେଜ୍ରିୱାଲ୍ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ସୁରକ୍ଷା ମାଗିଥିଲେ । ତେବେ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ ହାଇକୋର୍ଟ ।

ଦିଲ୍ଲୀ ମଦ ନୀତି କଣ ?

ଦିଲ୍ଲୀ ଅବକାରୀ ନୀତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୨ଟି ମାମଲା ରୁଜୁ କରିଛନ୍ତି । ଗୋଟିଏ ମାମଲା ସିବିଆଇ ରୁଜୁ କରିଥିବା ବେଳେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି । ୨୦୨୨ ଜୁଲାଇରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ରିପୋର୍ଟ ଦେଇଥିଲେ । ଅବକାରୀ ନୀତି ଆଇନରେ ଦୁର୍ନୀତିରେ ଗନ୍ଧ ବାରିଥିଲେ ।

ରିପୋର୍ଟରେ କୁହା ଯାଇଥିଲା, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ମନ୍ତ୍ରୀ ଭାବେ ତାଙ୍କ କ୍ଷମତା ବାହାରେ ‘ମନମୁଖୀ ଏବଂ ଏକପାଖିଆ ନିଷ୍ପତ୍ତି’ ନେଇଛନ୍ତି । ଯାହା ଦ୍ୱାରା ରାଜକୋଷକୁ ପ୍ରାୟ ୫୮୦ କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଥିବା ଅନୁମାନ କରାଯାଇ ଥିଲା ।

ଅଭିଯୋଗ ହୋଇଥିଲା, ଏଥିପାଇଁ ଆପ୍ ନେତା ଓ ଦିଲ୍ଲୀ ସରକାର ମଦ ବ୍ୟବସାୟୀ ଏବଂ ଅପରେଟରଙ୍କ ଠାରୁ ଲାଞ୍ଚ ନେଇ ଅନୁକମ୍ପା ଦେଇଛନ୍ତି । ଏପରିକି ଉକ୍ତ ଟଙ୍କାରେ ଆପ୍ ପଞ୍ଜାବ ଓ ଗୋଆ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା ।
ଏହି ରିପୋର୍ଟ ସିବିଆଇକୁ ଦିଆଯିବା ପରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ଏହା ପରେ ସୋସିଦିଆଙ୍କ ସହ ୧୪ ଜଣଙ୍କ ନାଁରେ ଏତଲା ଦେଇଥିଲା ସିବିଆଇ । ଯେଉଁଥିରେ ଆପର ଯୋଗାଯୋଗ ଇନଚାର୍ଜ ବିଜୟ ନାଏରଙ୍କ ନାଁ ରହିଥିଲା । ସେ ୨୯୨ କୋଟି ଟଙ୍କା ଘୋଟାଲା କରିଥିବା କୋର୍ଟରେ କହିଥିଲା ଇଡି ।

ଇଡି କହିଥିଲା, ୧୨ ପ୍ରତିଶତ ମାର୍ଜିନରେ ଦୁର୍ନୀତି ହୋଇଛି । ଏନେଇ ୨୦୨୧ ନଭେମ୍ବରରେ ପ୍ରଥମେ ଅଭିଯୋଗ ହୋଇଥିଲା । ଅବକାରୀ ନୀତି ଦ୍ୱାରା ଆପ୍ ପଛ ଦ୍ୱାରରେ ଲାଭାନ୍ୱିତ ହୋଇଥିବା ଇଡି କହିଥିଲା । ଏପରିକି ଦକ୍ଷିଣୀ ଗ୍ରୁପରୁ ଆପ୍ ନେତା ପ୍ରାୟ ୧୦୦ କୋଟି ଟଙ୍କା ପାଇଥିବା ଇଡି କହିଥିଲା ।

ନିକଟରେ ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ଦକ୍ଷିଣୀ ଗ୍ରୁପ୍ ଲିଙ୍କରେ ଗିରଫ କରିଥିଲା ଇଡି । କେ.କବିତାଙ୍କ ଗିରଫଦାରୀ ପରେ ପ୍ରଥମଥର ପାଇଁ ମାର୍ଚ୍ଚ ୧୮ରେ ଇଡି ଷଡ଼ଯନ୍ତ୍ରକାରୀ ଭାବେ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ଦର୍ଶାଇଥିଲା ।

ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ୯ଥର ସମନ ଜାରି କରିଥିଲା । ବାରମ୍ବାର ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଇଡି ସମନ ପରେ ଗୁରୁବାର କେଜ୍ରିୱାଲ୍ ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇ ଅନ୍ତରୀଣ ସୁରକ୍ଷା ମାଗିଥିଲେ । ତେବେ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇ ନଥିଲେ ହାଇକୋର୍ଟ । ଏହା ପରେ ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ଇଡି ଚଢ଼ାଉ କରିବା ସହ ଜେରା କରିଥିଲା । ୨ ଘଣ୍ଟାର ଜେରା ପରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.