ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

୨୦୫୦ ସୁଦ୍ଧା ଚାରିଗୁଣ ବୃଦ୍ଧି ହେବ ବିମାନ ଟର୍ବୁଲାନ, କିଛି ମାର୍ଗରେ ବିମାନ ଟର୍ବୁଲାନ୍ସ ବିପଦ ସର୍ବାଧିକ

ନୂଆଦିଲ୍ଲୀ, ୨୫।୫: ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଗତ ମଙ୍ଗଳବାର ସଂଘଟିତ ବିପଦପୂର୍ଣ୍ଣ ଟର୍ବୁଲାନ୍ସ ବିଶ୍ୱକୁ ଭୟଭୀତ କରିଦେଇଛି । ଘଟଣାରେ ୭୩ ବର୍ଷୀୟ ଜଣେ ବ୍ରିଟିଶ ନାଗରିକଙ୍କ ଜୀବନ ଯାଇଛି ଏବଂ ଅନେକ ଯାତ୍ରୀ ଗମ୍ଭୀର ଆହତ ହୋଇଛନ୍ତି । ଘଟଣାକୁ ନେଇ ଯାଞ୍ଚ୍‌ ଚାଲିଛି । କିନ୍ତୁ ଏହି ଘଟଣା ପୁଣି ଥରେ ବିମାନ ଟର୍ବୁଲାନ୍ସ ଚିନ୍ତା ବଢ଼ାଇଛି । ଅନେକ ବିମାନ ମାର୍ଗ ବିପଦପୂର୍ଣ୍ଣ ଜୋନ୍‌ରେ ରହିଛି, ଯେଉଁଠି ଏହି ଭୟ ରହିଥାଏ । ଏବେ ଜଳବାୟୁ ପରିବର୍ତ୍ତନ ବେଗ ବଢୁଥିବାରୁ ଏଭଳି ଘଟଣା ବଢ଼ିବାର ଆଶଙ୍କା କରାଯାଉଛି । ବିମାନ ଉଡ଼ାଣରେ ‘ଟର୍ବୁଲାନ୍ସ’ ଶବ୍ଦ ଉପଯୋଗ ହୁଏ । ଏହା ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁ ହେଉଥିବା ହଲ୍‌ଚଲ । 

ସରଳ ଭାଷାରେ କହିଲେ, ଯେଉଁ ବାୟୁ ବିମାନ ଉଡ଼ାଣରେ ସାହାଯ୍ୟ କରେ, ସେଥିରେ ବାଧା ଉତ୍ପନ୍ନ ହେବା । ଏହା ଯୋଗୁ ବିମାନକୁ କମ୍‌-ବେଶି ଧକ୍କା ଅନୁଭୂତ ହୁଏ । ଫଳରେ ତାହା ଖୁବ୍‌ ଜୋର୍‌ରେ ଉପର-ତଳ ହେବାକୁ ଲାଗେ । ବିମାନ ଭିତରେ ଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼େ । ସିଟ୍‌-ବେଲ୍ଟ ଲଗାଇବା ସତ୍ତେ୍ୱ ଧକ୍କା ଲାଗିବା ଭଳି ଅନୁଭୂତ ହୁଏ । ଟର୍ବୁଲାନ୍ସ ମୋଟାମୋଟି ୩ ପ୍ରକାର । ହାଲୁକା ସ୍ତରରେ ବିମାନ ପ୍ରାୟ ୧ ମିଟର ଉପର-ତଳ ହୁଏ । ଯାତ୍ରୀ ଏହାକୁ ସାଧାରଣତଃ ଅନୁଭବ କରିପାରନ୍ତି ନାହିଁ । ମଧ୍ୟମ ସ୍ତରରେ ବିମାନ ୩-୬ ମିଟର ପର୍ଯ୍ୟନ୍ତ ଉପର-ତଳ ହୋଇପାରେ, ଏହାକୁ ଯାତ୍ରୀ ସହଜରେ ଜାଣିପାରନ୍ତି । ଗମ୍ଭୀର ସ୍ଥିତିରେ ବିମାନ ଥରକେ ୩୦ ମିଟର ପର୍ଯ୍ୟନ୍ତ ଉପର-ତଳ ହୁଏ । ସିଟ୍‌-ବେଲ୍ଟ ନ ଲଗାଇଲେ ଦୁର୍ଘଟଣା ହୋଇପାରେ । ପ୍ରାୟ ପ୍ରତ୍ୟେକ ବିମାନରେ ଯେକୌଣସି ସ୍ତରର ଟର୍ବୁଲାନ୍ସ ହୋଇଥାଏ । 

ବିମାନ ଯଦି କୌଣସି ଅନ୍ୟ ବିମାନ ପଛରେ ଉଡ଼ାଣ ବା ଅବତରଣ କରୁଥାଏ, ତେବେ ପ୍ରଥମ ବିମାନର ଇଞ୍ଜିନ ଓ ୱିଙ୍ଗ୍‌ଟିପ୍ସରୁ ସୃଷ୍ଟ ବାୟୁ ପଛରେ ଥିବା ବିମାନର ସନ୍ତୁଳନ ବିଗାଡ଼ିପାରେ । ଅବତରଣ ବେଳେ ତୀବ୍ର ବାୟୁ ପ୍ରବାହ ଯୋଗୁ ଏହା ମଧ୍ୟ ଅନୁଭୂତ ହୁଏ । ଅନ୍ୟପକ୍ଷେ, ଆକାଶମାର୍ଗରେ ଝଡ଼-ବାତ୍ୟା ବା ପାଖରେ ଯାଉଥିବା ଅନ୍ୟ ବିମାନ ମଧ୍ୟ ଟର୍ବୁଲାନ୍ସର କାରଣ ହୋଇପାରେ । କ୍ଲିୟର-ଏୟାର ଟର୍ବୁଲାନ୍ସ ଅନ୍ୟତମ ଘଟଣା । ଏହାକୁ ଜାଣିବା ଖୁବ୍‌ ମୁସ୍କିଲ । ଉତ୍ତପ୍ତ ବାୟୁ ଶୀତଳ ବାୟୁ ଅଭିମୁଖେ ବଢ଼ିବା ଯୋଗୁ ଏହା ଘଟିଥାଏ । ଜଳବାୟୁ ପରିବର୍ତ୍ତନରେ ଏହି ଘଟଣା ଅନେକ ସମୟରେ ଦେଖାଯାଏ । ସୁରକ୍ଷିତ ବିମାନ ଯାତ୍ରା ପାଇଁ ଅନେକ ବିମାନସେବା ସଂସ୍ଥା ଟର୍ବୁଲାନ୍ସ ପ୍ୟାଟର୍ନକୁ ମାପନ୍ତି । ଏହାର ପ୍ରୟୋଗ ପ୍ଲାନ୍‌-ବି ପାଇଁ କରାଯାଏ । ଅର୍ଥାତ୍‌ ଯେଉଁ ମାର୍ଗରେ ଅସ୍ଥିରତା ଲକ୍ଷ୍ୟ କରାଯିବ, ତା’ର ବିକଳ୍ପ ମାର୍ଗ ଖୋଜିବା । ଏହା ସତ ଯେ ପାଣିପାଗ ସ୍ଥିତି ସହ ଟର୍ବୁଲାନ୍ସ ବଦଳେ, କିନ୍ତୁ ଏ ମାମଲାରେ କିଛି ମାର୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ବିଶ୍ୱାସ କରାଯାଉଛି । 

ଟର୍ବୁଲାନ୍ସ ମାମଲାଗୁଡ଼ିକୁ ଟ୍ରାକ୍‌ କରୁଥିବା ୱେବ୍‌ସାଇଟ୍‌ ଟର୍ବଲି ଅନୁସାରେ, ଚିଲୀର ସାଣ୍ଟିଆଗୋ ଓ ବୋଲିଭିୟାର ସାଣ୍ଟା କ୍ରୁଜ୍‌ ମଧ୍ୟରେ ସର୍ବାଧିକ ଟର୍ବୁଲାନ୍ସ ଅନୁଭୂତ ହୁଏ । ଏହା ପରେ ରହିଛି କଜାକିସ୍ତାନ ଓ କିର୍ଗିସ୍ତାନ୍ତ ମାର୍ଗ । ମିଲାନରୁ ଜେନେଭା ଓ ମିଲାନରୁ ଜ୍ୟୁରିଚ ମଧ୍ୟ ଏହି ତାଲିକାରେ ରହିଛି । ଜାପାନର ଘରୋଇ ମାର୍ଗ ବି ଏଥିରେ ସାମିଲ । ବିଶ୍ୱରେ ସର୍ବାଧିକ ଟର୍ବୁଲାନ୍ସ ବିମାନବନ୍ଦର ବି ଅଛି । ତନ୍ମଧ୍ୟରେ ସାଣ୍ଟିଆଗୋ, ନଟୋରୀ, ୱେଲିଙ୍ଗ୍‌ଟନ, ଓସାକା, ବିଶ୍‌କେକ, ଟୋକୋନାମ, ଟୋକିଓ ଓ କ୍ରାଇଷ୍ଟଚର୍ଚ୍ଚ ରହିଛି । ଜଳବାୟୁ ପରିବର୍ତ୍ତନ ସହିତ ବିଶ୍ୱ ତାପନ ବଢୁଛି । ବୈଜ୍ଞାନିକଙ୍କ ବିଶ୍ୱାସ, ଉତ୍ତାପ ବୃଦ୍ଧି ସାଙ୍ଗକୁ ଏୟାର ଟର୍ବୁଲାନ୍ସ ଘଟଣା ବଢ଼ିବା ସହିତ ସ୍ଥିତି ଅଧିକ ଗମ୍ଭୀର ହେବ । ବୈଜ୍ଞାନିକ ପତ୍ରିକା ଆଡ୍‌ଭାନ୍ସିଙ୍ଗ୍‌ ଆର୍ଥ୍‌ ଆଣ୍ଡ ସ୍ପେସ୍‌ ସାଇନ୍ସେସ୍‌ ୨୦୨୩, ଜୁନ୍‌ରେ ଏକ ଅଧ୍ୟୟନର ଫଳ ପ୍ରକାଶ କରିଥିଲା, ଯାହା ଏଥିପ୍ରତି ଇଙ୍ଗିତ କରିଛି । ରିଡିଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହିତ ହୋଇଥିବା ଅଧ୍ୟୟନ ଅନୁସାରେ, ବିଶ୍ୱ ତାପନ ଯୋଗୁ ବିଗତ ୪୦ ବର୍ଷରେ ଟର୍ବୁଲାନ୍ସ ଘଟଣା ବଢ଼ିଛି । 

ଅଧ୍ୟୟନ ଆହୁରି ସ୍ପଷ୍ଟ କରିଛି, ସର୍ବାଧିକ ଘଟଣା କ୍ଲିୟର-ଏୟାର ଟର୍ବୁଲାନ୍ସ (ସିଏଟି)ର ହେବ । ଏହା ବିଷୟରେ ପୂର୍ବରୁ କଳ୍ପନା ମଧ୍ୟ କରାଯାଇପାରେ ନାହିଁ । ଉତ୍ତପ୍ତ-ଶୀତଳ ବାୟୁ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ସ୍ଥିତି ଉପୁଜେ । ଫଳରେ ବିମାନ ସନ୍ତୁଳନ ହରାଏ । ବିଶ୍ୱ ତାପନ ଯୋଗୁ ଉତ୍ତପ୍ତ ବାୟୁ ପ୍ରବାହ ଘଟଣା ବୃଦ୍ଧିର ପ୍ରଭାବ ଏଠାରେ ଦେଖିବାକୁ ମିଳିବ । ଗବେଷକଙ୍କ ଅନୁସାରେ, ଅଧିକାଂଶ ସିଏଟି ମାମଲା ଆମେରିକା ଓ ଉତ୍ତର ଆଟ୍‌ଲାଣ୍ଟିକ୍‌ ସମେତ ସବୁଠୁ ଅଧିକ ଉଡ଼ାଣ ଭରୁଥିବା ଓ ଅବତରଣ କରୁଥିବା ମାର୍ଗରେ ଦେଖାଯାଉଛି । ବିଶେଷଜ୍ଞ ଦାବି କରିଛନ୍ତି, ୧୯୭୯ ମସିହା ତୁଳନାରେ ୨୦୨୦ ମସିହା ପର୍ଯ୍ୟନ୍ତ ଅନେକ ମାର୍ଗରେ ସିଏଟି ମାମଲା ୫୫ ପ୍ରତିଶତ ବଢ଼ିଛି । ଏହା ଗମ୍ଭୀର ଟର୍ବୁଲାନ୍ସ, ଯାହା ବିପଦପୂର୍ଣ୍ଣ । ୨୦୧୭ ମସିହାର ଅଧ୍ୟୟନ ଅନୁସାରେ, ୨୦୫୦ ମସିହା ସୁଦ୍ଧା (ସିଏଟି) ମାମଲା ବର୍ତ୍ତମାନ ତୁଳନାରେ ଚାରିଗୁଣ ବଢ଼ିଯିବ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.