ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ବଢ଼ି ଚାଲିଛି ବାର୍‌ଗାର୍ଲଙ୍କ ସନ୍ଦେହଜନକ ମୃତ୍ୟୁ: ୧୦ ମାସରେ ଗଲାଣି ୩ ଜୀବନ, ମୃତ୍ୟୁ ରହସ୍ୟ ଭେଦିବାରେ ପୁଲିସ ଫେଲ୍‌

ଭୁବନେଶ୍ୱର,୦୨/୦୬: ରାଜଧାନୀରେ ୧୦ ମାସରେ ୨ ବାର୍‌ଗାର୍ଲ ଓ ଜଣେ ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଲାଣି । ବାର କର୍ତ୍ତୃପକ୍ଷଙ୍କ ଅତ୍ୟାଚାର ହେଉ କିମ୍ବା ପ୍ରେମଜନିତ କଳହ ହିଁ ଡ୍ୟାନ୍ସରଙ୍କ ମୃତ୍ୟୁର କାରଣ ବୋଲି ସୁରାକ୍‌ ମିଳୁଛି । କିନ୍ତୁ କମିଶନରେଟ୍‌ ପୁଲିସ ସବୁ ଘଟଣାକୁ ଆତ୍ମହତ୍ୟା ଦର୍ଶାଇ ଚୁପ୍‌ ବସି ପଡୁଛି । ବାର୍‌ କର୍ତ୍ତୃପକ୍ଷ, ସହକର୍ମୀ ଓ ପରିବାର ଲୋକଙ୍କୁ ପଚରାଉଚରା କରି କାମ ତୁଟାଇ ଦେଉଛି। ଯେଉଁଥିପାଇଁ ଏମାନଙ୍କ ମୃତ୍ୟୁ ପଛର ରହସ୍ୟ ଭେଦିବାରେ ପୁଲିସ ଫେଲ୍‌ ମାରିଛି । 

ଶୁକ୍ରବାର ଶିବଶକ୍ତି ନଗର ୫ ତାଲା ବିଲ୍ଡିଂରୁ ବାର୍‌ଗର୍ଲ ଚାରୁ ମାଲହୋତ୍ରାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପାହାଳ ଥାନା ପୁଲିସର ହସ୍ତଗତ ହୋଇଥିବା ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ସୂଚାଉଛି ଯେ ତାଙ୍କର ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଛି । ବେକରେ ଲିଗାଚର ମାର୍କ ଛଡ଼ା ଅନ୍ୟ ଅଙ୍ଗରେ କ୍ଷତ ଚିହ୍ନ ନାହିଁ । ମୃତ୍ୟୁଟି ଆତ୍ମହତ୍ୟାଜନିତ ବୋଲି ପୁଲିସ ଅନୁମାନ କରୁଛି । ପୁଲିସ ୧୭/୨୦୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି । 

ଚାରୁଙ୍କ ଆତ୍ମହତ୍ୟା କାରଣ ଖୋଜିବା ଚକ୍କରରେ ପୁଲିସ ଶନିବାର ଶିବଶକ୍ତି ନଗର ୫ ତାଲା ବିଲ୍ଡିଂରେ ରହୁଥିବା ଅନ୍ୟ ଅନ୍ତେବାସୀ ତଥା ବାର୍‌ଗାର୍ଲମାନଙ୍କୁ ପଚରାଉଚରା କରିଛି । ଏମିତିକି ଚାରୁ କାମ କରୁଥିବା ଲକ୍ଷ୍ମୀସାଗରସ୍ଥିତ ବାର୍‌ର କର୍ତ୍ତୃପକ୍ଷ ଓ ବିଲ୍ଡିଂର କେୟାର ଟେକରଙ୍କୁ ମଧ୍ୟ ପୁଲିସ ଜେରା କରିଛି । ସମସ୍ତଙ୍କ ଗୋଟିଏ ଉତ୍ତର ଯେ ଚାରୁ ମାନସିକସ୍ତରରେ ଆଦୌ ଦୁର୍ବଳ ନଥିଲେ । ତାଙ୍କ ହାବଭାବ ଓ ଚାଲିଚଳଣ ଠିକ୍‌ଠାକ୍‌ ଥିଲା । ଆତ୍ମହତ୍ୟା ପୂର୍ବଦିନ ରାତିରେ ସେ ହସହସ ମୁହଁରେ ରୁମ୍‌କୁ ଫେରିଥିଲେ । ତାଙ୍କ ରୁମ୍‌ରୁ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିନାହିଁ। 

ଚାରୁଙ୍କ ପରିବାର ଲୋକ ପଞ୍ଜାବ ଚଣ୍ଡିଗଡ଼ରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ସେମାନେ ବାର କର୍ତ୍ତୃପକ୍ଷ କିମ୍ବା ସହକର୍ମୀଙ୍କ ଉପରେ କୌଣସି ଅଭିଯୋଗ ଆଣିନାହାନ୍ତି । ଚାରୁଙ୍କ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ଅଜ୍ଞ ବୋଲି ସେମାନେ ସୂଚାଇଛନ୍ତି । ପରିବାର ଲୋକ କହିଛନ୍ତି, ଚାରୁ ବର୍ଷେ ତଳେ ଭୁବନେଶ୍ୱର ଆସିଥିଲେ । ଲକ୍ଷ୍ମୀସାଗରସ୍ଥିତ ଏକ ବାରରେ ନାଚୁଥିଲେ । ପୂର୍ବରୁ ଚଣ୍ଡିଗଡ଼ରେ ବାରଗାର୍ଲ ଭାବେ କାମ କରୁଥିଲେ । ତେବେ ଅଚାନକ ଗୋଟିଏ ରାତିରେ ଏମିତି କ’ଣ ଘଟିଲା ଯେ ଚାରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ? ଏନେଇ ପୁଲିସ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ । 

ସନ୍ଦେହଘେରରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ

ଗତବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ କଟକ ରୋଡସ୍ଥିତ ହୋଟେଲ ଦିପାଳୀ ଇଣ୍ଟରନ୍ୟାସନାଲରେ ଶୁଭଲକ୍ଷ୍ମୀ ଦାସଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଲକ୍ଷ୍ମୀସାଗର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ହୋଟେଲ ରେଜିଷ୍ଟାରରେ କର୍ତ୍ତୃପକ୍ଷଙ୍କ ଭୁଲ ତଥ୍ୟ, ପୁଲିସ ପହଞ୍ଚିବା ପୂର୍ବରୁ କବାଟକୁ ଭଙ୍ଗାଯିବାକୁ ନେଇ ହୋଟେଲ କର୍ତ୍ତୃପକ୍ଷଙ୍କ ଭୂମିକାରେ ସନ୍ଦେହ ଉପୁଜିଥିଲା । ପୁରୁଷବନ୍ଧୁ ସଞ୍ଜୟ ଓ ଅନିଲଙ୍କ ସହ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମଧ୍ୟ ସାମ୍ନାକୁ ଆସିଥିଲା । ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପଛର କାରଣ ଖୋଜିବାରେ ପୁଲିସ ଫେଲ୍‌ ମାରିଛି । ମାମଲାରେ ପୁରୁଷବନ୍ଧୁ, ହୋଟେଲ କର୍ତ୍ତୃପକ୍ଷଙ୍କୁ ଥାନାକୁ ଡାକି ଜେରା କରି କାମ ତୁଟାଇଦେଇଛି ପୁଲିସ । 

ସୁଲୋଚନାଙ୍କ ମୃତ୍ୟୁ ରହସ୍ୟ ଫିଟିଲାନି

ଗତମାସରେ ବଡ଼ଗଡ଼ ଥାନା ଅଧୀନ ପଦାସାହିର ଏକ ଭଡ଼ାଘରୁ ସୁଲୋଚନା ଦାସ ନାମ୍ନୀ ଡ୍ୟାନ୍ସରଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁ ତଥା ଏକ ହୋଟେଲ ମାଲିକ ନିହାର ଗିରି ଭଡ଼ାଘରକୁ ଲଗାତାର ଯିବା ଆସିବା କରୁଥିବାରୁ ତାଙ୍କ ଭୂମିକା ଉପରେ ସନ୍ଦେହ ଉପୁଜିଥିଲା । ସୁଲୋଚନାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା । କିଛି ଦିନ ତଳେ ପୁରୁଷବନ୍ଧୁ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ହେଲେ ପୁଲିସ ମୃତ୍ୟୁ ପଛର ରହସ୍ୟ ଭେଦି ପାରିଲାନି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.