ଭୁବନେଶ୍ୱର, ୨୯/୦୫ : ୨ ବର୍ଷିଆ ବିଏଡ୍ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହେବ। ଏଥିସହ ବିଏଚ୍ଏଡ୍ ଓ ଏମ୍ଏଡ୍ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ। ଏଥିପାଇଁ ଶିକ୍ଷାର୍ଥୀମାନେ ଜୁନ୍ ୧୦ ତାରିଖ ମଧ୍ୟରେ ଅନ୍ଲାଇନରେ ଆବେଦନ କରିବେ । ଜୁନ୍ ୧୧ରେ ଆପ୍ଲିକେସନ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ଆବେଦକାରୀଙ୍କ ସମସ୍ତ ଆପ୍ଲିକେସନକୁ ଜୁନ୍ ୧୮ରେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍ଏସ୍ବି) ନିକଟରେ ଦାଖଲ କରାଯିବ । ଏସ୍ଏସ୍ବି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ । ଜୁଲାଇ ୧୫ରୁ ଏସ୍ଏସ୍ବି ୱେବ୍ସାଇଟ୍ www.ssbodisha.ac.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ । ଜୁଲାଇ ୨୪ରେ ବିଏଡ୍ ଓ ବିଏଚ୍ ଏଡ୍ର ପ୍ରବେଶିକା ପରୀକ୍ଷା କରାଯିବ ।
ଜୁଲାଇ ୨୫ରେ ଏମ୍ଏଡ୍ର ପ୍ରବେଶିକା ପରୀକ୍ଷା ହେବ । ଏସ୍ଏସ୍ବି ଦ୍ୱାରା ପ୍ରବେଶିକା ପରୀକ୍ଷାର ମୂଲ୍ୟାୟନ ପରେ ଏହାର ମାର୍କ ଓକାକ୍କୁ ଅପଲୋଡ୍ କରିବାକୁ ଦିଆଯିବ । ଆବେଦନକାରୀମାନେ ଜୁଲାଇ ୧୫ରୁ ୨୨ ମଧ୍ୟରେ ଯୋଗ୍ୟତା ପ୍ରମାଣପତ୍ର ଅନ୍ଲାଇନ୍ରେ ଦାଖଲ କରିବା ସହ ଇଛା ମୁତାବକ ଶିକ୍ଷାନୁଷ୍ଠାନକୁ ଚଏସ୍ ଲକିଂ କରିବେ । ଏନେଇ ସାମ୍ସ ୱେବ୍ସାଇଟ୍ www.samsodisha.gov. inରେ ସମସ୍ତ ସୂଚନା ରହିଛି ।
ସୂଚନାଯୋଗ୍ୟ, ଚଳିତ ଶିକ୍ଷା ବର୍ଷ (୨୦୨୪-୨୫) ପାଇଁ ୩୧ଟି ଶିକ୍ଷାନୁଷ୍ଠାନରେ ୨୭୫୦ଟି ସିଟ୍ରେ ନାମଲେଖା ହେବ । ଗତବର୍ଷ ମୋଟ୍ ୨୮ ଶିକ୍ଷାନୁଷ୍ଠାନରେ ୨ହଜାର ସିଟ୍ ଥିଲା । ଚଳିତ ବର୍ଷ ଏହା ୭୫୦ ସିଟ୍ ବୃଦ୍ଧି ପାଇଛି । ଚଳିତବର୍ଷ ବର୍ଷ ୨ଟି ଫେଜ୍ରେ ନାମଲେଖା ହେବ । ପ୍ରଥମ ଫେଜ୍ରେ ୪ଟି ରାଉଣ୍ଡରେ ନାମଲେଖା ପ୍ରକ୍ରିୟା କରାଯିବ । ନାମଲେଖା ଆବେଦନ ସମୟରେ ଆବାସିକ, ଆୟ ଓ ଜାତିଗତ ପ୍ରମାଣପତ୍ରର ଆବଶ୍ୟକ ।
ଚଳିତ ବର୍ଷରୁ ସାମ୍ସ ଦ୍ୱାରା ଉତ୍କଳ ବିଏଡ୍ ନାମଲେଖା
ଚଳିତବର୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ୨ବର୍ଷିଆ ବିଏଡ୍ ଓ ଏମ୍ଏଡ୍ ନାମଲେଖାକୁ ମଧ୍ୟ ସାମ୍ସ ପ୍ରକ୍ରିୟାରେ କରାଯିବ । କୋରାପୁଟ ଡିଏଭି କଲେଜ ଅଫ୍ ଟିଚର ଏଜୁକେସନରେ ୨ ବର୍ଷିଆ ବିଏଡ୍ କୋର୍ସ ୧୦୦ସିଟ୍ରେ କରାଯିବ । ସମ୍ବଲପୁରର ଡ. ପର୍ଶୁରାମ ମିଶ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍ ଇନ୍ ଏଜୁକେସନରେ ୨ ବର୍ଷିଆ ଏମ୍ଏଡ୍ କୋର୍ସ ୫୦ ସିଟ୍ ଓ ନବକୃଷ୍ଣ ଚୌଧୁରୀ କଲେଜ୍ ଅଫ୍ ଟିଚର ଏଜୁକେସନ, ଅନୁଗୁଳରେ ୨ ବର୍ଷିଆ ଏମ୍ଏଡ୍ ନାମଲେଖା ୫୦ ସିଟ୍ରେ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।