ଭୁବନେଶ୍ୱର, ୨୩/୦୯: ଭରତପୁର ଥାନାରେ ସେନା ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା ଦିନକୁ ଦିନ ଅଡୁଆ ସୂତାରେ ଗୁନ୍ଥି ହୋଇଚାଲିଛି। କିଏ ସତ କହୁଛି? ଆଉ କିଏ ମିଛ ଅଭିଯୋଗରେ ଅନ୍ୟକୁ ଫସାଉଛି? ଢ଼େର୍ ତନାଘନା ସତ୍ତେ୍ୱ କ୍ରାଇମ୍ବ୍ରାଞ୍ଚକୁ ଏନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନି । ଶେଷରେ ମିଛଧରା (ଲାଏ ଡିଟେକ୍ସନ/ପଲିଗ୍ରାଫ୍) ପରୀକ୍ଷାକୁ ଭରସା କରିଛି କ୍ରାଇମ୍ବ୍ରାଞ୍ଚ । ଏଥିରୁ ସତ୍ୟାସତ୍ୟ ଜଣାପଡିବ ବୋଲି ଆଶା କରିଛି ।
କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ପୂର୍ବରୁ କିଛି ସମ୍ବେଦନଶୀଳ ମାମଲାରେ ଏହି ପରୀକ୍ଷା ରିପୋର୍ଟରୁ ତଦନ୍ତକୁ ଦିଶା ମିଳିଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କୁ ଜେରା କରାଯାଇଥିଲା । କିନ୍ତୁ ସେମାନଙ୍କ ବୟାନରେ ତାଳମେଳ ରହୁନି । କିଏ ସତ କହୁଛି? ସ୍ପଷ୍ଟ ହେଉନି । ମେଜର ଓ ତାଙ୍କ ବାନ୍ଧବୀ ମଧ୍ୟ ଭିନ୍ନ କାହାଣୀ ବଖାଣୁଛନ୍ତି । ତେଣୁ ଆଗକୁ ମିଛ ଧରା ପରୀକ୍ଷା କରାଯାଇପାରେ ।
ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ସାଇବର କମ୍ପେ୍ଲକ୍ସରେ ପହଞ୍ଚିଥିଲେ । କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସଫିନ୍ ଅହମ୍ମଦଙ୍କ ସହ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଥିଲେ । ଅନ୍ୟପଟେ ତଦନ୍ତକାରୀ ଅଧିକାରୀ ଡିଏସ୍ପି ନରେନ୍ଦ୍ର ବେହେରା ରବିବାର ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି, କ୍ରାଇମ୍ବ୍ରାଞ୍ଚ କୌଣସି ଚାପରେ ନାହିଁ । ଅଭିଯୁକ୍ତମାନଙ୍କ କଲ୍ ଡିଟେଲ୍ ରେକର୍ଡ (ସିଡିଆର) ଯାଞ୍ଚ ଚାଲିଛି । ଅପେକ୍ଷା କରନ୍ତୁ । ଖୁବ୍ଶୀଘ୍ର ଏକ ବଡ଼ ଖବର ମିଳିବ ।
ପର୍ଯ୍ୟାୟକ୍ରମେ ସବୁ ତଥ୍ୟ ସାମ୍ନାକୁ ଆସିବ । କ୍ରାଇମ୍ବ୍ରାଞ୍ଚ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ କରିଛି । ନିଲମ୍ବିତ ଏସ୍ଆଇ ବୈଶାଳିନୀ ପଣ୍ଡାଙ୍କ ଅଭିଯୋଗକ୍ରମେ ୧୦/୨୪ରେ ରୁଜୁ ହୋଇଥିବା ମାମଲାରେ କ୍ୟାପଟେନ ଗୁରୁବଂଶ ସିଂ ଘୋଷାଲ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ଏକାଧିକ ସଙ୍ଗୀନ ଦଫା ଲାଗିଛି । ୧୨୬(୨) (ବେଆଇନ ଭାବେ ଅଟକ), ୧୧୫(୨) (ସ୍ୱେଚ୍ଛାରେ ଆଘାତ), ୨୯୬ (ଅଶ୍ଲୀଳ ଭାଷାରେ ଗାଳିଗୁଲଜ), ୩୨୪(୨) (ଅପକାର), ୧୧୮(୧)(ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର କରିବା), ୭୪(ମହିଳାଙ୍କୁ ଅସଦାଚରଣ), ୧୩୨ (କାର୍ଯ୍ୟରତ ପୁଲିସ ଉପରେ ଆକ୍ରମଣ), ୩୫୧(୩)(ଅପରାଧିକ ଭୟ ପ୍ରଦର୍ଶନ) ଭଳି ଦଫା ଲଗାଯାଇଛି ।
ସେହିପରି ୧୧/୨୪ରେ ଆଉ ଏକ ମାମଲା ରୁଜୁ ହୋଇଛି । ସେଥିରେ ଗିରଫ ୭ଜଣ ଅଭିଯୁକ୍ତଙ୍କ ସମେତ ଭରତପୁର ଥାନାର କିଛି ଅଧିକାରୀଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ସେମାନଙ୍କ ବିରୋଧରେ ବିଏନ୍ଏସ୍ ଦଫା ୧୨୬(୨)(ବେଆଇନ ଭାବେ ଅଟକ), ୧୨୭(୨)(ଭୁଲବଶତଃ ଜଣଙ୍କୁ ବନ୍ଦୀ କରିବା), ୧୧୫(୨) (ସ୍ୱେଚ୍ଛାରେ ଆଘାତ), ୭୪(ମହିଳାଙ୍କୁ ଅସଦାଚରଣ), ୧୯୮(କାର୍ଯ୍ୟରତ ପୁଲିସର ଆଇନ ଉଲଂଘନ), ୩୫୧(୩) (ଅପରାଧିକ ଭୟ ପ୍ରଦର୍ଶନ) ଲାଗିଛି ।
କ୍ରାଇମ୍ବ୍ରାଞ୍ଚ ଉଭୟ ମାମଲାରେ ଏଯାବତ୍ ମୋଟ ୧୨ଜଣଙ୍କୁ ଜେରା କରିସାରିଛି । ଭରତପୁର ଥାନାର ୩ ଅଧିକରୀଙ୍କ ସମେତ ଗଣ୍ଡଗୋଳରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କଠାରୁ ଘଟଣାଦିନର ସତ ଜାଣିବାକୁ ଚେଷ୍ଟା କରିଛି । ଗୁରୁବଂଶ ଓ ତାଙ୍କ ବାନ୍ଧବୀ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା ସାମ୍ନା କରିଛନ୍ତି । ଉଭୟେ କେତେ ସତ କହୁଛନ୍ତି? ସେନେଇ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ଉଭୟଙ୍କୁ ପଚରା ଉଚରା କରିଛି। ଅଭିଯୋଗକାରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କଠାରୁ ନିଆଯାଇଥିବା ବୟାନ ରେକର୍ଡର ତଥ୍ୟ ଏଡିଜି ଶ୍ରୀ ବୋଥ୍ରାଙ୍କୁ ହସ୍ତାନ୍ତର କରାଯାଇଛି ।
ତଦନ୍ତକାରୀ ଅଧିକାରୀ ଡିଏସ୍ପି ଶ୍ରୀ ବେହେରା ଭରତପୁର ଥାନା ଓ ଚନ୍ଦକା ରାସ୍ତାରେ ଘଟିଥିବା ଗଣ୍ଡଗୋଳ ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ଉଭୟ ସ୍ଥାନରୁ ଅଙ୍ଗୁଳିଛାପ ସହ ଅନ୍ୟାନ୍ୟ ପ୍ରମାଣର ନମୁନା ସଂଗ୍ରହ କରାଯାଇଛି । ଗୁରୁବଂଶଙ୍କ ମୋବାଇଲ୍ ଓ ଅନ୍ୟ ପ୍ରମାଣର ପରୀକ୍ଷା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ) କୁ ପଠାଯାଇଛି ।