ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରେ ହେବ ଭବ୍ୟ ସୀତା ମନ୍ଦିର, ୫୦ ଏକର ଜମି ଅଧିଗ୍ରହଣ କରିବେ ରାଜ୍ୟ ସରକାର

ବିହାର ୨୦/୦୩: ଚଳିତବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ପ୍ରଭୁ ରାମଲଲାଙ୍କର ପ୍ରାଣପ୍ରତିଷ୍ଠା ହୋଇଛି । ଅଯୋଧ୍ୟାର ରାମମନ୍ଦିର ଭଳି ବିହାରରେ ଏବେ ମା’ ସୀତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ସେଥିଲାଗି ପୂର୍ବରୁ ଥିବା ଏକ ପୁରୁଣା ମନ୍ଦିର ଚାରିପଟେ ୫୦ ଏକର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି ।  ଉତ୍ତର ବିହାରର ସୀତାମଢ଼ି ଜିଲ୍ଲାକୁ ମାତା ସୀତାଙ୍କର ଜନ୍ମସ୍ଥାନ ବୋଲି ମନେ କରାଯାଏ । ଏହା ମଧ୍ୟ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ ହୋଇଥିବା ରାମାୟଣ ସର୍କିଟ୍‌ର ଅଂଶବିଶେଷ । 

ଏ ସଂପର୍କରେ ରାଜ୍ୟର ପୂର୍ବତନ ଏମଏଲ୍‌ସି ଓ ବିଜେପି ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି, ଅଯୋଧ୍ୟାବାସୀଙ୍କ ଲାଗି ରାମଲଲା ଯାହା ସୀତାମଢ଼ିର ଲୋକଙ୍କ ଲାଗି ମାତା ସୀତା ସେଇୟା । ଅଯୋଧ୍ୟାର ରାମମନ୍ଦିରକୁ ଦର୍ଶନ କରିବା ଲାଗି ସାରା ବିଶ୍ୱର ଲୋକେ ଆସିବେ । ସେମାନେ ମା’ ସୀତାଙ୍କର ଜନ୍ମସ୍ଥାନକୁ ବି ଦେଖିବାକୁ ଚାହିଁବେ । ସୀତାମଢ଼ିରେ ମା’ ସୀତାଙ୍କର ଏକ ମନ୍ଦିର ରହିଛି ଯାହାକି ପ୍ରାୟ ୧୦୦ ବର୍ଷ ତଳେ ତିଆରି ହୋଇଥିଲା । ବର୍ତ୍ତମାନ ତାହା ଭଲସ୍ଥିତିରେ ନାହିଁ । ସେଥିଲାଗି ଆମେ ରାମମନ୍ଦିର ଭଳି ଏକ ବିଶାଳ ମନ୍ଦିର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛୁ ।

ପୂର୍ବରୁ ରାଜ୍ୟ ସରକାର ପୁରୁଣା ମନ୍ଦିର ଚାରିପାଖର ଉନ୍ନତିକରଣ ଲାଗି ୧୬.୬୩ ଏକର ଜମି ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ ଯେଉଁ ୫୦ ଏକର ଜମି ଅଧିଗ୍ରହଣ ହେବ ତାହା ତାକୁ ବାଦ୍‌ ଦେଇହେବ । ରାମମନ୍ଦିର ଭଳି ଏକ ଟ୍ରଷ୍ଟ ହାତରେ ମନ୍ଦିର ନିର୍ମାଣର ଦାୟିତ୍ୱ ରହିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଖ୍ୟ ସଚିବ ଏସ୍‌ ସିଦ୍ଧାର୍ଥ କହିଛନ୍ତି, ମା’ ସୀତାଙ୍କର ମନ୍ଦିର ଭବ୍ୟ ତିଆରି ହୋଇଗଲେ ସେଠାକୁ ବହୁତ ଶ୍ରଦ୍ଧାଳୁ ଆସିବେ । ଏଭଳିସ୍ଥିତିରେ ସେହି ସ୍ଥାନରେ ଭବିଷ୍ୟତରେ ବିକାଶମୂଳକ କାର୍ଯ୍ୟ କରିବାକୁ ଜମି ଅଧିଗ୍ରହଣ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.