ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଭୂକ୍ରାନ୍ତି: ଏକ ବିରାଟ ସମ୍ଭାବନାର ଅପମୃତ୍ୟୁ

ଭୁବନେଶ୍ୱର: ଆକିଲି ଗାଁର ମୁଖିଆ ଧରମୁ ନାୟକ ଉଠି ଠିଆ ହେଲେ । ବିନୋବାଙ୍କ ଆଗରେ ଘୋଷଣା କଲେ- ଆମେ ଆଜି ସକାଳେ ସଭା କରି ଠିକ୍‌ କଲୁ ଯେ, ଆମ ଗାଁର ସବୁଯାକ ଜମି ଭୂଦାନ ଯଜ୍ଞକୁ ଦାନ କରିଦେବୁ । ଯାହାର ଯେତିକି ଦରକାର ସେତିକି ନିଜ ଭିତରେ ବାଣ୍ଟିନେବୁ । ଏବେଠୁ ମିଳିମିଶି ଚଳିବୁ । ଗଞ୍ଜାମ ମାଳର ଆକିଲି ଗାଁ । ୫୨ ଘର । ସେଥିରୁ ୩୦ ଘର ହାତରେ ଅଳ୍ପ ବହୁତ ଜମି ଥିଲା । ଏବେ ଆଉ ସେ ଗାଁରେ କେହି ଭୂମିହୀନ ରହିଲେ ନାହିଁ । ବିନୋବାଜୀଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଥାଏ । ରୋମାଞ୍ଚିତ ବିନୋବା ଘୋଷଣା କଲେ- ଓଡ଼ିଶାରେ ଭୂକିକ୍ରାନ୍ତିର ମହାନଦୀ ବହିବ । ଏଥିରେ କୌଣସି ସନ୍ଦେହ ନାହିଁ । ବିନୋବାଜୀଙ୍କ ସେହି ପ୍ରଥମ ଓଡ଼ିଶା ପଦଯାତ୍ରାରେ ଅନୁବାଦକ ଓ ରିପୋର୍ଟର ରୂପେ ସାମିଲ ହୋଇଥିବା ବିଶିଷ୍ଟ ସର୍ବୋଦୟ ସେବକ ମନମୋହନ ଚୌଧୁରୀ ତାଙ୍କର ‘କ୍ରାନ୍ତିଯାତ୍ରା’ ପୁସ୍ତକରେ ଭୂଦାନ-ଗ୍ରାମଦାନ ଆନ୍ଦୋଳନ ଏଇ ଓଡ଼ିଶାରେ ମଧ୍ୟ କିପରି ଅଭୂତପୂର୍ବ ସଫଳତା ଲାଭ କରିଥିଲା ତାର କୌତୁହଳପ୍ରଦ ବର୍ଣ୍ଣନା ଦେଇଛନ୍ତି । 

ସାରା ଭାରତ, ଏପରିକି ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଏକଦା ଆଲୋଡ଼ନ ସୃଷ୍ଟି କରିଥିବା ପାଶ୍ଚାତ୍ୟ ଜଗତରେ ଲ୍ୟାଣ୍ଡ ଗ୍ରାଣ୍ଟ ମିଶନ ରୂପେ ପରିଚିତ, ସର୍ବୋଦୟ ଆନ୍ଦୋଳନର ଚମକପ୍ରଦ ସଫଳତା ବିଷୟ ପ୍ରସିଦ୍ଧ ଗବେଷକ ପରାଗ ଚୋଲକର ତିନି ଖଣ୍ଡରେ ପ୍ରକାଶିତ ତାଙ୍କର ‘ସବୈଂଭମି ଗୋପାଲ କୀ’ ପୁସ୍ତକରେ ପ୍ରକାଶ କରିଛନ୍ତି । ୨୦୧୦ ମସିହାରେ ପ୍ରକାଶିତ ଏହି ପୁସ୍ତକର ୩ୟ ଖଣ୍ଡରେ ଚୋଲକର ଦେଇଥିବା ହିସାବ ଅନୁଯାୟୀ, ସମଗ୍ର ଭାରତରେ ଭୂଦାନରେ ଦାନସୂତ୍ରରେ ମିଳିଥିବା ଜମିର ପରିମାଣ, ୪୭୬୩, ୬୭୬ ଏକର । ସେଥିରୁ ବିତରିତ ହୋଇସାରିଥିବା ଜମିର ପରିମାଣ ୨୪୪୪, ୨୨୨ ଏକର । ଗ୍ରାମଦାନ ସଂଖ୍ୟା ୩୯୩୨ । ଓଡ଼ିଶାରେ ମିଳିଥିଲା ୬୩୮, ୭୦୬ ଏକର ଜମି । ବିତରଣ ହୋଇଥିଲା ୫୭୯, ୯୮୪ ଏକର ଏବଂ ଗ୍ରାମଦାନ ସଂଖ୍ୟା ଥିଲା ୧୨୭୦ । ମନେରଖିବାକୁ ହେବ ଯେ, ଏ ଆନ୍ଦୋଳନ ବସ୍ତୁତଃ ୫୦ବର୍ଷ ହେଲା ବନ୍ଦ ହୋଇଯାଇଛି । ଭୂଦାନ ସଂଗ୍ରହ ଅଥବା ଗ୍ରାମଦାନ ସଂଗ୍ରହ ଆଉ ହେଇନାହିଁ । କେବଳ ସରକାରଙ୍କ ରାଜସ୍ୱ ବିଭାଗ ମାଧ୍ୟମରେ ଭୂଦାନରେ ମିଳିଥିବା ଜମି ଧୀର ମନ୍ଥର ଗତିରେ ବଣ୍ଟା ହୋଇଛି ।

କ’ଣ ଏ ଭୂଦାନ-ଗ୍ରାମଦାନ? କ’ଣ ଥିଲା ସେ ସର୍ବୋଦୟ ଆନ୍ଦୋଳନ? ଏ ଆନ୍ଦୋଳନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବେ ୧୯୫୧ ମସିହାରେ । ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଶିବରାମପଲ୍ଲୀ ଠାରେ ସର୍ବୋଦୟ ସମାଜର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହେଉଥାଏ । (ପ୍ରକାଶଥାଉକି, ବିଭିନ୍ନ ଗାନ୍ଧୀବାଦୀ ସଂସ୍ଥାମାନଙ୍କର ଏହି ସମ୍ମିଳିତ ସଂସ୍ଥାର ସେତେବେଳେ ସଂପାଦକ ଥାଆନ୍ତି ଶ୍ରୀ ଗୋପବନ୍ଧୁ ଚୌଧୁରୀ ।) ସେଥିରେ ଯୋଗଦେବା ପାଇଁ ଯାଇଥିବା ବିନୋବାଜୀ ବାଟରେ ପଡ଼ୁଥିବା ପୋଚମପଲ୍ଲୀ ନାମକ ଏକ ଗାଁରେ ସଭାଟିଏ କଲେ । ସେତେବେଳେ ତେଲେଙ୍ଗାନାରେ କମ୍ୟୁନିଷ୍ଟମାନଙ୍କର ସଶସ୍ତ୍ର ଭୂମି ଦଖଲ ସଂଗ୍ରାମ ଚାଲିଥାଏ । ନୂଆକରି ଗଢ଼ା ହୋଇଥିôବା କଂଗ୍ରେସ ସରକାର ଏହାକୁ ନିର୍ମମ ଭାବେ ଦମନ କରୁଥାଆନ୍ତି । କଥା କାହିଁକି ରକ୍ତାକ୍ତ ବିପ୍ଳବ ଯାଏଁ ଯିବ, କାହିଁକି ଗାଁର ଥିଲାବାଲା ଲୋକେ ଭୂମିହୀନ ପଡ଼ୋଶୀଙ୍କ ଦୁଃଖସୁଖରେ ଭାଗୀ ନହେବେ- ବିନୋବା ଏହି ମର୍ମରେ ଏକ ନାତିଦୀର୍ଘ ଭାଷଣ ଦେଲେ । ହଠାତ୍‌ ସେହି ଗାଁର ଜଣେ ଭୂସ୍ୱାମୀ ରାମଚନ୍ଦ୍ର ରେଡ୍‌ଡୀ ଉଠି ଠିଆ ହେଲେ । କହିଲେ- ମୁଁ ମୋ ଗାଁର ଭୂମିହୀନ ଭାଇଙ୍କ ପାଇଁ ୧୦୦ ଏକର ଜମି ଦାନ କରୁଛି । ସେ ବେଶ୍‌ ଉର୍ବର ୧୦୦ ଏକର ଜମି ଦାନ କଲେ ବୋଲି ସେଇଠି ହାତକାଟି ଲେଖିଦେଲେ । ବିନୋବା ଏଭଳି ସୁଫଳ ପାଇଁ ପ୍ରସ୍ତୁତ ନଥିଲେ । ଏହି ଭୂଦାନ କାର୍ଯ୍ୟ ତାଙ୍କର ଅବଶିଷ୍ଟ ଜୀବନର ବ୍ରତ ହେଲା । ଭୂଦାନ ଆନ୍ଦୋଳନର ନିଅଁ ପଡ଼ିଲା ଏପ୍ରିଲ ୧୮, ୧୯୫୧ ମସିହାରେ ସେହି ପୋଚମପଲ୍ଲୀ ଗାଁରେ ।

ସେ ସମୟରେ ଏକ ଦୁଆ ଉଠିଲା ଯେ, ବିନୋବା ଭାରତ ସରକାର ଓ ପୁଞ୍ଜିପତିଙ୍କ ଦଲାଲ । ମହାନ ତେଲେଙ୍ଗାନା ବିପ୍ଳବକୁ ଭଣ୍ଡୁର କରିବା ପାଇଁ ତାଙ୍କୁ ନିୟୋଜିତ କରାଯାଇଛି । ମାତ୍ର ବାସ୍ତବ ସତ୍ୟ ହେଲା, ବିନୋବା ସେଠାରେ ସେତେବେଳେ ଆଦୌ ଅବତୀର୍ଣ୍ଣ ନହୋଇଥିଲେ ମଧ୍ୟ ତେଲେଙ୍ଗାନାର ସେ ସଶସ୍ତ୍ର ଆନ୍ଦୋଳନ ଭୁଶୁଡ଼ିବାକୁ ଯାଉଥିଲା । ଉକ୍ତ ଆନ୍ଦୋଳନର ଅନ୍ୟତମ ଛାମୁଆ ନେତା ରାଜେଶ୍ୱର ରାଓ ପ୍ରଧାନମନ୍ତ୍ରୀ ନେହରୁଙ୍କ ସହିତ ଏକପ୍ରକାର ସାଲିସ୍‌ କରିସାରିଥିଲେ, ଯାହାଫଳରେ କି ଉକ୍ତ ଆନ୍ଦୋଳନରେ ଏକ ବିରାଟ ଫାଟ ସୃଷ୍ଟି ହୋଇସାରିଥିଲା । ରକ୍ତପାତ ହେତୁ ଆତଙ୍କିତ ଓ ଅବଶ ତେଲେଙ୍ଗାନାବାସୀ ବିନୋବାଙ୍କୁ ସ୍ୱାଗତ କଲେ । ତିନି ମାସ ପଦଯାତ୍ରା ଭିତରେ ତେଲେଙ୍ଗାନାରୁ ସଂଗୃହୀତ ହେଲା ୧୨,୨୦୦ ଏକର ଜମି ।

ସାରା ଭାରତ ଚମତ୍କୃତ ହେଲା ଅହିଂସାର ଏହି ଅଭୂତପୂର୍ବ ପରୀକ୍ଷାରେ । ତେବେ ବିନୋବା ଏହି ଭୂମିଦାନରେ ସନ୍ତୁଷ୍ଟ ରହିଲେ ନାହିଁ । ସମାଜ ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗାନ୍ଧିଜୀ ଗ୍ରାମ ସ୍ୱରାଜ୍ୟର ସ୍ୱପ୍ନ ଦେଖିଥିଲେ । ସ୍ୱାଧୀନ ଭାରତରେ ନିଜେ ଶାସନ କ୍ଷମତାକୁ ନଯାଇ ଗ୍ରାମ ସ୍ୱରାଜ୍ୟ ଅଭିଯାନର ନେତୃତ୍ୱ ନେବେ ବୋଲି ଘୋଷଣା କରିଥିଲେ । ତାଙ୍କର ସେହି ସ୍ୱପ୍ନକୁ ସାକାର କରିବାର ଆହ୍ୱାନ ଗ୍ରହଣ କଲେ ତାଙ୍କର ଆଧ୍ୟାତ୍ମିକ ଉତ୍ତରାଧିକାରୀ ରୂପେ ପରିଚିତ ବିନୋବା ଭାବେ । ଜନ୍ମ ନେଲା ଗ୍ରାମଦାନ ସଂପ୍ରତ୍ୟୟ । ଭୂଦାନ ଆନ୍ଦୋଳନ ଚାଲିବାର ଏକବର୍ଷ ପରେ ୨୩ ମେ, ୧୯୫୨ ମସିହାରେ ଉତ୍ତର ପ୍ରଦେଶର ମଙ୍ଗରୋଠ୍‌ ଗାଁ ଗ୍ରାମଦାନ ବୋଲି ଘୋଷିତ ହେଲା ।

ଗ୍ରାମଦାନର ଅର୍ଥ କଲେ ବିନୋବା ‘ଗ୍ରାମାୟ ଦାନମ୍‌’, ଅର୍ଥାତ୍‌- ଗ୍ରାମ ପାଇଁ ଗ୍ରାମବାସୀଙ୍କର ଦାନ । ଗ୍ରାମଦାନର ଚାରିଟି ନିୟମ ଥିଲା- ୧) ଗ୍ରାମଦାନରେ ଯୋଗ ଦେଉଥିବା ସମସ୍ତ ଭୂମିବାନ ଗ୍ରାମବାସୀ ତାଙ୍କ ଜମିର ଫସଲ ଘରକୁ ନେବେ । କିନ୍ତୁ ସେ ଜମିକୁ ଗ୍ରାମସଭାର ବିନା ଅନୁମତିରେ ବିକ୍ରି, ବନ୍ଧା ଅଥବା ଦାନ ସୂତ୍ରରେ ହସ୍ତାନ୍ତର କରିପାରିବେ ନାହିଁ । ୨) ଗାଁରେ ଥିବା ସମୁଦାୟ ଜମିର ଅନ୍ତତଃ କୋଡ଼ିଏ ଭାଗରୁ ଭାଗେ ଜମି ଉକ୍ତ ଗ୍ରାମର ଭୂମିହୀନଙ୍କୁ ବଣ୍ଟାଯିବ । ୩) ଗାଁର ସମସ୍ତ ସାବାଳକଙ୍କୁ ନେଇ ଏକ ଗ୍ରାମସଭା ଗଢ଼ାଯିବ । ଗାଁର ଯୋଜନା ଗ୍ରାମବାସୀ କରିବେ । ସରକାରୀ ପଞ୍ଚାୟତର କାର୍ଯ୍ୟକଳାପ ଉପରେ ଏହି ନିର୍ଦ୍ଦଳୀୟ ଗ୍ରାମସଭା କଡ଼ା ନଜର ରଖିବ । ୪) ପ୍ରତ୍ୟେକ ଗ୍ରାମବାସୀ ନିଜ ଆୟର କୋଡ଼ିଏ ଭାଗରୁ ଭାଗେ ଗ୍ରାମପାଣ୍ଠିକୁ ଦାନ କରିବେ । ଏହା ଗାଁର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ହେବ।

କୌଣସି ଗାଁର ଅନ୍ୟୁନ ୭୫% ଭୂମିମାଲିକ ଓ ସାବାଳକ ବ୍ୟକ୍ତି ଗ୍ରାମଦାନ କରିବା ପାଇଁ ସମ୍ମତି ପ୍ରଦାନ କଲେ ଏବଂ ମୋଟ୍‌ ଜମିର ଅନ୍ୟୁନ ୫୦% ଦାନ ମିଳିଲେ ସେ ଗାଁ ଗ୍ରାମଦାନୀ ଗାଁ ବୋଲି ଘୋଷିତ ହେବ । ଯାହା ପୂର୍ବରୁ କହିଛୁ, ଆଜିକୁ ୫୦ବର୍ଷ ତଳେ ଭାରତର ୩୯୩୨ ଖଣ୍ଡ ଗ୍ରାମ ଏବଂ ଓଡ଼ିଶାର ୧୨୭୦ ଖଣ୍ଡ ଗ୍ରାମ ଗ୍ରାମଦାନ ବୋଲି ଘୋଷିତ ହୋଇଥିଲା । ସେ ସମୟରେ ବିନୋବା ବିରୋଧୀମାନେ ଅଭିଯୋଗ କରୁଥଲେ ଯେ, କେବଳ ନିରକ୍ଷର ଆଦିବାସୀ ଦଳିତମାନେ ଗ୍ରାମଦାନ କରୁଥିଲେ । ପ୍ରକାଶଥାଉ କି, ଓଡ଼ିଶାର ପ୍ରଥମ ଗ୍ରାମଦାନୀ ଗାଁ ଥିଲା ଅବିଭକ୍ତ କଟକ ଜିଲ୍ଲା (ଏବେ ଯାଜପୁର ଜିଲ୍ଲା)ର ମାନପୁର ଗାଁ । ଏକ ଅତ୍ୟନ୍ତ ସଫଳ ଗ୍ରାମଦାନୀ ଗାଁ ଥିଲା ଢେଙ୍କାନାଳ ସହରରୁ ୧୪/୧୫ କିଲୋମିଟର ଦୂରରେ ଅବସ୍ଥିତ ସ୍ରୋତ ଗାଁ । ତାର ଅପୂର୍ବ ସଫଳତା କାହାଣୀ ସେହି ଆନ୍ଦୋଳନରେ ଭାଗ ନେଇଥିବା ସେଗାଇ ଜଣେ ପୂର୍ବତନ କର୍ମୀଙ୍କଠାରୁ କିଛି ବର୍ଷ ତଳେ ଶୁଣି ବିଶିଷ୍ଟ ସର୍ବୋଦୟ ସେବକ ବିଶ୍ୱଜିତ୍‌ ରାୟ ଏବଂ ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତ ବନ୍ଧୁ ପ୍ରଶାନ୍ତ ମିଶ୍ର ଭାବବିହ୍ୱଳ ହୋଇପଡ଼ିଥିଲେ । ଏକଦା ମାର୍କସବାଦୀ ଥିବା ଏବଂ ପରବର୍ତ୍ତୀ କାଳରେ ଭାରତରେ ସମାଜବାଦୀ ଆନ୍ଦୋଳନର ମଙ୍ଗ ଧରିଥିବା ଜୟପ୍ରକାଶ ନାରାୟଣ ବିନୋବାଙ୍କ ଗ୍ରାମଦାନ ଆନ୍ଦୋଳନର ସଫଳତା ଦେଖି ଏପରି ମନ୍ତ୍ରମୁଗ୍‌ଧ ହୋଇପଡ଼ିଥିଲେ ଯେ, ସେ ନିଜକୁ ସର୍ବୋଦୟ ଆନ୍ଦୋଳନ ପାଇଁ ଜଣେ ‘ଜୀବନ ଦାନୀ’ ବୋଲି ଘୋଷଣା କରିଥିଲେ । ପୂର୍ଣ୍ଣ ସମୟ ଦେଇ ଏହି ଆନ୍ଦୋଳନ ପାଇଁ ଜୀବନର ଶେଷ ମୁହୂର୍ତ୍ତ ଯାଏଁ କାମ କରିଥିଲେ । ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ, ବିନୋବାଙ୍କ ଆନ୍ଦୋଳନ ଦ୍ୱାରା ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର କ୍ରାନ୍ତିକାରୀ ସ୍ୱରୂପ ଆମ ଆଗରେ ସ୍ପଷ୍ଟ ହୋଇଗଲା । ଭୂଦାନ-ଗ୍ରାମଦାନ, ଖଦି-ଗ୍ରାମୋଦ୍ୟୋଗ ଏବଂ ଶାନ୍ତିସେନା- ଏହି ତିନିଟି ଉପସଂଗଠନର ସାମଗ୍ରିକ ରୂପ ସର୍ବୋଦୟ ଆନ୍ଦୋଳନ ରୂପେ ପରିଚିତ । ୧୯୫୭ ମସିହା ସେପ୍ଟେମ୍ବର ମାସରେ ମହୀଶୂରର ୟେଲୱାଲଠାରେ ଏକ ସର୍ବଦଳୀୟ ଗ୍ରାମଦାନ ପରିଷଦ ଗଢ଼ା ହୋଇଥିଲା । ଏଥିରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଦଳର ନେତୃବୃନ୍ଦ ଯୋଗଦେଇ ସର୍ବୋଦୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ଯେଉଁ କେତେକ ରାଜ୍ୟ ଭୂଦାନ-ଗ୍ରାମଦାନ ଆଇନ କାର୍ଯ୍ୟକାରୀ କରିଥିଲେ ତନ୍ମଧ୍ୟରୁ ନମ୍ବୁଦ୍ରୀପଦଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଚାଲିଥିବା କମ୍ୟୁନିଷ୍ଟ କେରଳ ରାଜ୍ୟ ଥିଲା ଅନ୍ୟତମ ।

କୁଆଡ଼େ ଗଲା ସେ ଭୂଦାନ-ଗ୍ରାମଦାନ ଆନ୍ଦୋଳନ? କବି ଏଲିୟଟ କହିଥିଲେ- ଏପ୍ରିଲ ଏକ ନିଷ୍ଠୁର ମାସ । ୧୯୫୧ ଏପ୍ରିଲ ୧୮ରେ ଆରମ୍ଭ ହୋଇଥିଲା ଭାରତରେ ଭୂକ୍ରାନ୍ତି ଆନ୍ଦୋଳନ । ୧୯୭୪ ଏପ୍ରିଲ ପ୍ରଥମ ସପ୍ତାହରେ ସର୍ବୋଦୟର ବସ୍ତୁତଃ ସୂର୍ଯ୍ୟାସ୍ତ ଆରମ୍ଭ ହୋଇଗଲା । ବିହାରର ସହର୍ସା ଠାରେ ବିନୋବାପନ୍ଥୀ ଏବଂ ଜୟପ୍ରକାଶପନ୍ଥୀ ଛାଡ୍‌ବାଡ୍‌ ହେଇଗଲେ । ତା’ ପରଠାରୁ ମୁମୂର୍ଷୁ ଅବସ୍ଥାରେ ରହିଛି ସର୍ବୋଦୟ ଆନ୍ଦୋଳନ, ଯେଉଁପରି ମୁମୂର୍ଷୁ ଅବସ୍ଥାରେ ରହିଛି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନର ଭାରତ । ସର୍ବୋଦୟ ଆନ୍ଦୋଳନର ଆଜି ଠିକ୍‌ ସେହି ଅବସ୍ଥା, ଯାହା ସାମ୍ୟବାଦୀ, ସମାଜବାଦୀ ଅଥବା ଅନ୍ୟାନ୍ୟ ମାନବବାଦୀ ଆନ୍ଦୋଳନର ଅବସ୍ଥା । ସର୍ବୋଦୟ ଆନ୍ଦୋଳନରେ ଏବେ ଗଭୀର ରାତ୍ରି । ମହାରାଷ୍ଟ୍ର, ରାଜସ୍ଥାନ ଇତ୍ୟାଦି ରାଜ୍ୟରେ ଗ୍ରାମଦାନ ଆନ୍ଦୋଳନକୁ ଜୀବନ୍ୟାସ ଦେବାପାଇଁ କିଛି ଗାନ୍ଧୀଜନ ଅଣ୍ଟା ଭିଡ଼ିଛନ୍ତି । କିଏ ଜାଣେ, ଆଗାମୀ ସୂର୍ଯ୍ୟୋଦୟର ଏହା ସୂଚନା ଦେଉଥାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.