ପ୍ରମୂଖ ଖବର

କାଉ, କୁମ୍ଭାଟୁଆ ଓ ହଳଦୀବସନ୍ତ କଥା

ଭୁବନେଶ୍ୱର: ସଦ୍ୟ ଅବସର ନେଇଥିବା ମୋର ବାଲ୍ୟବନ୍ଧୁ ଗତ  ରବିବାର ହଠାତ୍‌ ସକାଳେ ମୋ ପାଖରେ ପହଞ୍ଚିଲେ ।  ଦୁର୍ଘଟଣାଗସ୍ତ ହେବାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ  ତିନିମାସ ଧରି ବିଶ୍ରାମ ନେବାପାଇଁ ଆପାତତଃ ମୁଁ ବାଧ୍ୟ  ହୋଇଥିଲି । ସ୍ୱାସ୍ଥ୍ୟ ବିଷୟରେ କେତେ ମିନିଟ୍‌ କଥାବାର୍ତ୍ତା  ହେବାପରେ ବନ୍ଧୁ ମା ପାଖକୁ ଆସିବାରେ ବିଳମ୍ବ ହେବାର  କାରଣ କହିଲେ । ତେବେ ମୋର ବୁଝିବାରେ ଅସୁବିଧା  ନଥିଲା ଯେ କୋରାପୁଟ ପରି ଜାଗାରେ ଜଣେ ବରିଷ୍ଠ  ଅଧିକାରୀ ଅବସର ପରେ ବିଦାୟ ନେଇ ଭୁବନେଶ୍ୱର  ଫେରିବା ସମୟସାପେକ୍ଷ ହୋଇପାରେ । କଥା ଛଳରେ  ବନ୍ଧୁଙ୍କୁ ମୁଁ ପଚାରିଲି- ଆଉ ତୁମର ଶ୍ୱାସ ସମସ୍ୟା ନାହିଁ  ତ? ସେ କହିଲେ- ଭଗବାନଙ୍କ ଦୟାରୁ କେନ୍ଦୁଝରରୁ ସେ  ସଂଗ୍ରହ କରିଥିବା କୋଚିଳାଖାଇ ଶ୍ୱାସ ସମସ୍ୟାର ସ୍ଥାୟୀ  ସମାଧାନ କରିଛି । ଗତ ୧୫ବର୍ଷ ଧରି ଆଉ ସମସ୍ୟା  ନାହିଁ । ବନ୍ଧୁ ପୁଣି କହିଲେ- ତୁମେ ଯେମିତି ଭାବୁଛ  କୋଚିଳାଖାଇରୁ ଔଷଧ ପ୍ରସ୍ତୁତ କରିବା ସାମାନ୍ୟ କଥା  ନୁହେଁ । ମୋର ଧାରଣା ଥିଲା ବୋଧହୁଏ କୁକୁଡ଼ା ପରି  କୋଚିଳାଖାଇର ମାଂସ ଶ୍ୱାସ ରୋଗୀମାନେ ଖାଉଥିବେ!  ସେ ବାବଦରେ ବନ୍ଧୁଙ୍କୁ ପଚାରିବାରୁ ସେ ଯାହା କହିଲେ  ତାହା ଏମିତି । 

ଏକଦମ ବିରଳ ହୋଇସାରିଥିବା ଏବଂ ମୁଖ୍ୟତଃ  କୋଚିଳା ଫଳ ଉପରେ ନିର୍ଭର କରୁଥିବା ଏଇ ଚଢ଼େଇକୁ  ମାରିବା ପାଇଁ ବିଶେଷ ତୀର ବ୍ୟବହାର କରାଯାଏ, ଯାହା  କୋଚିଳାଖାଇ ଦେହରେ ବାଜିଲେ ତାକୁ କ୍ଷତାକ୍ତ/ରକ୍ତାକ୍ତ  କରେନାହିଁ ବରଂ ତୀର ମୁନରେ ଲାଗିଥିବା ଏକ ଓଜନଦାର  ଅଠା ପରି ପଦାର୍ଥରେ ପକ୍ଷୀ ଗଛଡାଳରୁ ଖସିପଡ଼େ ।  ବାସ୍‌, ତା’ପରେ ଆରମ୍ଭ ହୁଏ ଅସଲ ସାଧନା । କିଛି  ବିଶେଷ ଧରଣର ପ୍ରଶିକ୍ଷଣ ପାଇଥିବା ସ୍ଥାନୀୟ ଅଧିବାସୀ  ଅଧିକାଂଶ ଖୁବ୍‌ ଯତ୍ନର ସହିତ ଏକ ପ୍ରକୋଷ୍ଠରେ  କୋଚିଳାଖାଇକୁ ଔଷଧରେ ପରିଣତ କରିବାର ପ୍ରସ୍ତୁତି  ଆରମ୍ଭ କରିଦିଅନ୍ତି । ଔଷଧୀୟ ତେଲ ଗରମ ହୁଏ ଏବଂ  ସେ ପର୍ଯ୍ୟନ୍ତ ବଞ୍ଚିଥିବା ବିଚରା କୋଚିଳାଖାଇକୁ ସେଥିରେ  ପକେଇ ଦିଆଯାଏ । କୋଚିଳାଖାଇର ଥଣ୍ଟଠୁ ଲାଞ୍ଜ  ପର୍ଯ୍ୟନ୍ତ କ୍ରମେ ରାନ୍ଧିହୁଏ, ଏକ ପୂର୍ଣ୍ଣାବୟବ କୋଚିଳାଖାଇ  କେଇଦିନ ପରେ କଳାରଙ୍ଗର ଜେଲି ପରି ବହଳିଆ  ଅବଶେଷରେ ପରିଣତ ହେବା ପର୍ଯ୍ୟନ୍ତ । ସେଇ ଔଷଧ  ଶ୍ୱାସରୋଗୀଙ୍କୁ ଖାଇବାକୁ ପଡ଼େ । ବନ୍ଧୁଙ୍କୁ ପଚାରିଲି ଯେ,  କେନ୍ଦୁଝରରୁ କୋଚିଳାଖାଇ ଠାବ କରିବାରେ ସେ ସଫଳ  ହେଲେ କେମିତି? 

ବନ୍ଧୁ କହିଲେ- ଏହା ଅବଶ୍ୟ କିଛି  କଷ୍ଟକର ଥିଲା, ତେବେ ଆମ ପୋଲିସମାନଙ୍କ ପାଇଁ  କିଛି ଅସମ୍ଭବ ନୁହେଁ । ବନ୍ଧୁଙ୍କୁ କହିଲି, ତାଙ୍କ ପାଖରେ  ହୁଏତ ଖବର ନଥିବ ଯେ ଭାରତ ପରି ଦେଶରେ  ପ୍ରାକୃତିକ ଆବାସ ଜଙ୍ଗଲ, ଆର୍ଦ୍ରଭୂମି ଏବଂ ଜଳବାୟୁ  ପରିବର୍ତ୍ତନ ସହିତ ମଣିଷର ସମବେଦନା ଅଭାବରୁ ୫୦  ପ୍ରତିଶତରୁ ଅଧିକ ପକ୍ଷୀ ଲୋପ ପାଇବାକୁ ବସିଛନ୍ତି  ଏବଂ ପର୍ଯ୍ୟାବରଣବିତ୍‌ଙ୍କ ଆଶଙ୍କା ହେଉଛି, ଆଗକୁ ଏହି  ସମସ୍ୟା ଉତ୍କଟ ହେବ । ବିଶେଷ ଚିନ୍ତାର କାରଣ ହେଉଛି  ଯେ, ଭାରତରେ ମିଳୁଥିବା ବେଶ୍‌ କିଛି ପକ୍ଷୀ ସ୍ଥାନୀୟ,  ଅର୍ଥାତ୍‌ ସେମାନେ କେବଳ ଭାରତୀୟ ବା ନିର୍ଦ୍ଦିଷ୍ଟ କୌଣସି  ଦେଶ ବା ଅଞ୍ଚଳ/ ଉପମହାଦେଶରେ ଦେଖାଯାଆନ୍ତି ।  ଅନ୍ୟ ଅର୍ଥରେ, ଯଦି ଆମେ ଯୁଦ୍ଧକାଳୀନଭିତ୍ତିରେ ଏମାନଙ୍କ  ବିଲୋପକୁ ନରୋକୁ, ଗ୍ରେଟ ଇଣ୍ଡିଆନ ବଷ୍ଟର୍ଡ, ତେବେ  ପୃଥିବୀରେ ଏହି ବିରଳ ପକ୍ଷୀର ଅସ୍ତିତ୍ୱ ଲୋପ ପାଇବ ।  ବନ୍ଧୁ କହିଲେ- ମୁଁ ଦୁଃଖିତ ଯେ ମୋ ଚିକିତ୍ସା ପାଇଁ ଏକ  ବିରଳ ପକ୍ଷୀର ପ୍ରାଣଗଲା । 

ପ୍ରାବନ୍ଧିକ କହିଲା ସଦ୍ୟ ପ୍ରକାଶିତ ଏକ  ଗବେଷଣାତ୍ମକ ରିପୋର୍ଟ ଅନୁସାରେ ଭାରତରେ ଅଛନ୍ତି  ୧୩୧୭ ପ୍ରଜାତିର ପକ୍ଷୀ, ଯେଉଁମାନଙ୍କ ମଧ୍ୟରୁ ୯୪୨  ପ୍ରଜାତି ଉପରେ କିଛିଟା ଅଧ୍ୟୟନ ହୋଇଛି । ଏଣେ  ଶେଷ ୩୦ବର୍ଷରେ ଅନ୍ତତଃ ୯୮ ପ୍ରଜାତିର ପକ୍ଷୀଙ୍କ  ଭିତରୁ ୫୦ ପ୍ରତିଶତଙ୍କ କ୍ଷୟ ଖୁବ୍‌ ଦ୍ରୁତଗତିରେ  ଘଟିଚାଲିଛି । ଏଣେ ୧୦୬ ପ୍ରଜାତିଙ୍କ ସଂଖ୍ୟା ୨୫  ପ୍ରତିଶତ କମିଥିବାବେଳେ ମାତ୍ର ୧୯ ପ୍ରତିଶତ  ପ୍ରଜାତି ପକ୍ଷୀଙ୍କ ବଂଶବୃଦ୍ଧି ୨୫ ପ୍ରତିଶତରୁ ଅଧିକ  ହୋଇଛି । ଗବେଷକମାନେ ସ୍ପଷ୍ଟ କରିଦେଇଛନ୍ତି  ଯେ, ଭାରତରେ ଅରଣ୍ୟ, ଆର୍ନ୍ଦ୍ରଭୂମି, ଉଭୟ  ନଦୀ ଓ ସମୁଦ୍ର ତଟର ଦ୍ରୁତ ଅବକ୍ଷୟ ଉଭୟ  ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଅନିୟମିତ  ନିର୍ମାଣ ଚା, କଫି, ଶାଗୁଆନ ଚାଷ ପକ୍ଷୀମାନଙ୍କ  ବଂଶ ବୃଦ୍ଧିକୁ ହ୍ରାସ କରାଇଛି । ଏହା ବାଦ୍‌ ଗୁରୁତ୍ୱପୂର୍ଣ୍ଣ  ହେଉଛି ଗତ ୧୫ବର୍ଷ ଭିତରେ ଅସ୍ୱାଭାବିକ ତାପମାତ୍ରା  ବୃଦ୍ଧି, ଜଳବାୟୁ ପରିବର୍ତ୍ତନଜନିତ ପାଣିପାଗ ବିପର୍ଯ୍ୟୟ  ପକ୍ଷୀଙ୍କୁ ପ୍ରଭାବିତ କରୁଥିବା ଆଭ୍ୟାନ ଇନଫ୍ଲୁଏଞ୍ଜା ଏବଂ  ଆଲୋକ ପ୍ରଦୂଷଣ ପକ୍ଷୀମାନଙ୍କ ଜୀବନଚର୍ଯ୍ୟା କେବଳ  ବଦଳାଇ ନାହିଁ, ବରଂ ସେମାନଙ୍କ ପ୍ରଜନନ ପ୍ରକ୍ରିୟାକୁ  କ୍ଷତିଗ୍ରସ୍ତ କରିଛି । ୨୦୨୦ରେ ଏକ ଗବେଷଣା ଇଙ୍ଗିତ  କରିଛି ଆଗକୁ ପାରାତୁଆ, ପେଚା ଏବଂ ଶାଗୁଣାଙ୍କ ସଂଖ୍ୟା  ଆହୁରି କମିବ । 

ରିପୋର୍ଟରେ କୁହାଯାଇଛି, ବର୍ଷ ବର୍ଷ  ଧରି ପକ୍ଷୀମାନେ ଯେଉଁ ପ୍ରାକୃତିକ ଖାଦ୍ୟଶୃଙ୍ଖଳ ଉପରେ  ନିର୍ଭରଶୀଳ ଥିଲେ ପ୍ରାକୃତିକ ଆବାସ ଉପରେ ଆମର  ଧାରାବାହିକ ଆକ୍ରମଣ ଯୋଗୁଁ ପ୍ରଭାବିତ ହୋଇଛନ୍ତି ।  ଏଇଠି କହିରଖେ, ଲେସ ଫ୍ଲୋରିକାମ ପରି ବିରଳ  ପକ୍ଷୀର କ୍ଷୟ ଗୁଜରାଟ, ରାଜସ୍ତାନ ଓ ମହାରାଷ୍ଟ୍ରରେ  ଖୋଲା ବିଦ୍ୟୁତ ଲାଇନ ବୋଲି ଜଣାପଡ଼ିଥିବା ବେଳେ  ଉତ୍ତର-ପୂର୍ବ ଭାରତରେ ଅବ୍ୟବସ୍ଥିତ ପ୍ରଜନନ ଏବଂ  ଖାଦ୍ୟଶୃଙ୍ଖଳ ବୋଲି ଜଣାପଡିଛି । ସରୁ ବେକବାଲା  ଶାଗୁଣା ଯାହା ଗାଙ୍ଗେୟ ଉପତ୍ୟକା ହିମାଚଳ ପ୍ରଦେଶ,  ଓଡ଼ିଶା ଏବଂ ଆସାମରେ ବିଷାକ୍ତ ମୃତଦେହ ଖାଇବା  ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି । ମଣିପୁରରେ  ବୁଶ କୋଏଲ ବେଆଇନ ବେପାର ଏବଂ ତୃଣଭୂମିର  ବ୍ୟାପକ କ୍ଷୟ ଯୋଗୁଁ ଲୋପ ପାଇବାରେ ଲାଗିଥିବାବେଳେ  ରାଜସ୍ତାନ ଏବଂ ଗୁଜରାଟରେ ଗ୍ରେଟ ଇଣ୍ଡିଆନ ବଷ୍ଟାର୍ଡ  ପ୍ରାକୃତିକ ଆବାସସ୍ଥଳୀ ଏବଂ ଶିକାର ଯୋଗୁଁ ଲୋପ  ପାଇବାରେ ଲାଗିଛନ୍ତି । ସେହିପରି ଧଳା ପର ଥିବା ଉଡ଼  ଡଗ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରାକୃତିକ  ବାସସ୍ଥଳୀ ସଂକୋଚନ ଯୋଗୁଁ ଧ୍ୱଂସମୁଖରେ ଅଛନ୍ତି । ବନ୍ଧୁ  ପଚାରିଲେ- ଆଉ କୋଚିଳାଖାଇର ଖବର । 

ପ୍ରାବନ୍ଧିକ କହିଲା- ସୌଭାଗ୍ୟକୁ ଭାରତରେ  ମିଳନ୍ତି ୯ ପ୍ରକାର କୋଚିଲାଖାଇ । ସେଥିରୁ ମାଲାବାର  କୋଚିଳାଖାଇ ଯେଉଁମାନେ ପଶ୍ଚିମ ଘାଟରେ ଯଥେଷ୍ଟ  ଅଧିକ ମିଳୁଥିଲେ ୨୦୦୪-୨୦୧୮ ଭିତରେ ୫୬  ପ୍ରତିଶତ ବିଲୋପକୁ ଭେଟି ସାରିଛନ୍ତି । କଥା ହେଉଛି,  ଏହି ଚଢ଼େଇ ବର୍ଷ ବର୍ଷ ଧରି ସକଳ ବିପଦ ସତ୍ତେ୍ୱ ସେହି  ଗୋଟିଏ ବସା ବ୍ୟବହାର କରନ୍ତି, ଯାହା ଶିକାରୀମାନଙ୍କୁ  ସୁହାଏ । ଆଉ ଉତ୍ତର-ପୂର୍ବ ଭାରତର ଅରଣ୍ୟମାନଙ୍କରେ  ମାତ୍ର ୫ ପ୍ରତିଶତ କୋଚିଳାଖାଇମାନଙ୍କର ବଂଶ ବୃଦ୍ଧିପାଇଁ  ଅନୁକୂଳ ରହିଛି । ଜଣେ ପକ୍ଷୀ ବିଶେଷଜ୍ଞ କହିଛନ୍ତି, ଯଦି  ଆମ କୃଷିପାଇଁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ  ଉପରେ ନିୟନ୍ତ୍ରଣ ନଆସେ ତେବେ ସେଦିନ ଖୁବ୍‌  ଦୂର ନାହିଁ ଯେ ପକ୍ଷୀ ଲୋପ ସହିତ ମଣିଷର ବିଲୋପ  ପ୍ରକ୍ରିୟା ଯୋଡ଼ି ହୋଇଯିବ । 

ସେ ଏକଥା ମଧ୍ୟ କହିଛନ୍ତି,  ଆମର ଦୁର୍ଭାଗ୍ୟ ଯେ ପ୍ରାକୃତିକ ପରିବେଶରେ ରହୁଥିବା  ପକ୍ଷୀମାନଙ୍କ ସହିତ ଆମେ ତୁଟେଇ ସାରିଛୁ ବାସ ।  କିଛି ଲୋକ ସେମାନଙ୍କ ପ୍ରାତଃ ଭ୍ରମଣରେ ଅଳ୍ପ କିଛି  ଚଢ଼େଇଙ୍କ ସଂସ୍ପର୍ଶରେ ଆସୁଛନ୍ତି । ୨୦୨୨ରେ ସାଇଣ୍ଟିଫିକ  ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଦର୍ଶାଇଥିଲା ଯେ  ପକ୍ଷୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମାନସିକ  ଅବସାଦ, ଚାପ, ଉତ୍କଣ୍ଠାରୁ ଅନେକାଂଶରେ ମୁକ୍ତ ରୁହନ୍ତି ।  ଯଦି ପକ୍ଷୀଜଗତରେ ଏହି ଅବକ୍ଷୟ ଜାରିରହେ ତେବେ  ବୀଜ ବିସ୍ତାର, ପରାଗସଙ୍ଗମ ପରି ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ  ପ୍ରକ୍ରିୟା ପ୍ରଭାବିତ ହେବ (ଏହା ଆରମ୍ଭ ହୋଇଗଲାଣି) । 

ସେହିପରି ପ୍ରାକୃତିକ ଜୈବବ୍ୟବସ୍ଥା ଅକ୍ଷତ ରଖିବା  ପାଇଁ ଉପରକୁ ଅସୁନ୍ଦର ଦେଖାଯାଉଥିବା ଶାଗୁଣାର ଯେ  ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ସ୍ପଷ୍ଟ ହୋଇସାରିଛି ।  ସବୁ ଉପରକୁ ଦାଉ ସାଧୁଛି ଜଳବାୟୁ ପରିବର୍ତ୍ତନ । ୨୦୨୨  ଖରାଦିନରେ ଗୁଜରାଟର ହଜାର ହଜାର ପକ୍ଷୀ ଆକାଶରୁ  ଖସିଲେ ଯାହାର ମୁଖ୍ୟ କାରଣ ଥିଲା ଅତ୍ୟଧିକ ତାତି ।  ଉତ୍ତର ଭାରତର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଏହା  ଘଟିଥିଲା । ପାଠକମାନେ ଜାଣନ୍ତି ଯେ, ଶେଷ ୧୫୦ବର୍ଷ  ଭିତରେ ହାରାହାରି ତାପମାତ୍ରା ବୃଦ୍ଧି ୦.୮ ପ୍ରତିଶତ  ସେଲସିୟସ ରେକର୍ଡ ହୋଇଛି । ଭାରତକୁ ଆସନ୍ତି  ପ୍ରତିବର୍ଷ ପ୍ରାୟ ୩୭୦ ପ୍ରଜାତିର ପ୍ରବାସୀ ପକ୍ଷୀ ।  ଜଣାପଡିଛି ଯେଉଁ ବାଟଦେଇ ଏମାନେ ଆସନ୍ତି  ସ୍ୱୟଂ ସେ ଆକାଶ ପଥ ବି ସୁରକ୍ଷିତ ନୁହେଁ । ବନ୍ଧୁ  କହିଲେ, ତେବେ ଆମ ଦେଶରେ ପକ୍ଷୀଙ୍କ ସ୍ଥିତି  ଭଲ ନାହିଁ ଓ ପ୍ରାବନ୍ଧିକ କହିଲା ପକ୍ଷୀ ସଂରକ୍ଷଣ  ପାଇଁ କେବଳ ସରକାରୀ ସ୍ତରରେ ଉଦ୍ୟମ ଯଥେଷ୍ଟ  ହେବନାହିଁ । ଖୁସି ଖବର ହେଉଛି ଦିନକୁ ଦିନ  ପକ୍ଷୀପ୍ରେମୀମାନେ ସଂରକ୍ଷଣ ଉଦ୍ୟମକୁ ତ୍ୱରାନ୍ୱିତ  କରୁଛନ୍ତି । ଏହି ଶତାବ୍ଦୀ ଆରମ୍ଭରେ ଘରଚଟିଆ  ହାନି ଦେଶର କିଛି ଅଞ୍ଚଳରେ ୭୦ ପ୍ରତିଶତକୁ  ଛୁଇଁଥିଲା । କୁହାଗଲା କଂକ୍ରିଟର ପ୍ରାବଲ୍ୟ ଉଭୟ ସହର  ଓ ଗ୍ରାମାଞ୍ଚଳରେ ଘରଚଟିଆ ହାନିର କାରଣ । ଏବେ  "ଷ୍ଟେଟ ଅଫ ଇଣ୍ଡିଆ ବାର୍ଡ଼' ଦର୍ଶାଇଛି ଯେ ସଂରକ୍ଷଣ  ଉଦ୍ୟମ ଦିଲ୍ଲୀ ପରି କେତେକ ଅଞ୍ଚଳରେ ୭,୦୦,୦୦୦  ଘରଚଟିଆର ବସା ସନ୍ଧାନ ପାଇଛନ୍ତି ଏବଂ ଶେଷ ୨୫  ବର୍ଷ ଭିତରେ ଏମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧିପାଉଛି ।  

କିଛି ପ୍ରଜାତିର ପକ୍ଷୀ ଯେଉଁମାନେ ଅବଲୁପ୍ତ ବୋଲି  ଆମର ଧାରଣା ଥିଲା, ସେମାନଙ୍କୁ ଆବିଷ୍କାର କରାଯାଉଛି ।  ତେବେ ଏତିକି ଉଦ୍ୟମ ଯଥେଷ୍ଟ ହେବନାହିଁ ଯେଯାଏଁ  ଆପଣଙ୍କ ଘର ଅଗଣାରେ ଘରଚଟିଆ ବସା ନକରିଛି,  ସକାଳେ କୁମ୍ଭାଟୁଆର ଡାକ ଆପଣଙ୍କ ଅଗଣାରୁ ନଶୁଭୁଛି,  ଯେପର୍ଯ୍ୟନ୍ତ ପାରା ଘୁଁ ଘୁଁ ନକରିଛି ଓ ଅନ୍ତତଃ ସେଯାଏଁ  ଆପଣ ଜାଣିରଖିବା ଉଚିତ ଯେ ଆମ ବିପର୍ଯ୍ୟସ୍ତ  ଜୈବବ୍ୟବସ୍ଥା ରାସ୍ତା ଉପରକୁ ଉଠିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.