ନୂଆଦିଲ୍ଲୀ,୨୫/୦୩: ନଗଦ ସଙ୍କଟ ସାମ୍ନା କରୁଥିବା ଏଡୁଟେକ କମ୍ପାନି ବାଇଜୁସ ଏହାର ୨୯୨ ଟ୍ୟୁସନ ସେଣ୍ଟର ମଧ୍ୟରୁ ୩୦ଟିକୁ ବନ୍ଦ କରି ଦେଇଛି । ବାଇଜୁସର ମୂଳ କମ୍ପାନି ଥିଙ୍କ ଆଣ୍ଡ ଲର୍ଣ୍ଣ ପକ୍ଷରୁ ଏହି ସୂଚନା ମିଳିଛି । ଖର୍ଚ୍ଚ କାଟ କରିବା ଦିଗରେ କମ୍ପାନି ଏଭଳି ପଦକ୍ଷେପ ଗ୍ରହଣ କରିଛି । ୨୬୨ ଟ୍ୟୁସନ ସେଣ୍ଟର ହାଇବ୍ରିଡ ମଡେଲରେ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ଏହା ପୂର୍ବରୁ କମ୍ପାନି ଏହାର ମୁଖ୍ୟାଳୟ ଛାଡି ଅନ୍ୟ ସବୁ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା । ସେହିଭଳି କମ୍ପାନିର ସବୁ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି ।
ଏକ ବିବୃତ୍ତିରେ ବାଇଜୁସ କହିଛି, ଅନୁଷ୍ଠାନର ଶିକ୍ଷକଙ୍କ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀ ପ୍ରଦର୍ଶନକୁ ନେଇ ଗର୍ବିତ । ଗୁଣବତ୍ତା ସହ ଅଧିକାଂଶ ଟ୍ୟୁସନ ସେଣ୍ଟରକୁ ଲାଭଜନକ ସ୍ଥିତିକୁ ଆଣିବା ଲକ୍ଷ୍ୟ । ୨୬୨ ଟ୍ୟୁସନ ସେଣ୍ଟରକୁ ସଦ୍ୟତମ ଟେକ୍ନୋଲୋଜି ସହ ହାଇବ୍ରିଡ ମଡେଲରେ ପରିଚାଳିତ କରାଯିବ ।
ବାଇଜୁସ ନିବେଶକ ପ୍ରୋସସ ଏନ୍ବି, ପିକ୍ ଏଏକ୍ସବି ପାର୍ଟନର, ଜେନେରାଲ ଆଣ୍ଟଲାଣ୍ଟିକ ଏବଂ ସୋଫିନା ଏସ୍ଏ ବାଇଜୁସର ୧୬୫୫ କୋଟି ଉଠାଣ ନେଇ କମ୍ପାନିର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏହା ପୂର୍ବର ପାଣ୍ଠି ଉଠାଣ ଠାରୁ ୯୦% କମ୍ । ପୂର୍ବର ପାଣ୍ଠି ଉଠାଣ ୧.୮୨ ଲକ୍ଷ କୋଟି ଟଙ୍କାର ଭାଲ୍ୟୁଏସନ ଆଧାରରେ ହୋଇଥିଲା । ବାଇଜୁସ ନିବେଶକ ମାନେ କମ୍ପାନି ଉପରେ ୪୪୧୧ କୋଟି ଟଙ୍କାର ହେରଫେର ଅଭିଯୋଗ ଆଣି ୧୬୫୫ କୋଟିର ରାଇଟ୍ସ ଇସ୍ୟୁ ଉପରେ ରୋକ ଲଗାଇଥିଲେ । କର୍ମଚାରୀଙ୍କୁ ବେତନ ଦେବା ଲାଗି କମ୍ପାନୀ ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ନିଜ ଘର ବନ୍ଧା ରଖିଛନ୍ତି ।