ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିରକ୍ତ କରୁଛି ଫୋନ, ଭୋଟରଙ୍କୁ ମନାଇବାକୁ ସବୁଦଳରୁ ଆସୁଛି କଲ୍‌

ଭୁବନେଶ୍ୱର ୨୪/୦୫: ନମସ୍କାର ଓଡ଼ିଶା । ମୁଁ ଶ୍ରୀ... ଦଳର ପ୍ରାର୍ଥୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର । ମୁଁ ଆଶା କରିବି, ଆପଣମାନେ ଭଲ ସମୀକ୍ଷା କରିବେ ଏବଂ ଠିକ୍‌ ନିଷ୍ପତ୍ତି ନେବେ । ଯାହାଦ୍ୱାରା ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନ ବଜାୟ ରହିବ । ଧନ୍ୟବାଦ । 

ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ ପ୍ରଚାର ଶେଷ । ଏହାପରେ ଆଉ ଗୋଟିଏ ପର୍ଯ୍ୟାୟ ଭୋଟ୍‌ ବାକି ଅଛି । ସବୁ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ମୋବାଇଲ୍‌ ଜରିଆରେ ଭୋଟ୍‌ଭିକ୍ଷା ଲୋକଙ୍କୁ ଅତିଷ୍ଠ କଲାଣି । ଏକାଧିକ ନମ୍ବରରୁ ଏହିପରି କିଛି କଲ୍‌ ଆସୁଛି । ଭାରି ବିରକ୍ତି ଲାଗୁଛି । ଲୋକେ ସହଜରେ ନିସ୍ତାର ପାଉ ନାହାନ୍ତି ବରଂ ଚିଡ୍‌ଚିଡ୍‌ ହେଉଛନ୍ତି । 

ଦିନକୁ ୧୦ରୁ ୧୫ ଥର କେବଳ ଭୋଟ୍‌ ପାଇଁ ଫୋନ୍‌ ଆସୁଛି । ସେ ପୁଣି ରେକର୍ଡ କଲ୍‌ । କେତେବେଳେ ନେତା ଭୋଟ୍‌ ମାଗୁଛନ୍ତି ତ ଆଉ କେତେବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଶ୍ଚିତ ମତଦାନ ପାଇଁ କଳାକାର ସଚେତନ କରୁଛନ୍ତି । ତା’ ଭିତରେ ବିଭିନ୍ନ ଫାଇନାନ୍ସ କମ୍ପାନିଙ୍କ ସହ ଅନ୍ୟାନ୍ୟ କମ୍ପାନିଙ୍କ ଅଯଥା କଲ୍‌ ଓ ମେସେଜ୍‌ । ଜମା ଫୁର୍‌ସତ୍‌ ଦେଉନାହାନ୍ତି । ବେଶି ଅସ୍ତବ୍ୟସ୍ତ କରିପକାଉଛନ୍ତି । ଯେହେତୁ ଅଧିକାଂଶ ରେକର୍ଡ କଲ୍‌, ତେଣୁ ମନରେ ରାଗ ଆସିଲେ ବି କିଛି କହିପାରୁନାହାନ୍ତି । ବଡ଼କଥା ହେଲା ନିର୍ବାଚନ ମଣ୍ଡଳୀରେ ନାଁ ନଥିବା ଭୋଟରଙ୍କୁ ବିଧାୟକ ଓ ସାଂସଦ ପ୍ରାର୍ଥୀ ବେଶି କଲ୍‌ କରୁଛନ୍ତି । ଚିଲିକାରେ ଭୋଟର୍‌ଙ୍କ ନାଁ ଅଛି, ତାଙ୍କୁ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ କଲ୍‌ କରୁଛନ୍ତି । ବିଭିନ୍ନ ଟେଲିକମ୍‌ କମ୍ପାନିଙ୍କ ଠାରୁ ଗୁଡ଼ାଏ ମୋବାଇଲ୍‌ ନମ୍ବର ସଂଗ୍ରହ କରି ଭୋଟର୍‌ଙ୍କୁ ରାତିଦିନ ଏଭଳି ଟେନ୍‌ସନ୍‌ ଦେଉଛନ୍ତି । 

ଶସ୍ତା ଓ ସହଜରେ ଭୋଟର୍‌ଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରାର୍ଥୀମାନେ ଡିଜିଟାଲ୍‌କୁ ମାଧ୍ୟମ କରିଛନ୍ତି । ସେଭିତରେ ଏହି ଫୋନ୍‌ କଲ୍‌ ପ୍ରଚାରର ସାହାରା ନେଇଛନ୍ତି । ଗୋଟିଏ ଅନୁରୋଧକୁ ରେକର୍ଡିଂ କରି ଏକାଥରରେ ହଜାର ହଜାର ମୋବାଇଲ୍‌ ନମ୍ବରକୁ ଛାଡୁଛନ୍ତି । ଗୋଟିଏ ନମ୍ବର ବଦଳରେ ଏକାଧିକ ନମ୍ବରରୁ ପଠାଉଛନ୍ତି । ଜଣେ ବ୍ୟକ୍ତି ଥରେ ଗୋଟିଏ ବାର୍ତ୍ତା ଶୁଣିବାର କେଇ ମିନିଟ୍‌ ମଧ୍ୟରେ ପୁଣି ଆଉ ଗୋଟିଏ ନମ୍ବରରୁ ବାର୍ତ୍ତା ପହଞ୍ଚିଯାଉଛି । ଫଳରେ ଲୋକେ ବିରକ୍ତ ହୋଇ ଗୋଟିଏ ଦୁଇଟି ନମ୍ବରକୁ ବ୍ଲକ୍‌ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏମିତି ବାରମ୍ବାର କଲ୍‌ ଆସିବା ଦ୍ୱାରା ଲୋକମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମୟ ଓ କାର୍ଯ୍ୟ ପ୍ରଭାବିତ ହେଉଛି । ଏହାର ସମାଧାନର କୌଣସି ବାଟ ମିଳୁନାହିଁ । ବେଳେବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା କଲ୍‌ଗୁଡ଼ିକୁ ମଧ୍ୟ ନିର୍ବାଚନୀ କଲ୍‌ ଭାବି ଅନେକ ଧରୁନାହାନ୍ତି । 

ଗୋଟିଏ ପଟେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଅଳ୍ପ ଅର୍ଥ ଖର୍ଚ୍ଚ କରି ଏକାଧିକ ଲୋକଙ୍କ ନିକଟରେ ପହଞ୍ଚୁଥିବାବେଳେ ଅନ୍ୟ ପଟେ ମୋବାଇଲ୍‌ କମ୍ପାନି ଗୁଡ଼ିକ ବି ଭଲ ରୋଜଗାର କରୁଛନ୍ତି । ହେଲେ ଅର୍ଥ ଶ୍ରାଦ୍ଧ କରି ଫୋନ୍‌ ରିଚାର୍ଜ କରୁଥିବା ହିତାଧିକାରୀର କଥାଟିକୁ କେହି ଭାବୁନାହାନ୍ତି । ଅବସ୍ଥା ଏଭଳି ହେଲାଣି ଯେ, ଭୋଟ୍‌ ସରିବା ପର୍ଯ୍ୟନ୍ତ ଫୋନ୍‌ ନ ଧରିବା ପାଇଁ କିଛି ବ୍ୟକ୍ତି ମନସ୍ଥ କଲେଣି । 

କେବଳ ସ୍ୱୟଂକ୍ରିୟ ଭାବେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଫୋନ୍‌ ଆସୁନାହିଁ, କେତେକ ଦଳ ପକ୍ଷରୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଫୋନ୍‌ କରାଯାଉଛି । ଏଥପାଇଁ ବିପୁଳ ଅର୍ଥ ବ୍ୟୟରେ ପିଲାଙ୍କୁ ନିଯୁକ୍ତି ବି ଦିଆଯାଇଛି । କେବେ କେବେ ଏକାଧିକ ଫୋନ୍‌ ପାଇଁ ଅତ୍ୟନ୍ତ ବିରକ୍ତରେ ଥିବା ଲୋକେ ଫୋନ୍‌ କରୁଥିବା ପିଲାଙ୍କୁ ଗାଳି ଦେବାକୁ ବି ପଛାଉ ନାହାନ୍ତି । ଯଦିଓ ଫୋନ୍‌ କରୁଥିବା ସେହି ପିଲାମାନେ କୌଣସି ପ୍ରତ୍ୟୁତ୍ତର ଦେଉ ନାହାନ୍ତି କିନ୍ତୁ ଏହାଦ୍ୱାରା ଖରାପ ବାତାବରଣ ସୃଷ୍ଟି ସହ ଲୋକଙ୍କ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଉଛି । 

ନିର୍ବାଚନ ସମୟରେ ଏତେ ସଂଖ୍ୟକ ଲୋକଙ୍କ ଫୋନ୍‌ ନମ୍ବର କିଭଳି ବିଭିନ୍ନ ଦଳର ପ୍ରାର୍ଥୀ କିମ୍ବା ସେମାନେ ପ୍ରଚାର ଦାୟିତ୍ୱ ଦେଇଥିବା ସଂସ୍ଥା ହାତକୁ ଯାଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ଫୋନ୍‌ ନମ୍ବର ଯାଇଛି ନା’ ଫୋନ୍‌ ନମ୍ବର ସହିତ ସଂଶ୍ଲିଷ୍ଟ ଅନ୍ୟାନ୍ୟ ତଥ୍ୟ ଯାଇଛି ତାହାର ବି ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଲାଣି । ଖୁବ୍‌ଶୀଘ୍ର ଟେଲିକମ୍‌ କମ୍ପାନିଗୁଡ଼ିକ ଏ ନେଇ ସ୍ପଷ୍ଟିକରଣ ରଖିବାକୁ ଉପଭୋକ୍ତାମାନେ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.