ନୂଆଦିଲ୍ଲୀ,୨୨/୦୯: ଖୁବଶୀଘ୍ର ୮ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ସୂଚନା ଦେବାର ଦିନକ ପରେ କେନ୍ଦ୍ର ସରକାର ଶନିବାର ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନୂଆ ନିଯୁକ୍ତି ଓ କେତେକ ବିଚାରପତି ବଦଳି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିବା ମନମୋହନଙ୍କୁ ସେଠାରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ଦିଲ୍ଲୀ ହାଇକୋର୍ଟର ବିଚାରପତି ରାଜୀବ ଶକଧିରଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି କରାଯାଇଛି । ସେହିଭଳି ଦିଲ୍ଲୀ ହାଇକୋର୍ଟର ଅନ୍ୟତମ ବିଚାରପତି ସୁରେଶ କୁମାର କୈଟ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କଲିକତା ହାଇକୋର୍ଟର ବିଚାରପତି ଇନ୍ଦ୍ର ପ୍ରସନ୍ନ ମୁଖାର୍ଜୀ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ।
ସେହିଭଳି ବମ୍ବେ ହାଇକୋର୍ଟ ବିଚାରପତି ନୀତିନ ମଧୁକର ଜମଦାର କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲା ବେଳେ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ବିଚାରପତି ତାସି ରବସ୍ତାନଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି । ବମ୍ବେ ହାଇକୋର୍ଟର ବିଚାରପତି କେ.ଆର ଶ୍ରୀରାମଙ୍କୁ ମାଡ୍ରାସ ହାଇକୋର୍ଟ ଏବଂ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଏମ୍ଏସ୍ ରାମଚନ୍ଦ୍ର ରାଓ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ।
ଜୁଲାଇ ୧୧ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ ୮ ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ସଂକ୍ରାନ୍ତ ଏକ ନାମ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ତେବେ କେତେକ ନାମ ଉପରେ ସରକାର ଆପତ୍ତି ଉଠାଇବା ପରେ ଗତ ୧୭ ତାରିଖରେ କଲେଜିୟମ ଉକ୍ତ ତାଲିକାରେ ଥିବା ୩ଟି ନାମ ପରିବର୍ତ୍ତନ କରିଥିଲେ ।