ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଚନ୍ଦନ ଯାତ୍ରା କରିବେ ମହାପ୍ରଭୁ, ୪୨ ଦିନ ଧରି ଚାଲିବ ଲୀଳାମୟଙ୍କ ଏହି ଯାତ୍ରା

ପୁରୀ ୧୦/୫ : ଚନ୍ଦନଯାତ୍ରା ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି, ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।

ll ବାହାର ଚନ୍ଦନଯାତ୍ରା ll :- 

       ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ୱାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।

          ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିଟିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି।

" ଦେଖ ଗୋ ରାଧାମାଧବ ଚାଲି । ମଣି ବିମାନ ଆସେ ଝୁଲି ଝୁଲି । ପଦ ।

ବିବିଧ ବାଜଣା ବୀର କାହାଳୀ । ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ।। "

      ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।

           ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣିଦ୍ୱାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।

      ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ ।ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । 

ll କ୍ରମାନୁଯାୟୀ ବେଶଗୁଡ଼ିକ ହେଲା ll  :-

ଅକ୍ଷୟ ତୃତୀୟା: ନଟବର ବେଶ (ତ୍ରିଭଙ୍ଗ ନୃତ୍ୟରତ ଶ୍ରୀକୃଷ୍ଣ)

ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ (ବସୁଦେବଙ୍କଦ୍ୱାରା ନଦୀପାରି ବେଶ)

ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ (ଦ୍ୱାରକାଧୀଶ)

ବୈଶାଖ ଶୁକ୍ଳ ଷଷ୍ଠୀ: ଖଟଦୋଳି ବେଶ (କୁଞ୍ଜରେ ଦୋଳିଖେଳ)

ବୈଶାଖ ଶୁକ୍ଳ ସପ୍ତମୀ: ଗୋମତୀ କୃଷ୍ଣ ବେଶ (ବ୍ରହ୍ମଗୋପାଳ ବେଶ)

ବୈଶାଖ ଶୁକ୍ଳ ଅଷ୍ଟମୀ: ବତ୍ସାଚାରଣ (ଗୋଚାରଣ ଗୋପାଳ)

ବୈଶାଖ ଶୁକ୍ଳ ନବମୀ: ବତ୍ସାହରଣ ବେଶ (ବ୍ରହ୍ମ ବିମୋହନ ଲୀଳା)

ବୈଶାଖ ଶୁକ୍ଳ ଦଶମୀ: ଅଘାସୁର ବଧ ବେଶ (କୃଷ୍ଣଙ୍କଦ୍ୱାରା ଅଘାସୁର ବଧ)

ବୈଶାଖ ଶୁକ୍ଳ ଏକାଦଶୀ: ଚକ୍ର ନାରାୟଣ ବେଶ (ଚକ୍ରଧାରୀ କୃଷ୍ଣ)

ବୈଶାଖ ଶୁକ୍ଳ ଦ୍ୱାଦଶୀ: ନାବକେଳି ବେଶ (ଯମୁନା କେଳି)

ବୈଶାଖ ଶୁକ୍ଳ ତ୍ରୟୋଦଶୀ: ରାହାସମଣ୍ଡଳି ବେଶ (ରାସ କ୍ରୀଡା)

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: (ନୃସିଂହ ଜନ୍ମ ତିଥି)ଏହି ଦିନ ବେଶ କରାଯାଏ ନାହିଁ

ବୈଶାଖ ପୂର୍ଣ୍ଣିମା: କନ୍ଦର୍ପ ରଥ ବେଶ (ଗୋପାଙ୍ଗନାଙ୍କଦ୍ୱାରା ରଥାକୃତି ପରିବେଷ୍ଟିତ କୃଷ୍ଣ)

ବୈଶାଖ କୃଷ୍ଣ ପ୍ରତିପଦା: ଷଡ଼ଭୂଜ ଗୌରାଙ୍ଗ ବେଶ (କଳିଯୁଗ ପ୍ରେମାବତାର)

ବୈଶାଖ କୃଷ୍ଣ ଦ୍ୱିତୀୟା: ରଘୁନାଥ ବେଶ (କାଣ୍ଡ କୋଦଣ୍ଡଧାରୀ ଶ୍ରୀରାମ)

ବୈଶାଖ କୃଷ୍ଣ ତୃତୀୟା: ଗିରିପୂଜା ବେଶ (ଗୋବର୍ଦ୍ଧନ ପୂଜା )

ବୈଶାଖ କୃଷ୍ଣ ଚତୁର୍ଥୀ: ଗିରିଟେକା ବେଶ (ଗୋବର୍ଦ୍ଧନ ଧାରୀ)

ବୈଶାଖ କୃଷ୍ଣ ପଞ୍ଚମୀ: ବସ୍ତ୍ରହରଣ ବେଶ (କେଳି କଦମ୍ବ ତରୁରେ ଆରୁଢ଼ କୃଷ୍ଣଙ୍କ କର୍ତ୍ତୃକ ସ୍ନାନରତା ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା)

ବୈଶାଖ କୃଷ୍ଣ ଷଷ୍ଠୀ: ଚିନ୍ତାମଣୀ କୃଷ୍ଣ ବେଶ/ ମଦନ ମୋହନ ବେଶ (ମୂରଲୀଧର)

ବୈଶାଖ କୃଷ୍ଣ ସପ୍ତମୀ: ଗଜ ଉଦ୍ଧାରଣ ବେଶ (ଗଜକୁ କୁମ୍ଭୀର କବଳରୁ ରକ୍ଷା କରିବା)

ବୈଶାଖ କୃଷ୍ଣ ଅଷ୍ଟମୀ: କୁଞ୍ଜବିହାରୀ ବେଶ (ନିକୁଞ୍ଜରେ ଦୋଳି ଖେଳା)

       ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।

          ଦେବ ବିଗ୍ରହମାନେ ନରେନ୍ଦ୍ର ପୁଷ୍କରିଣିର ଚକଡା ନିକଟରେ ବିଜେ କରିବା ପରେ ଠାକୁରଙ୍କ ଜଳ ଲାଗି, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ସାଧାବେଶ, ଶୀତଳଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାରକୁ ବିଜେ, ବିଡିଆମଣୋହି, ବନ୍ଦାପନା, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡା ବିଜେ ପ୍ରଭୃତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗର ସେବକଙ୍କର ଆବଶ୍ୟକତା ପଡିଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.