ନୂଆଦିଲ୍ଲୀ,୧୬/୧୧: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଆସନ୍ତା ୧୭ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ର ଦୁଇଦିନ ପୂର୍ବରୁ ବୁଧବାର ସନ୍ଧ୍ୟାରେ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଛତିଶଗଡ଼ରେ ଏହା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଛତିଶଗଡ଼ରେ ମୋଟ ଜନସଂଖ୍ୟାର ୩୦.୬ ପ୍ରତିଶତ ହେଉଛନ୍ତି ଅନୁସୂଚୀତ ଜନଜାତି । ମଧ୍ୟପ୍ରଦେଶରେ ଏମାନଙ୍କ ସଂଖ୍ୟା ୨୧.୧ ପ୍ରତିଶତ । ଏଭଳିସ୍ଥଳରେ ଦୁଇଟି ଯାକ ରାଜ୍ୟରେ ଫୋକସ୍ ଆଦିବାସୀ ଭୋଟ୍ ଉପରେ ରହିଛି । ଆଦିବାସୀ ସଂପ୍ରଦାୟର ବିକାଶ ଲାଗି ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଲାଗି ନିର୍ବାଚନ ପ୍ରଚାର କଥା କହିବାକୁ ଗଲେ ଛତିଶଗଡ଼ରେ ଭୋଟରଙ୍କ ମନ ଜିଣିବାକୁ ବିରୋଧୀ ବିଜେପି ଏବଂ ଶାସକ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ ହୋଇଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରର ମଙ୍ଗ ଧରିଥିଲେ । ସେ ୪ଟି ରାଲି କରି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଦୁର୍ନୀତି ଅଭିଯୋଗରେ ଘେରିଥିଲେ । ତାଙ୍କ ବ୍ୟତୀତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ସ୍ମୃତି ଇରାନୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ । ସେପଟେ ବାଘେଲ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କିଛି ଜନମଙ୍ଗଳକାରୀ ଯୋଜନାକୁ ଭିତ୍ତି କରି କଂଗ୍ରେସ ନିର୍ବାଚନ ପ୍ରଚାର କରିଥିଲା ।
ରାଜ୍ୟର ୯୦ଟି ବିଧାନସଭା ଆସନ ମଧ୍ୟରୁ ୭୦ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ରାଜିମ ଜିଲ୍ଲାରେ ନକ୍ସଲ ପ୍ରଭାବିତ ବିନ୍ଦ୍ରାନବାଗଡ଼ ଆସନରେ ଥିବା ୯ଟି ପୋଲିଂ ବୁଥକୁ ବାଦ୍ଦେଲେ ଅନ୍ୟ ସବୁ ସ୍ଥାନରେ ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ । ନକ୍ସଲ ପ୍ରଭାବିତ ପୋଲିଂ ବୁଥ୍ରେ ସକାଳ ୭ଟାରୁ ଅପରାହ୍ଣ ୩ଟାଯାଏ ମତଦାନ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮୨୭ ପୁରୁଷ, ୧୩୦ ମହିଳା ଏବଂ ଜଣେ ତୃତୀୟଲିଙ୍ଗୀ ସାମିଲ । ୧,୬୩,୧୪,୪୭୯ ଜଣ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥିମଧ୍ୟରେ ୮୧,୭୨,୧୭୧ ଜଣ ମହିଳା ଏବଂ ୬୮୪ଜଣ ତୃତୀୟଲିଙ୍ଗୀ ସାମିଲ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୧୮,୮୩୩ଟି ପୋଲିଂ ବୁଥ୍ ସ୍ଥାପନ କରାଯାଇଛି। ୭୦୦ ବୁଥ୍କୁ ମହିଳା ପରିଚାଳନା କରିବେ ।
ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ୫.୬ କୋଟି ଭୋଟର ୨୫୩୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭୋଟଗ୍ରହଣ କରାଯିବ । ତେବେ ବାଲାଘାଟ, ଡିଣ୍ଡୋରିର ୪୦ ଏହଂ ମଣ୍ଡଳାର ୫୫ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୩ଟା ଯାଏ ମତଦାନ ହେବ । ରାଜ୍ୟରେ ମୋଟ ୬୫,୫୨୩ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ମଧ୍ୟପ୍ରଦେଶରେ ଏଥରକ କ୍ଷମତାସୀନ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟ ମୁକାବିଲା ହେବ । ତେବେ କିଛି ଆସନରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆପ୍ ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ସହ ସ୍ୱାଧୀନ ପ୍ରାର୍ଥୀମାନେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିପାରନ୍ତି । କଂଗ୍ରେସ ପକ୍ଷରୁ ପିସିସି ପ୍ରମୁଖ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଲାଗି କାହାର ନାମ ଘୋଷଣା କରିନାହିଁ ।
ଏହାପୂର୍ବରୁ ଗତ ୭ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ଲାଗି ଭୋଟ୍ଗ୍ରହଣ ହୋଇଥିଲା । ଡିସେମ୍ବର ୩ରେ ଦୁଇ ରାଜ୍ୟରେ ଭୋଟଗଣତି ହେବ ।