ବିନିକା, ୨୫/୦୮(ମୁକେଶ ବଗର୍ତ୍ତି):ହୀରାକୁଦ କମାଣ୍ଡ ଏରିଆରେ ରହିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ୍ । ବରଗଡ଼ ମୁଖ୍ୟ କେନାଲରୁ ବରପାଲି ଶାଖା କେନାଲ ଦେଇ ବଡ଼କର୍ଲେ ଓ ଭୀମଟିକିରା ଡିଷ୍ଟ୍ରିବ୍ୟୁଟାରିର ଦୁଇଟି ଉପଶାଖା ବିନିକା ବ୍ଲକ୍କୁ ଛୁଇଁଛି । ହେଲେ ତଳମୁଣ୍ଡରେ ବ୍ଲକ୍ର ଅନେକ ଗ୍ରାମକୁ କେନାଲ ପାଣି ମାଡୁ ନାହିଁ । ହୀରାକୁଦ କମାଣ୍ଡ ଏରିଆରେ ଥିଲେ ବି ଏଠିକାର ବହୁ ଚାଷୀ ଚୌକିଯୋର ଉପରେ ନିର୍ଭର କରନ୍ତି । ଖରିଫ୍ ଚାଷ ପାଇଁ ‘ଚୌକିଯୋର’ ହିଁ ସାହା ଭରସା । କିନ୍ତୁ ବର୍ଷାଦିନେ ପୂର୍ଣ୍ଣଗର୍ଭା ହୋଇଉଠୁଥିବା ‘ଚୌକିଯୋର’ ରବି ଋତୁ ବେଳକୁ ଶୁଖିଯାଇ ଦରମରା ହୋଇପଡ଼ୁଛି । ଏହି ପ୍ରାକୃତିକ ଜଳଉତ୍ସକୁ ଚିରସ୍ରୋତା କରିବା ପାଇଁ ସିଲାଟି ନନ୍ଦନମାଳସ୍ଥିତ ଗୁଣସାଗର କଟାକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭାବେ ବିକଶିତ କରିବାକୁ ଚାଷୀମହଲରେ ଦାବି ହୋଇଆସୁଛି । ଗୁଣସାଗର ପ୍ରକଳ୍ପ ହେଲେ ଜିଲ୍ଲାର ଜଳସେଚନ ହାର ବୃଦ୍ଧି ପାଇବ । ଚାଷୀକୁଳ ଉପକୃତ ହୋଇପାରିବେ ।
ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ହୋଇଥିଲେ ହେଁ ବିନିକା ବ୍ଲକର ଜବଦା, ନୂଆପାଲି, ଗିରିପାଲି ଆଦି ଅନେକ ଗ୍ରାମକୁ ଆଦୌ କେନାଲ ପାଣି ମାଡ଼େନାହିଁ । ସେହିପରି ଚରଦା, ଗୁଲୁଣ୍ଡା, ଫୁଲମୁଠି, ଭ୍ରମରପାଲି, ଉର୍ଲେ୍ଲ ଆଦି ଗ୍ରାମକୁ କେନାଲ ଯାଇଥିଲେ ମଧ୍ୟ ତଳମୁଣ୍ଡରେ ଥିବାରୁ ସେଠାରେ ଆବଶ୍ୟକ ସମୟରେ କେନାଲ ପାଣି ପହଞ୍ଚି ପାରେନାହିଁ । ଯଦ୍ୱାରା ଏହି ଅଞ୍ଚଳର ଚାଷୀ ଅଧିକାଂଶ ସମୟ ମରୁଡ଼ି ପ୍ରପୀଡ଼ିତ ହୋଇ କ୍ଷତିଗ୍ରସ୍ତ ହେଉଥିଲେ । ଜବଦା ଗ୍ରାମର ଚାଷୀ ସ୍ୱର୍ଗତ ବାସୁଦେବ ପଣ୍ଡା ୧୯୭୯ ମସିହାରେ ପ୍ରଥମକରି ସ୍ଥାନୀୟ ‘ଚୌକିଯୋର’ରେ ଏକ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରି ଟାଙ୍ଗରା ଭୂଇଁକୁ ଜଳସେଚନ ବ୍ୟବସ୍ଥା କରିଥିଲେ । ବ୍ୟକ୍ତିଗତ ଉଦ୍ୟମରେ ନିଜ ଚାଷଜମିକୁ ମରୁଡ଼ି ଦାଉରୁ ବଞ୍ଚାଇବା ସହ ପରବର୍ତ୍ତୀ ସମୟରେ ଆଖପାଖର ଚାଷୀଙ୍କୁ ମଧ୍ୟ ପ୍ରବର୍ତ୍ତାଇଥିଲେ । ଏହାଦ୍ୱାରା ବର୍ଷ ବର୍ଷ ଧରି ପଡ଼ିଥିବା ଶୁଷ୍କ ଟାଙ୍ଗରା ଭୂଇଁ ଶସ୍ୟଶ୍ୟାମଳ ହୋଇଉଠିଥିଲା । ପରେ ସମୟ କ୍ରମେ ଚୌକିଯୋର୍ ଉପରେ ସରକାରୀସ୍ତରରେ ୪ଟି ଚେକ୍ଡ୍ୟାମ ନିର୍ମାଣ କରାଯାଇ ଜୋର୍ ପାଣିକୁ କୃଷି କାର୍ଯ୍ୟରେ ବିନିଯୋଗ ହେଉଛି ।
ଚରଦାସ୍ଥିତ ମା’ ଚରଦେଇ ପାଣି ପଞ୍ଚାୟତ ସଭାପତି ଧର୍ମରାଜ ପଣ୍ଡାଙ୍କ କହିବା ଅନୁସାରେ, ‘ଚୌକିଯୋର’ ପାଶ୍ୱର୍ବର୍ତ୍ତୀ ଗ୍ରାମରେ ଦୋ’ଫସଲୀ ଚାଷ ବଢ଼ିଥିବାରୁ ଏହାର ପାଣି ପର୍ଯ୍ୟାପ୍ତ ହୋଇପାରୁନାହିଁ । ଏହାକୁ ଚିରସ୍ରୋତା କରିବା ପାଇଁ ସିଲାଟି ନନ୍ଦନମାଳଠାରେ ଥିବା ଗୁଣସାଗର କଟାକୁ ଜଳସଂରକ୍ଷଣ ପ୍ରକଳ୍ପ ଭାବେ ବିକଶିତ କଲେ ଏହା ଅଞ୍ଚଳ ପାଇଁ ବରଦାନ ସଦୃଶ ହେବ । ସେହିପରି କେନାଲ ବିଭାଗ ପକ୍ଷରୁ ମେଘଲା-ସାହାଜବାହାଲ ମଧ୍ୟରେ କେନାଲର ଉଦ୍ବୃତ୍ତ ଜଳ ‘ଚୌକିଯୋର୍’କୁ ଛଡ଼ାଗଲେ ଏହା ଉଭୟ ଖରିଫ୍ ଓ ରବି ଚାଷ ପାଇଁ ସହାୟକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସୁଲେଇ ଗ୍ରାମର ଚାଷ ଜମିରୁ ବାହାରୁଥିବା ଏକାଧିକ ଜଳଧାରାରୁ ‘ଚୌକିଯୋର୍’ର ଉତ୍ପତ୍ତି । ବାଟରେ ଆହୁରି ଅନେକ ଛୋଟ ବଡ଼ ଜଳଧାରା ସହିତ ମିଶିବା ପରେ ଏହା ଏକ ନାଳାରେ ରୂପାନ୍ତରିତ ହୋଇ ବିନିକା ବ୍ଲକ୍ ନନ୍ଦନମାଳସ୍ଥିତ ଗୁଣସାଗର କଟାରେ ପଡ଼ିଛି । ଉକ୍ତ କଟାରୁ ଉଦ୍ବୃତ୍ତ ଜଳରେ ନାଳାର କଳେବର ବୃଦ୍ଧି ଘଟି କିଛି ବାଟ ଯିବା ପରେ ସିଲାଟି ଗ୍ରାମ ନିକଟରେ ଏକ ବିଶାଳ ଶିଳାଖଣ୍ଡକୁ ଅତିକ୍ରମ କରି ଅନବରତ ବହିଯାଉଥିବାରୁ କଳକଳ ଶବ୍ଦ ସୃଷ୍ଟି ହୁଏ । ‘ଖଲଖଲେଇ କରି’ ପାଣି ବହୁଥିବାରୁ ସିଲାଟି ଅଞ୍ଚଳର ସ୍ଥାନୀୟ ଭାଷାରେ ଏହାକୁ ଖଲଖଲି ମଧ୍ୟ କୁହାଯାଇଥାଏ ।
ସିଲାଟିରୁ ପ୍ରାୟ ୪କିମି ଯିବାପରେ ଘଣ୍ଟାସିନୀ ପାହାଡ଼ ପାଦଦେଶରେ ଚରଦାର ଐତିହାସିକ କପିଳେଶ୍ୱର ମନ୍ଦିର ଓ ପୁରାଣ ପ୍ରସିଦ୍ଧ ଋଷିକୁଣ୍ଡ ଘାଟଦେଇ ମହାନଦୀରେ ବିଲୀନ ହୋଇଛି ‘ଚୌକିଯୋର’ । ସମୁଦାୟ ୩୦ କିଲୋମିଟର ଯାତ୍ରା ପଥରେ ଏହି ଯୋର ଏକ ଚୌକିର ଆକୃତିରେ ବହିଯାଇଥିବାରୁ ଏହାକୁ ‘ଚୌକିଯୋର’ କୁହାଯାଏ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ଯୋର୍ର ସିଲାଟି ଓ ଚରଦାରେ ଗୋଟିଏ ଲେଖାଏଁ ଏବଂ ଭ୍ରମରପାଲିଠାରେ ୨ଟି ଚେକ୍ଡ୍ୟାମ ନିର୍ମାଣ କରାଯାଇଛି । ଏଥିସହ ୯ଟି ସ୍ଥାନରେ ଉଠା ଜଳସେଚନ ପଏଣ୍ଟ ସ୍ଥାପନ କରାଯାଇଛି । ସରକାରୀ ଭାବେ ମୋଟ ୨୦୮ ହେକ୍ଟର ଜମିକୁ ଜଳସେଚନ ହେଉଥିବା ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ବିକାଶ ରାୟ କହିଛନ୍ତି । ହେଲେ ଘରୋଇ ଭାବେ ପ୍ରତି ଗ୍ରାମରେ ୧୦ରୁ ଅଧିକ ଲିଫ୍ଟ ପଏଣ୍ଟ ସ୍ଥାପନ କରାଯାଇ ହଜାରେ ହେକ୍ଟରରୁ ଊଦ୍ଧ୍ୱର୍ ଜମି ଜଳସେଚିତ ହେଉଥିବା ପାଣି ପଞ୍ଚାୟତର ଚାଷୀମାନେ ମତ ଦିଅନ୍ତି । ଏତେ ବ୍ୟାପକ ଅଞ୍ଚଳକୁ ଜଳସେଚିତ କରୁଥିଲେ ହେଁ ‘ଚୌକିଯୋର’ କିମ୍ବା ଗୁଣାସାଗର କଟାକୁ ଏଯାବତ୍ ଜଳସେଚନ ପ୍ରକଳ୍ପର ମାନ୍ୟତା ମିଳିନାହିଁ ।
‘ଚୌକିଯୋର୍’କୁ ଜଳସେଚନ ପ୍ରକଳ୍ପ କରିବାକୁ ନେଇ ଚାଷୀଙ୍କ ଦାବି ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଦିଲୀପ କୁମାର ପରିଡ଼ା କୁହନ୍ତି, ଗୁଣସାଗର କଟାକୁ ବିକଶିତ କରିବା ପାଇଁ କେନାଲ ଡିଭିଜନକୁ ଚିଠି ଲେଖାଯାଇଥିଲା । ସେନେଇ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ରବି ଫସଲ ପାଇଁ ପାଣି ଅଭାବ ଦର୍ଶାଇ ଚାଷୀମାନେ ଲିଖିତ ଅଭିଯୋଗ କଲେ ବିଭାଗ ପକ୍ଷରୁ ଏହାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।