କଲେଜର ବଡ଼ବାବୁ ମତେ ଦିନେ ପଚାରିଲେ- ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା? ମୁଁ କହିଲିହଁ, କନ୍ଜରଭେସନ୍ ଅଫ୍ ଏନର୍ଜି। ପଦାର୍ଥ ବିଜ୍ଞାନର ତାହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେ କହିଲେ, ମୁଁ ତ ଆର୍ଟସ ପଢୁଥିଲି । ଆପଣଙ୍କର ପାଠ ମୋ ମୁଣ୍ଡରେ ପଶିବନି । କିନ୍ତୁ ମୋର ବି ଗୋଟେ କନ୍ଜରଭେସନ୍ ନିୟମ ଅଛି, ଆପଣ ସହଜରେ ବୁଝିପାରିବେ । ମତେ ଲାଗିଲା, ସେ ମଜା କରୁଛନ୍ତି । ମୁଁ ହସି ହସି କହିଲି- ଆଚ୍ଛା, ବଢ଼ିଆ କଥା । ଏତିକି କହି ମୁଁ ଆଗକୁ ପାଦ ବଢ଼େଇଲି । ବଡ଼ବାବୁ ପଛରୁ ଡାକି କହିଲେ- ଆଜ୍ଞା, ମୋ ନିୟମଟା ନଶୁଣି ପଳେଇଗଲେ ଯେ? ମୁଁ ଫେରିଆସି ପଚାରିଲି, ସତରେ କଅଣ କନ୍ଜରଭେସନ୍ ନିୟମ ରଖିଛନ୍ତି? ମୁଁ ଭାବିଲି ମୋର ପଦାର୍ଥ ବିଜ୍ଞାନ ବୋଲି ଆପଣ ମଜାରେ ଏମିତି କହୁଛନ୍ତି? ତେବେ କୁହନ୍ତୁ । ସେ ପଚାରିଲେ, ଆପଣ ସ୍କୁଲ କଲେଜରେ ପଢିବା ସମୟରେ ବହୁତ ଲେଖୁଥିବେ ନିଶ୍ଚୟ? ମୁଁ କହିଲି, ହଁ, କ୍ଲାସ୍ରେ ସାର୍ ପଢେଇଥିବା ପାଠ ଟିପିନିଏ । ତା'ପରେ ଘରକୁ ଯାଇ ଗୋଟେ ଦୁଇଟା ବହିରେ ସେସବୁ ବିଷୟକୁ ପୁଣି ପଢ଼େ ଓ ନିଜର ନୋଟ୍ ଲେଖେ । ବହୁତ୍ ଲେଖିଛି । କିନ୍ତୁ ଆପଣ ଏକଥା କାହିଁକି ପଚାରିଲେ? ସେଇଟା ତ ପୁରୁଣା କଥା ।
ସେ କହିଲେ, ପୁରୁଣା କଥାଗୁଡାକ ସୁନା ଭଳି ମୂଲ୍ୟବାନ । ମୁଁ କହିଲି- ହଁ, ଠିକ୍ କହିଲେ । କିନ୍ତୁ ଏବେ ମୋ କଥା ଭିତରେ କଅଣ ସୁନା ରୁପା ମିଳିଲା କୁହନ୍ତୁ । ବଡ଼ବାବୁ କହିଲେ, ମୋ ନିୟମ ଠିକ୍ ଅଛିକି ନାହିଁ ପୁଣି ଥରେ ପରୀକ୍ଷା କରୁଥିଲି । ମୁଁ ପଚାରିଲି, ପରୀକ୍ଷାରୁ କଅଣ ପାଇଲେ? ନିୟମଟା କଅଣ ଠିକ୍ ଅଛି? ସେ ଟିକିଏ ରହିଯାଇ କହିଲେ, ହଁ, ଠିକ୍ ଅଛି । ବଡ଼ବାବୁଙ୍କ ଉତ୍ତର ଶୁଣି ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ଆଗ୍ରହର ସହିତ ପଚାରିଲି, ଆଚ୍ଛା, ଆପଣଙ୍କ ନିୟମଟା ଏବେ କୁହନ୍ତୁ । ସେ କହିଲେ, ମାଟ୍ରିକ ପରୀକ୍ଷା ପୂର୍ବରୁ ବାପା ଅନେକ ଥର କହିଥିଲେ, ବାବୁରେ, ଏଇଟା ବଡ଼ ପରୀକ୍ଷା । ମନ ଦେଇ ପାଠ ନପଢ଼ିଲେ ମୋ ପରି ଜୀବନସାରା ମୂଲ ଲାଗିବୁ । ବାପାଙ୍କ କଥା ତ ମାନିବା ଦୂରର କଥା, ବରଂ ତାଙ୍କ ମୁହଁରୁ ସବୁବେଳେ ସେଇ କଥା ଶୁଣି ଶୁଣି ମତେ ବିରକ୍ତ ଲାଗୁଥିଲା । ମୁଁ ସବୁଦିନ ସ୍କୁଲ ଯାଉଥିଲି । କିନ୍ତୁ ଘରକୁ ଫେରିଲେ ବହିପତ୍ର ଓ ପାଠପଢ଼ା କଥା ଭୁଲି ଯାଉଥିଲି । ପୁଣି ପରଦିନ ସ୍କୁଲକୁ ଗଲେ ବହି ଖୋଲା ହେଉଥିଲା । ଶେଷରେ ମାଟ୍ରିକ୍ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ୍ କଲି । କଲେଜରେ ବିଜ୍ଞାନ ନପଢି ଆର୍ଟସ ପଢିଲି ବୋଲି ବାପାଙ୍କ ମନଟା ଭାଙ୍ଗିଗଲା ।
ମୋ ସାଙ୍ଗମାନେ ସବୁବେଳେ କହିଲେ, ଆର୍ଟସ ଗୋଟେ ପାଠ ନା ଅସରପା ଗୋଟେ ଚଢ଼େଇ? ରାତିଏ ପଢ଼ିଲେ ଆର୍ଟସ ପାଠ ହେଇଯିବ । ସାଙ୍ଗମାନଙ୍କ କଥାଟା ମୋ ମନକୁ ପାଇଲା । ତେଣୁ କଲେଜରେ ପାଠ ନପଢି ସାଙ୍ଗମାନଙ୍କୁ ଧରି ବୁଲିଲି । ହେଲେ ପରୀକ୍ଷା ବେଳକୁ ବଡ଼ କଷ୍ଟ ପାଇଲି । ସାଙ୍ଗମାନଙ୍କର କଥା କେମିତି ମୋ ଛାତ୍ରଜୀବନକୁ ନଷ୍ଟ କରିଦେଲା, ସେଇକଥା ହୃଦୟଙ୍ଗମ କଲି । ବହୁ କଷ୍ଟରେ ବି.ଏ. ପାସ୍ କଲି । ମୋ ହାବଭାବରୁ ବାପା ଜାଣିସାରିଥିଲେ, ମୋ ଦେଇ ପାଠ ହେବନି । ସେ ମତେ ଉପଦେଶ ଦେବା ବନ୍ଦ କରିଦେଲେ । ଅନେକ ଦିନ ବେକାର ବୁଲିଲା ପରେ ବହୁ କଷ୍ଟରେ ଏଇ କନିଷ୍ଠ କିରାଣି ଚାକିରିଟା ପାଇଥିଲି । ହେଲେ ଚାକିରି ପାଇବା ଆଗରୁ ବାପାଙ୍କୁ ହରେଇ ସାରିଥିଲି । ମୋ ଜୀବନର ସଂଘର୍ଷ ଭିତରେ ମୁଁ ଗୋଟେ ନୂଆ ନିୟମ ଆବିଷ୍କାର କରି । ମୁଁ ପଚାରିଲି, ଆଚ୍ଛା, କନ୍ଜରଭେସନ୍ ନିୟମ? ବଡ଼ବାବୁ କହିଲେ, ହଁ । ସେଇ ନିୟମ ।
ମୁଁ ପଚାରିଲି, କୋଉ ପ୍ରକାର କନ୍ଜରଭେସନ୍? ସେ କହିଲେ, ଲେଖିବା କାମରେ କନ୍ଜରଭେସନ୍ । ଆଶ୍ଚର୍ଯ୍ୟ ହେଲି । ସେ ବୁଝେଇଦେଲେ, ଯେଉଁମାନେ ପଢ଼ିବା ସମୟରେ ବହୁତ୍ ଲେଖନ୍ତି, ସେମାନେ ବଡ଼ ହେଲେ ଅଫିସର ହୁଅନ୍ତି ଏବଂ ଅଫିସ୍ରେ ଖୁବ୍ କମ୍ ଲେଖନ୍ତି । ମାନେ, ଖାଲି ଦସ୍ତଖତ ମାରନ୍ତି । କିନ୍ତୁ ଯେଉଁମାନେ ପଢ଼ିବା ସମୟରେ କମ୍ ଲେଖନ୍ତି, ସେମାନେ ଚାକିରି କଲେ ମୋ ପରି ବହୁତ୍ ଲେଖନ୍ତି । ମୁଁ ଟିକିଏ ରହିଯାଇ କଥାଟା ଭାବିଲି । ତା'ପରେ ଜୋର ହସିଲି । କହିଲି, ବାଃ, ବଢ଼ିଆ ନିୟମଟା ହୋ । ମନକୁ ପାଇଲା । ମୁଁ ଉତ୍କଣ୍ଠାର ସହିତ ପୁଣି ପଚାରିଲି, ଆଚ୍ଛା, ଖାଲି ବହୁତ୍ ଲେଖିଲେ ଜଣେ ଅଫିସର ହୋଇଯିବ କି? ମୋ କଥା ଶୁଣି ସେ ଟିକିଏ ଗମ୍ଭୀର ହୋଇଗଲେ । ଟିକିଏ ଦୁଃଖରେ କହିଲେ, ଆଜ୍ଞା, ଲେଖା ଭିତରେ ନିଷ୍ଠା ଓ ଏକାଗ୍ରତା ନଥିଲେ ହେବ କି? ସ୍କୁଲ କଲେଜରେ ନା ମୁଁ ଲେଖୁଥିଲି, ନା ପଢ଼ାରେ ମୋର ନିଷ୍ଠା ଥିଲା । ନା ଏକାଗ୍ରତା ଥିଲା । ତେଣୁ ମୋ ବାପାଙ୍କ ସ୍ୱପ୍ନକୁ ମୁଁ ସତ କରିପାରିଲି ନାହିଁ ।
ବଡ଼ବାବୁଙ୍କ ସହିତ ମୁଁ ପ୍ରାୟ ପ୍ରତିଦିନ କଥା ହୁଏ । ସେ କଥାରେ କଥାରେ ହସାନ୍ତି। କିନ୍ତୁ ସେଦିନ ଆମ ଆଲୋଚନାର ପରିବେଶ ଟିକିଏ ଅଲଗା ଥିଲା । ସବୁବେଳେ ଅନ୍ୟକୁ ଖୁସି କରିବାକୁ ପ୍ରୟାସ କରୁଥିବା ଲୋକଟିର ହୃଦୟ ଭିତରେ ରହିଥିବା ଦୁଃଖକୁ ମୁଁ ସେଦିନ ଦେଖିଲି । ବାପାଙ୍କ ଇଚ୍ଛାକୁ ପୂରଣ କରି ନପାରିବାର ଦୁଃଖ । ନିଜ ପାଇଁ ସେ ବେଶୀ ବ୍ୟସ୍ତ ହେଉନଥିଲେ । ବରଂ ବାପାଙ୍କ ପାଇଁ ବେଶୀ ଦୁଃଖ କରୁଥିଲେ । ସତରେ ବାପା ପାଖରେ ଥିଲେ ତାଙ୍କ ଗୁରୁତ୍ୱ ଜଣାପଡେନାହିଁ କିମ୍ବା ତାଙ୍କ ଉପଦେଶର ମହତ୍ତ୍ୱ ବୁଝିହୁଏ ନାହିଁ । କିନ୍ତୁ ଛାଡ଼ି ଚାଲିଗଲା ପରେ ତାଙ୍କ କଥାର ପ୍ରତିଟି ଶବ୍ଦର ଗୁରୁତ୍ୱ ଜାଣିହୁଏ । ହେଲେ ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଯାଇଥାଏ । ନିଜକୁ ଶକ୍ତ କରି ଗଢ଼ିତୋଳିବାର ପରିବେଶ ଆଉ ନିଜ ଆୟତ୍ତରେ ନଥାଏ ।
ପଦାର୍ଥ ବିଜ୍ଞାନର ଅନେକ ଜଟିଳ ନିୟମ ମୁଁ ପିଲାଙ୍କୁ ପଢ଼େଇଛି । କିନ୍ତୁ ବଡ଼ବାବୁଙ୍କ ସେଇ ନିୟମ ସବୁଠାରୁ ବଡ଼ ଲାଗେ । ସେ ଠିକ୍ କହିଥିଲେ । ଖାଲି ପଢ଼ିଲେ ହେବନି । ସଫଳତା ପାଇଁ ନିଷ୍ଠା ଓ ଏକାଗ୍ରତା ଜରୁରି । କର୍ତ୍ତବ୍ୟରେ ନିଷ୍ଠା ଓ ଏକାଗ୍ରତା ମଣିଷକୁ ଅମର କରେ। ଠିକ୍ ଯେମିତି ଗୁସ୍ତଭ ଆଇଫଲଙ୍କୁ ଫ୍ରାନ୍ସର "ଆଇଫଲ ଟାୱାର’ ଅମର କରିଦେଲା । ନକ୍ସାକାର ଗୁସ୍ତଭ ୧୮୮୯ ମସିହାରେ ପ୍ୟାରିସରେ ପ୍ରସିଦ୍ଧ ବିଶ୍ୱ-ପ୍ରଦର୍ଶନୀ ସକାଶେ ସାମୟିକ ଭାବରେ ପ୍ରବେଶ ଦ୍ୱାରରେ ଏକ ମିନାର ନିର୍ମାଣ କରିବାର ଦାୟିତ୍ୱ ନେଇଥିଲେ । ସେ ଜାଣିଥିଲେ କି ଦିନ କେଇଟା ପାଇଁ ମିନାର ତିଆରି କରୁଛନ୍ତି । ପ୍ରଦର୍ଶନୀ ସରିଲା ପରେ ସେ ତିଆରି କରିଥିବା ମିନାର ଭଙ୍ଗାହେବ । କିନ୍ତୁ ତାହା ସାମୟିକ ହେଉ କି ସ୍ଥାୟୀ ହେଉ, ନିଷ୍ଠା ଓ ଏକାଗ୍ରତାର ସହିତ ଗୁସ୍ତଭ ସେହି ମିନାରକୁ ଅଳଙ୍କୃତ କରୁଥିଲେ । ସମୟ ସହିତ ତାଳ ଦେଇ ଲୁହାର ସେହି ଜଟିଳ କୀର୍ତ୍ତି ମାତ୍ର ଦିନ କେଇଟା ପାଇଁ ମୁଣ୍ଡ ଟେକୁଥିଲା । ପ୍ରଦର୍ଶନୀ ଶେଷ ହେଲା । କିନ୍ତୁ ସୁଦୃଶ୍ୟ ମିନାରକୁ ଭାଙ୍ଗିବା ପାଇଁ କାହାରି ହାତ ଗଲାନାହିଁ । "ଆଇଫଲ ଟାୱାର’ ସେମିତି ଛିଡ଼ା ହୋଇ ରହିଲା ଏବଂ ଫ୍ରାନ୍ସ ପାଇଁ ପ୍ରତୀକ ହୋଇ ରହିଲା । କେବଳ ସେତିକି ନୁହେଁ, ତାହା "ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ’ ଭାବରେ ବର୍ଣ୍ଣିତ ହେଲା ।