ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଆମିଷ ଟିଫିନ୍ ନେଇ ଆସିଥିବାରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଏକ ଘରୋଇ ସ୍କୁଲ ବହିଷ୍କାର କରିଦେଇଛି । ଏହାକୁ ନେଇ ଛାତ୍ରଙ୍କ ମା’ ଅଭିଯୋଗ କରିଥିବା ବେଳେ ମାମଲାର ଛାନଭିନ୍ ଆରମ୍ଭ କରିଛି ଶିକ୍ଷା ବିଭାଗ । ତେବେ ସ୍କୁଲର ପ୍ରିନ୍ସିପାଲ ଏବଂ ଛାତ୍ରଙ୍କ ମା’ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଭାଇରାଲ ହେବା ପରେ ବିବାଦ ବୃଦ୍ଧି ପାଇଛି । ଛାତ୍ରଙ୍କୁ ପ୍ରିନ୍ସିପାଲ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିଦେଇଥିଲେ ବୋଲି ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି । କିନ୍ତୁ ଏହି ଅଭିଯୋଗକୁ ପ୍ରନ୍ସିପାଲ ଖଣ୍ଡନ କରିଛନ୍ତି ।
ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଭିପି ସିଂହ କହିଛନ୍ତି ଯେ, ‘ ଛାତ୍ରଙ୍କ ମା’ ଅଭିଯୋଗ କରିଛନ୍ତି । ସ୍କୁଲର ପ୍ରିନ୍ସିପାଲ ତାଙ୍କ ପୁଅକୁ ମାଡ଼ ମାରିଛନ୍ତି । ଏପରିକି ସ୍କୁଲ ରେଜିଷ୍ଟ୍ରରରୁ ପୁଅର ନାଁ କାଟିଦେଇଥିବା ନେଇ ତାଙ୍କୁ ପ୍ରିନ୍ସିପାଲ କହିଥିଲେ ବୋଲି ମହିଳାଜଣଙ୍କ କହିଛନ୍ତି । ଅଭିଯୋଗ ପାଇବା ପରେ ତଦନ୍ତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି । ସୋମବାର ସୁଦ୍ଧା ରିପୋର୍ଟ ମିଳିବ ।’ ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିବା ବେଳେ ଏଥିରେ ଜିଲ୍ଲାର ୩ଟି ସରକାରୀ ବିଦ୍ୟାଳୟର ପ୍ରିନ୍ସିପାଲ ସାମିଲ ଅଛନ୍ତି ।
ସେପଟେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରିନ୍ସିପାଲ । ସେ କହିଛନ୍ତି, ‘ମୁଁ ଛାତ୍ରଙ୍କୁ ପିଟି ନାହିଁ ଏବଂ ତାକୁ କମ୍ପ୍ୟୁଟର ରୁମରେ ରଖାଯାଇଥିଲା । ସ୍କୁଲ ପରିସରରେ ଥିବା ମନ୍ଦିରରେ ଭଙ୍ଗାରୁଜା କରିବା ପରେ ସେ ଅନ୍ୟ ପିଲାମାନଙ୍କୁ ବିରିୟାନି ଖାଇବାକୁ ଦେଇଥିଲା । ଯାହାକୁ ଅଭିଭାବକମାନେ ବିରୋଧ କରିଥିଲେ । ଏହାକୁ ନେଇ ଶିକ୍ଷକ ଓ ଅଭିଭାବକଙ୍କ ଏକ ବୈଠକ କରିଥିଲି । କିନ୍ତୁ ତା ମା ମୋତେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ।’
ଅନ୍ୟପକ୍ଷରେ ପ୍ରିନ୍ସିପାଲ ଏବଂ ଛାତ୍ରଙ୍କ ମାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ପ୍ରିନ୍ସିପାଲ କହୁଛନ୍ତି, ‘ତା ନାଁ ରେଜିଷ୍ଟରରୁ କାଟି ଦେଇଛି । ଏମିତି ପିଲା ସ୍କୁଲକୁ ଆବଶ୍ୟକ ନାହିଁ । ତାକୁ ଘରକୁ ନେଇଯାଅ ।’ ଏହାକୁ ନେଇ ସ୍ଥାନୀୟ ମୁସଲିମ୍ କମିଟି ଅମରୋହା ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହ କମିଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅମରୋହା ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ଙ୍କୁ ଦାବି ପତ୍ର ଦେଇଥିବା ଜଣାପଡ଼ିଛି ।