କଟକ,୦୬/୧୧: ବାଣ ଦୋକାନରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ବାଣ ଦୁର୍ଘଟଣାରେ କ୍ଷୟକ୍ଷତିର ଅଧିକ ଆଶଙ୍କା ରହୁଥିବାରୁ ସେଠାରେ କୌଣସି ପ୍ରକାର କୋହଳ ନୀତି ଆପଣାଯିବନି ବୋଲି ବିଭାଗ ରୋକ୍ ଠୋକ୍ ଶୁଣାଇଛି । ଏପରିକି ଲାଇସେନ୍ସ ପାଇଁ ରହିଥିବା ସର୍ତ୍ତ ଯାଞ୍ଚ କରିବାକୁ ବାଣ ଦୋକାନ ଖୋଲା ଦିନ ବିଭାଗୀୟ ଟିମ୍ ପହଞ୍ଚିବ । ସର୍ତ୍ତରେ ଅବହେଳା ହୋଇଥିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ବିଭାଗ କହିଛି ।
ବାଣ ଦୋକାନ ପାଇଁ ଏବେ ଅଗ୍ନିଶମଠାରୁ ଏନ୍ଓସି ନିଆଯାଉଛି । ଏହି ଏନ୍ଓସି ଅନ୍ଲାଇନ୍ରେ ଆବେଦନ ପରେ ମିଳୁଛି । ତେବେ ଏହି ଏନ୍ଓସି ପାଇବା ବେଳେ ବିଭାଗ ପକ୍ଷରୁ ରହିଥିବା ସର୍ତ୍ତ ବିଷୟରେ ଅବଗତ କରାଯାଇଛି । ପ୍ରତି ବାଣ ଦୋକାନ ପକ୍ଷରୁ ଗୋଟିଏ କରି ନିଆଁ ଲିଭା ଯନ୍ତ୍ର, ଏକତ୍ର ଦୋକାନ ହେଉଥିଲେ ପାଣି ଟ୍ୟାଙ୍କର, ଗୋଟିକିଆ ଦୋକାନ ଥିଲେ ୫ଟି ବାଲ୍ଟିରେ ପାଣି ଓ ପ୍ରତି ଦୋକାନ ସମ୍ମୁଖରେ ୫ଟି ବାଲ୍ଟିରେ ବାଲି ଭର୍ତ୍ତି ହୋଇ ରହିବ । ଏହା ରଖିବା ବାଧ୍ୟତାମୂଳକ । ତେବେ ଏହାର ସ୍ଥିତି ଯାଞ୍ଚ ପାଇଁ ଅଗ୍ନିଶମ ଟିମ୍ ବାଣ ଦୋକାନ ଖୋଲିବା ଦିନ ଯାଇ ଯାଞ୍ଚ କରିବ । ଏନେଇ ୩ଟି ଟିମ୍ ଗଠନ ହୋଇଛି । ଏହି ଟିମ୍ କଟକ ସହରର ସମସ୍ତ ବାଣ ଦୋକାନ ବୁଲି ଦେଖିବ । ସେଠାରେ ଯଦି କିଛି ସର୍ତ୍ତକୁ ଅମାନ୍ୟ କରାଯାଇଥିବ ତେବେ ଅନୁମତିପତ୍ର ରଦ୍ଦ ହେବ । ଅର୍ଥାତ୍ ଅଗ୍ନିଶମ ବିଭାଗ ପକ୍ଷରୁ ଦିଆଯାଇଥିବା ଏନ୍ଓସି ରଦ୍ଦ କରାଯିବ ।
ଅନ୍ୟପଟେ ବାଣ ଦୋକାନ ପାଇଁ ହେବାକୁ ଥିବା ଅସ୍ଥାୟୀ ଘର ନେଇ ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାକୁ ମଧ୍ୟ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ କଟକ ସହରାଞ୍ଚଳ ପୁଲିସ ଅଧୀନରେ ଅର୍ଥାତ୍ କଟକ ସହର ଓ ଏହାର ଆଖପାଖରେ ବାଣ ଦୋକାନ ଖୋଲିବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଏଯାବତ ୪ଶହରୁ ଅଧିକ ଆବେଦନ ହୋଇଛି । ବହୁ ଆବେଦନ ସହିତ ଏନ୍ଓସି ମଧ୍ୟ ପ୍ରଦାନ କରାଗଲାଣି । ତେଣୁ ଆସନ୍ତା ମଙ୍ଗଳବାରଠାରୁ ବାଣ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଡିସିପିଙ୍କ ଲାଇସେନ୍ସ ସେକ୍ସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥାତ୍ ବୁଧବାରଠାରୁ ଦୀପାବଳି ଥିବା ରବିବାର ପର୍ଯ୍ୟନ୍ତ ବ୍ୟବସାୟୀ ଖୁଚୁରାରେ ବାଣ ବିକ୍ରି କରିପାରିବେ।