ନୂଆଦିଲ୍ଲୀ ୧୦/୦୯: ଇଟାଲିର ଏହି ସହରରେ କ୍ରିକେଟ୍ ବ୍ୟାନ୍ । ନାଁ ମନ୍ଫାଲକୋନ୍ । ଏଠାକାର ମେୟରଙ୍କ କହିବା ଅନୁସାରେ, କ୍ରିକେଟ୍ ମନ୍ଫାଲକୋନ୍ର ସାଂସ୍କୃତିକ ମହତ୍ତ୍ୱକୁ ବିପଦରେ ପକାଉଛି । ମନ୍ଫାଲକୋନ୍ର ଜନସଂଖ୍ୟା ୩୦ ହଜାର । ତନ୍ମଧ୍ୟରୁ ଏକ ତୃତୀୟାଂଶ ବିଦେଶୀ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ ମୁସ୍ଲିମ । ବିଶାଳ କ୍ରୁଜ୍ ଜାହାଜ ନିର୍ମାଣ ଲାଗି ୧୯୯୦ ଦଶକରେ ସେମାନେ ଏହି ସହରରେ ପହଞ୍ଚିଥିଲେ । ମନ୍ଫାଲକୋନ୍ ସହରରେ ଯଦି କେହି କ୍ରିକେଟ୍ ଖେଳୁଥିବା ଧରାପଡ଼ନ୍ତି, ତେବେ ତାଙ୍କୁ ୧୦୦ ପାଉଣ୍ଡ୍ ବା ହାରାହାରି ୧୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । ମେୟର ଆନ୍ନା ମାରିଆ ସିସିଷ୍ଟ୍ କହନ୍ତି, ସେ ନିଜ ସହର ଓ ତା’ର ଖ୍ରିଷ୍ଟିଆନ୍ ମହତ୍ତ୍ୱକୁ ସୁରକ୍ଷା ଦେବାକୁ ଚାହାନ୍ତି ।
ସୂଚନାଯୋଗ୍ୟ, ଦୃଢ଼ ପ୍ରବାସ-ବିରୋଧୀ ଭାବନା ତାଙ୍କୁ ପୁଣି ଥରେ ସତ୍ତାକୁ ଫେରିବାରେ ସାହାଯ୍ୟ କରିଛି । ଆନ୍ନା କହନ୍ତି, ଆମ ଇତିହାସକୁ ଲିଭାଇ ଦିଆଯାଉଛି । ଯେମିତିକି ଏହାର କୌଣସି ମୂଲ୍ୟ ନାହିଁ । ସବୁକିଛି ଖରାପ ହୋଇଚାଲିଛି । ମୁସ୍ଲିମ-ବିରୋଧୀ ଭାବନା ପାଇଁ ମେୟର ଆନ୍ନା ପରିଚିତ । ସହର ଛକରେ ବାଂଲାଦେଶୀଙ୍କ ବସିବା ପାଇଁ ବ୍ୟବହୃତ ବେଞ୍ଚ୍ଗୁଡ଼ିକୁ ସେ ହଟାଇ ଦେଇଛନ୍ତି । ବେଳାଭୂମିରେ ମୁସ୍ଲିମ ମହିଳା ପିନ୍ଧୁଥିବା ପୋଷାକ ବିରୋଧରେ ମଧ୍ୟ ସେ କହିଛନ୍ତି । ଏ ପ୍ରକାର ମତ ପାଇଁ ତାଙ୍କୁ ହତ୍ୟା ଧମକ ମିଳିଛି ।
ସହରରେ କ୍ରିକେଟ୍ ବ୍ୟାନ୍ କରିବା ବିଷୟରେ ଆନ୍ନା କହିଛନ୍ତି ‘କ୍ରିକେଟ୍ ବଲ୍ ଅତ୍ୟନ୍ତ ବିପଦପୂର୍ଣ୍ଣ । କାରଣ ଏହା ଲୋକଙ୍କୁ ଆହତ କରିପାରେ । କ୍ରିକେଟ୍ ପିଚ୍ ନିର୍ମାଣ ପାଇଁ ଆମ ସହରରେ ସ୍ଥାନ କିମ୍ବା ଅର୍ଥ ମଧ୍ୟ ନାହିଁ । ମୁଁ ବାଂଲାଦେଶୀଙ୍କୁ ସେମାନଙ୍କ ଜାତୀୟ କ୍ରୀଡ଼ା ଖେଳିବାର ଅଧିକାର ଦେବାକୁ ପ୍ରସ୍ତୁତ ନୁହେଁ । ଏହାର ପ୍ରତିବଦଳରେ ସେମାନେ ସହରକୁ, ଆମ ସମୁଦାୟକୁ କିଛି ବି ଦେଇନାହାନ୍ତି । ମନ୍ଫାଲକୋନ୍ରୁ ବାହାରେ ଯେକୌଣସି ସ୍ଥାନରେ ସେମାନେ କ୍ରିକେଟ୍ ଖେଳିପାରିବେ ।’