କଟକ,୧୦/୧୧: ବାଲି ବୋଝେଇ ହାଇୱା, ଟ୍ରକ୍, ଟ୍ରାକ୍ଟର ଯାତାୟାତ ସମୟରେ ଯେତିକି ଧୂଳି ଉଡି ବାୟୁମଣ୍ଡଳକୁ ଯାଉଛି ତାହା କେହି କଳନା କରୁନାହାନ୍ତି । ଗାଡି ଚାଲିଯିବା ପରେ ଗାଡି ପଛପଟ ଧୂଆଁମୟ ହୋଇଯାଉଛି । କାରଣ ରାସ୍ତାରେ ପଡିଥିବା ଧୂଳି ଉଡି ସିଧାସଳଖ ବାୟୁମଣ୍ଡଳରେ ମିଶୁଛି । ଦୈନିକ କଟକ ସହରରେ ୮ରୁ ୧୦ଲକ୍ଷ ଗାଡି ଚଳାଚଳ କରୁଛି । ସଙ୍କୁଚିତ ସହରରେ ଲୋକ ସଂଖ୍ୟା, ଗାଡି ସଂଖ୍ୟା ସେଥିରେ ପୁଣି ଯାବତୀୟ ଉନ୍ନୟନ (ନିର୍ମାଣ) କାମ ଚାଲିଥିବାରୁ କଟକର ବାୟୁମଣ୍ଡଳ ଏବେ ଚିନ୍ତାର କାରଣ ପାଲଟିଛି ।
ମାପଦଣ୍ଡ ମୁତାବକ, ପ୍ରତି ଘନମିଟର ବାୟୁରେ ୦ ରୁ ୫୦ ମାଇକ୍ରୋଗ୍ରାମ୍ ଭିତରେ ଧୂଳିକଣା ଥିବା ସହରକୁ ଭଲ (ଗୁଡ୍) ତାଲିକାରେ ନିଆଯାଉଥିବା ବେଳେ ୫୧ରୁ ୧୦୦ ଭିତରେ ରହୁଥିବା ସହରକୁ ସନ୍ତୋଷଜନକ, ୧୦୧ରୁ ୨୦୦ ଭିତରେ ମଧ୍ୟମ(ମଡରେଟ୍), ୨୦୧ରୁ ୩୦୦ ଭିତରେ ଖରାପ ଓ ୪୦୦ ପାର୍ କରିଥିବା ସହରକୁ ଅତିଶୟ ଖରାପ ସହର ଭାବେ ନିଆଯାଉଛି । କଟକ ବାୟୁମଣ୍ଡଳରେ ପିଏମ୍-୧୦ (୧୦ ମାଇକ୍ରୋମିଟର କିମ୍ବା ତାଠାରୁ କମ୍ ଆକାର)ର ଧୂଳିକଣା ଅଧିକ ରହୁଥିବା ପ୍ରଦୂଷଣ ବିଭାଗ ପକ୍ଷରୁ କୁହାଯାଇଛି । ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ପରିସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ପ୍ରଦୂଷଣ ବିଭାଗର କେନ୍ଦ୍ରୀୟ ପରୀକ୍ଷାଗାର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଏପରିକି ଗତ ମେ’ ମାସରେ କେନ୍ଦ୍ରୀୟ ପରୀକ୍ଷାଗାର ପକ୍ଷରୁ ଏ ନେଇ କଟକ ଜିଲ୍ଲାପାଳଙ୍କୁ ଏକ ଚିଠି କରାଯାଇଥିଲା । ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ମାତ୍ର ଏହାପରେ ମଧ୍ୟ କୌଣସି ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଆଗକୁ ସଙ୍ଗିନ ସ୍ଥିତିକୁ ସାମ୍ନା କରିବାକୁ ପଡିବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । ଆଗକୁ ଦୀପାବଳି ସହିତ ବାଲିଯାତ୍ରା ଥିବାରୁ ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି ସେମାନେ ଆକଳନ କରିଛନ୍ତି ।
ଇତିମଧ୍ୟରେ ସାଟେଲାଇଟ୍ ଜରିଆରେ ସଂଗ୍ରହ କରାଯାଇଥିବା ଚିତ୍ର ଓ ତଥ୍ୟ ମୁତାବକ, ସହରର ବାଦାମବାଡି, ବାରବାଟୀ ଷ୍ଟାଡିୟମ ଓ ସତୀଚୌରା ଭଳି ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ଏହାକୁ ହଟ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି । ଆଞ୍ଚଳିକ ପରିବେଶ କାର୍ଯ୍ୟାଳୟ ଦେଇଥିବା ତଥ୍ୟ ମୁତାବକ, ପ୍ରତି ଘନମିଟର ବାୟୁରେ ୧୦୦ ମାଇକ୍ରୋଗ୍ରାମ୍ ଭିତରେ ଧୂଳିକଣା ରହିବା କଥା । ୧୦୦ ମାଇକ୍ରୋଗ୍ରାମ୍ ଉପରେ ଧୂଳିକଣା ରହୁଥିବା ସହରଗୁଡିକୁ ‘ନନ୍ ଆଟେନ୍ମେଣ୍ଟ୍’ ସହର ଭାବେ ପରିଗଣିତ କରାଯାଉଛି । ସମଗ୍ର ଦେଶରେ ୧୪୨ଟି ସହର ଏହି ତାଲିକା ଭିତରେ ଆସୁଥିବା ବେଳେ ଓଡ଼ିଶାର କଟକକୁ ମିଶାଇ ୭ଟି ସହର ଏହି ତାଲିକାରେ ସ୍ଥାନ ପାଇଛି ।
୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱଚ୍ଛ ବାୟୁ (ନାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ) ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ୨୦୨୪ ସୁଦ୍ଧା ଦେଶର ସମସ୍ତ ସହରର ବାୟୁମଣ୍ଡଳ ଯେପରି ସ୍ୱଚ୍ଛ ରହେ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ଏଥିପାଇଁ ଆବଶ୍ୟକ ସମସ୍ତ ବୈଷୟିକ ଓ ଆର୍ଥିକ ସହାୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି କ୍ରମରେ କଟକର ଆକାଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ମଧ୍ୟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇ ୧୬ କୋଟି ପାଖାପାଖି ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର ବର୍ତ୍ତମାନ ସ୍ଥିତିରେ କଟକ ସହରରେ ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟର ବାୟୁରେ ୧୦୦ରୁ ୧୨୫ ମାଇକ୍ରୋଗ୍ରାମ୍ ରହୁଛି । ତେଣୁ ୨୦୨୪ ସୁଦ୍ଧା ଯେଉଁ ଟାର୍ଗେଟ୍ ନିଆଯାଇଥିଲା ତାହା ପୂରଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହେବା ପରେ ଏବେ ଟାର୍ଗେଟ ଅବଧିକୁ ୨୦୨୬କୁ ବୃଦ୍ଧି କରାଯାଇଛି । ଇତିମଧ୍ୟରେ ୧୬ କୋଟି ପରେ ପୁଣି ୫ କୋଟି ଟଙ୍କା କଟକ ପାଇଁ ଆସିଥିବା ଜଣାପଡିଛି ।
ମିଳିଥିବା ତଥ୍ୟ ମୁତାବକ, ୨୦୨୦ରେ କୋଭିଡ୍ ପ୍ରଭାବରେ ବାୟୁ ପ୍ରଦୂଷଣ ମାତ୍ରା ଯଥେଷ୍ଟ ହ୍ରାସ ପାଇଥିଲା । ଗାଡି ମୋଟର ଚଳାଚଳ ବ୍ୟାପକ ହ୍ରାସ ପାଇବା ଦ୍ୱାରା ଏଭଳି ପରିବର୍ତ୍ତନ ଘଟିଥିଲା । ୨୦୨୦ରେ ସହରର ବାୟୁମଣ୍ଡଳରେ ପ୍ରତି ଘନମିଟର ବାୟୁରେ ଧୂଳିକଣା ପରିମାଣ ୮୬ ମାଇକ୍ରୋଗ୍ରାମ୍ ରହିଥିବା ବେଳେ ୨୦୨୧ରେ ୯୦ ଓ ୨୦୨୨ରେ ପୁନର୍ବାର ଏହା ୧୦୧ ଅତିକ୍ରମ କରିଥିଲା । ଏହାର କାରଣ ସମ୍ପର୍କରେ ମତ ଦେଇ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ କହନ୍ତି, କଟକ ସହରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଏହାର ପ୍ରମୁଖ କାରଣ । ପ୍ରଦୂଷଣ ବିଭାଗର ଅନ୍ୟ ଜଣେ ଅଧିକାରୀ କହନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖି ଭବିଷ୍ୟତର ମୁକାବିଲା ପାଇଁ ପେଟ୍ରୋଲ ଏବଂ ଡିଜେଲ୍ ଦ୍ୱାରା ପରିଚାଳିତ ଗାଡିକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଯିବ । ସେହି ସ୍ଥାନରେ ସିଏନ୍ଜିରେ କିପରି ଅଧିକରୁ ଅଧିକ ଗାଡି ଚାଲିପାରିବ ସେଥିପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ଅଧିକରୁ ଅଧିକ ସିଏନ୍ଜି ଫିଲିଂ ଷ୍ଟେସନ୍ ଖୋଲାଯିବ । ବିଶେଷକରି ଅଟୋ ରିକ୍ସା ଏବଂ ଟ୍ୟାକ୍ସିଗୁଡିକ ଏହି ସିଏନ୍ଜିରେ ଚାଲିବା ପାଇଁ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଦୀର୍ଘକାଳୀନ ସୂତ୍ରରେ ପ୍ରତ୍ୟେକ ଗାଡି କିପରି ଇଲେକ୍ଟ୍ରିକ୍ରେ ଚାଲିପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହେବ । ୨୦୨୫ ସୁଦ୍ଧା ସହରରେ ଯେପରି ୨୫ପ୍ରତିଶତ ଗାଡି ଇଲେକ୍ଟ୍ରିକ୍ ଦ୍ୱାରା ଚାଲେ ସେଥିପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି । ଇଲେକ୍ଟ୍ରିକ୍ ଦ୍ୱାରା ଯେଉଁମାନେ ଗାଡି ଚଲାଇବେ ସେମାନଙ୍କୁ ଟିକସ ରିହାତି, ରେଜିଷ୍ଟ୍ରେସନ୍ରେ ରିହାତି, ରାସ୍ତା ଟିକସ୍ରେ ରିହାତି ଆଦି ସୁବିଧା ଯୋଗାଇ ଦିଆଯିବ ।
ବାୟୁ ପ୍ରଦୂଷଣର ଆଉ ଏକ ବଡ କାରଣ ହେଉଛି ଡିଜେଲ୍ ଜେନେରେଟର । ଇଲେକ୍ଟ୍ରିକ୍ ରହୁନଥିବାରୁ ଅନେକ ସମୟରେ ବଡ ବଡ ଅନୁଷ୍ଠାନରେ ଏହି ଜେନେରେଟର ବ୍ୟବହାର ହେଉଛି । ତେଣୁ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ କୁହାଯାଇଛି । ଏଥିସହ ହୋଟେଲ୍, ବଡବଡ ଅନୁଷ୍ଠାନଗୁଡିକ ସମ୍ପୂର୍ଣ୍ଣ ସୌରଚାଳିତ ହେବାକୁ କୁହାଯାଇଛି । ସେମାନଙ୍କ ଅନୁଷ୍ଠାନରୁ ଯେଉଁ କଠିନ ବର୍ଜ୍ୟବସ୍ତୁ ବାହାରୁଛି ଏହାକୁ ସେମାନେ ନିଜ ସ୍ତରରେ ପରିଚାଳନା କରିବାକୁ କୁହାଯାଇଛି । ଏପରିକି କୃଷି କ୍ଷେତରୁ ବାହାରୁଥିବା ବର୍ଜ୍ୟକୁ ମନଇଚ୍ଛା ଆଉ କେହି ପୋଡିପାରିବେ ନାହିଁ ବୋଲି କଡା କଟକଣା ଲାଗୁ କରିବାକୁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।