ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏବେ ଦୁଃଖରେ 'ଆନନ୍ଦ ଭବନ': ପରିଚାଳନା ପାଇଁ ଅର୍ଥର ଅଭାବ, ପେପର୍‌, ଫିନାଇଲ୍‌ ପାଇଁ ବି ମିଳୁନି ଟଙ୍କା

କଟକ,୧୦/୦୯: ବିଜୁ ବାବୁଙ୍କ ଜନ୍ମ ଏବଂ କର୍ମସ୍ଥଳୀ, ସ୍ୱାଧୀନତା ସଂଗ୍ରାମ ସମୟର ଅନେକ ଘଟଣାର ସାକ୍ଷୀ, ଐତିହାସିକ ସ୍ମାରକୀ ବହନ କରୁଥିବା କଟକ ତୁଳସୀପୁରସ୍ଥିତ ‘ଆନନ୍ଦ ଭବନ’ ଏବେ ଦୁଃଖରେ । ମନେହେଉଛି, ସଂଗ୍ରହାଳୟ ମୁହଁରୁ ହସ ଲିଭିଗଲାଣି । ଏହାର ପରିଚାଳନା ପାଇଁ ଅର୍ଥର ଅଭାବ ପଡ଼ୁଛି । ଫିନାଇଲ୍‌, ପେପର୍‌ କିଣିବାକୁ ଠିକ୍‌ ସମୟରେ ଟଙ୍କା ମିଳୁନାହିଁ । ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟ ଏହାର ପରିଚାଳନା ଦାୟିତ୍ୱରେ ଥିଲେ ହେଁ ଠିକ୍‌ ସମୟରେ ଟଙ୍କା ଆସୁନଥିବାରୁ ଏହାର ପରିଚାଳନାରେ ବ୍ୟାପକ ବିଭ୍ରାଟ ଦେଖାଦେଇଛି । ଟଙ୍କା ଦିଆନଯିବାରୁ ନିକଟରେ ପ୍ରାୟ ୬ ମାସ ଧରି ଆନନ୍ଦ ଭବନକୁ ଆସୁଥିବା ଖବରକାଗଜ ବନ୍ଦ ହୋଇଯାଇଥିଲା । ଭବନ ସାମ୍ନାରେ ଥିବା ବଗିଚା ପରିଚାଳନା ପାଇଁ ବି ଅର୍ଥ ମିଳୁନାହିଁ । ଏସବୁ ଅବ୍ୟବସ୍ଥା ଭିତରେ ଏବେ ଗୁମୁରି ଗୁମୁରି କାନ୍ଦୁଛି ଆନନ୍ଦ ଭବନ। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପରିବାର ପକ୍ଷରୁ ଆନନ୍ଦ ଭବନକୁ ୨୦୧୫ ଜାନୁଆରୀରେ କଟକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ କଟକ ଜିଲ୍ଲା ପ୍ରଶାସନ ନାଁରେ ସିନା ଆନନ୍ଦ ଭବନ ରହିଲା, କିନ୍ତୁ ପରିଚାଳନା ଭାର ରାଜ୍ୟ ସଂଗ୍ରହାଳୟକୁ ଦିଆଗଲା । ବ୍ୟବସ୍ଥା ରଖାଗଲା ଯେ ଆନନ୍ଦ ଭବନର ସଫେଇଠାରୁ ଆରମ୍ଭ କରି ବଗିଚା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ରାଜ୍ୟ ସଂଗ୍ରହାଳୟ ଖର୍ଚ୍ଚ ତୁଲାଇବ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଏହାର ଦାୟିତ୍ୱରେ ରହିବେ, କିନ୍ତୁ ତାଙ୍କର ଟଙ୍କାଟିଏ ଖର୍ଚ୍ଚ କରିବାର କୌଣସି ଅଧିକାର ରହିବ ନାହିଁ । ଆନନ୍ଦ ଭବନ ଉପର କୋଠାରେ ଏକ ପାଠାଗାର ସହ ଇ-ପାଠାଗାର ଖୋଲାଗଲା ଯେଉଁଠି ପ୍ରତ୍ୟେହ ୨୦ରୁ ୩୦ ପିଲା ପଢ଼ିବାକୁ ଆସୁଛନ୍ତି । କିନ୍ତୁ ରାଜ୍ୟ ସଂଗ୍ରହାଳୟ କେବଳ ଏଠାରେ ନିଯୁକ୍ତି ପାଇଥିବା କିଛି କର୍ମଚାରୀଙ୍କୁ ଦରମା ଦେଇ ନିଜ କର୍ତ୍ତବ୍ୟ ସାରି ଦେଉଛି । ପାଠାଗାରକୁ ଆସୁଥିବା ଖବରକାଗଜ ପାଇଁ ପ୍ରାୟ ୬ ମାସ ଟଙ୍କାଟିଏ ଦିଆଗଲା ନାହିଁ । ଫଳରେ ଖବରକାଗଜ ବନ୍ଦ ହୋଇଯାଇଥିଲା । ଏବେ ଦୁଇ ମାସ ତଳେ ବକେୟା ଅର୍ଥ ଦିଆଯିବା ପରେ ପୁଣି ଆନନ୍ଦ ଭବନକୁ ଖବରକାଗଜ ଆସୁଛି ।

କେବଳ ଏତିକିରେ ଆନନ୍ଦ ଭବନର ସମସ୍ୟା ସରିନି । ଫିନାଇଲ୍‌ କିଣିବା ପାଇଁ ମଧ୍ୟ ଟଙ୍କାଟିଏ ଆସୁନାହିଁ । ବାରମ୍ବାର କହିବା ପରେ ମଧ୍ୟ ସମୁଦ୍ରକୁ ଶଙ୍ଖେ ଭଳି ଅନୁଦାନ ଆସୁଛି । ଅର୍ଥ ଅଭାବରୁ ଆନନ୍ଦ ଭବନ ସାମ୍ନାରେ ଥିବା ବଗିଚାର ମଧ୍ୟ ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରୁନାହିଁ । ଭବନର ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଠିକ୍‌ ସମୟରେ ଦିଆଯାଉ ନାହିଁ । ଫଳରେ ସେସୁ କାର୍ଯ୍ୟାଳୟରୁ ଅନେକ ବାର ଲାଇନ୍‌ କାଟି ଦିଆଯିବା ପାଇଁ ନୋଟିସ୍‌ ଦିଆଗଲାଣି । ଏହା ଭିତରେ ଲାଗିଥିବା କମ୍ପ୍ୟୁଟର, ବିଦ୍ୟୁତ୍‌ ଉପକରଣର ମରାମତି ପାଇଁ ମଧ୍ୟ ଟଙ୍କାଟିଏ ଦିଆଯାଉ ନାହିଁ । ଜିଲ୍ଲା ସଂସ୍କୃତି ବିଭାଗ ଅନେକ ସମୟରେ ଏହି ମରାମତି କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରୁଛି । ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭବନର ପରିଚାଳନା ଭାର ରାଜ୍ୟ ସଂଗ୍ରହାଳୟ ହାତରେ । କିନ୍ତୁ କଟକ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ ଏହାର ଦାୟିତ୍ୱରେ ନାମକୁ ମାତ୍ର ରହିଛନ୍ତି । କୌଣସି ଆର୍ଥିକ କ୍ଷମତା ଜିଲ୍ଲା ପ୍ରଶାସନକୁ ଦିଆଯାଇ ନାହିଁ । ଆନନ୍ଦ ଭବନର ପରିଚାଳନା ପାଇଁ ଯାହା ବି ଖର୍ଚ୍ଚ ହେବ ସେସବୁ ରାଜ୍ୟ ସଂଗ୍ରହାଳୟ କରିବା କଥା । କିନ୍ତୁ ଠିକ୍‌ ସମୟରେ ଏବଂ ଆବଶ୍ୟକ ଅର୍ଥ ପ୍ରଦାନ କରୁନଥିବାରୁ ପରିଚାଳନା ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହେବାକୁ ବସିଛି । 

ଆନନ୍ଦ ଭବନରେ ୧୬ରୁ ୧୭ ଜଣ କର୍ମଚାରୀ ନିଯୁକ୍ତ ହୋଇ ଦରମା ନେଇଥାନ୍ତି । କିନ୍ତୁ ପ୍ରକୃତରେ ମାତ୍ର ୧୨ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଆନନ୍ଦ ଭବନରେ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ହୋଇଥାଏ । ଯଦି ଜିଲ୍ଲାପାଳଙ୍କଠାରୁ ସେହି ଅର୍ଥ ଅନୁମୋଦନ କରାଯାଉ ନଥାନ୍ତା ତାହେଲେ ଆନନ୍ଦ ଭବନର ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ନ୍ତା । ତେଣୁ ଆନନ୍ଦ ଭବନର ସଂପୂର୍ଣ୍ଣ ପରିଚାଳନା ଭାର ଜିଲ୍ଲା ପ୍ରଶାସନ ହାତକୁ ଦିଆଯିବା ଉଚିତ ହେବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.