ନୂଆଦିଲ୍ଲୀ,୧୦/୦୮: ଆଉ କିଛି ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିିତ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟପ୍ରାଚ୍ୟରେ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଏହି ସମୟରେ, ଟେକ୍ ଜିଆଣ୍ଟ ମାଇକ୍ରୋସଫ୍ଟଶୁକ୍ରବାର ଦିନ ଚେତାବନୀ ଦେଇଛି ଯେ ଆଗାମୀ ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଇରାନ ନିଜର ଅନଲାଇନ୍ କାର୍ଯ୍ୟକଳାପକୁ ଜୋରଦାର କରୁଛି। ଏହି ବିଷୟରେ ମାଇକ୍ରୋସଫ୍ଟ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ଆମେରିକାର ରାଜନୈତିକ ଅଭିଯାନରେ ସାଇବର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଉଛି।
ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଇରାନ ଏକ ମିଥ୍ୟା ଖବର ସାଇଟ ତିଆରି କରୁଛି ଏବଂ ଭୋଟରଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ଆମେରିକୀୟ କାର୍ଯ୍ୟକର୍ତ୍ତା ପ୍ରବର୍ତ୍ତାଉଛି। ଶୁକ୍ରବାର ପ୍ରକାଶିତ ରିପୋର୍ଟରେ ଅନେକ ଉଦାହରଣ ମଧ୍ୟ ଦିଆଯାଇଛି। କହିରଖୁଛୁ ଯେ, ଆଇଆରଜିସି ସହିତ ଜଡିତ ଇରାନ ଗୋଷ୍ଠୀ ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି। ଜୁନ୍ ମାସରେ, ଆମେରିକାର ରାଷ୍ଟ୍ରପତି ଅଭିଯାନର ଜଣେ ଉଚ୍ଚ ପଦାଧିକାରୀଙ୍କ ଉପରେ ଫିସିଂ ଆକ୍ରମଣ କରାଯାଇଥିଲା। ସାଇବର ଆକ୍ରମଣକାରୀମାନେ ତାଙ୍କ ପରିଚୟ ଲୁଚାଇବା ପାଇଁ ପୂର୍ବତନ ପରାମର୍ଶଦାତାଙ୍କ ହ୍ୟାକ୍ ହୋଇଥିବା ଇମେଲ୍ ଆକାଉଣ୍ଟ ବ୍ୟବହାର କରିଥିଲେ। ତେବେ କେଉଁ ଅଭିଯାନକୁ ସେହି ସମୟରେ ଟାର୍ଗେଟ କରାଯାଇଥିଲା ତାହା ମାଇକ୍ରୋସଫ୍ଟ କହି ନାହିଁ।
ଆମେରିକାରେ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ବୃଦ୍ଧି ପାଇବାରେ ଲାଗିଛି ବିବାଦ। କେବଳ ଇରାନ ନୁହେଁ, ଋଷ ଏବଂ ଚୀନ୍ ମଧ୍ୟ ଆମେରିକାର ଗଭୀର ରାଜନୈତିକ ହେରଫେରର ଲାଭ ଉଠାଉଛନ୍ତି। ଅନ୍ୟପକ୍ଷରେ, ବିଶ୍ବ ସ୍ତରରେ ଚାଲିଥିବା ଦୁଇଟି ପ୍ରମୁଖ ଯୁଦ୍ଧ ଆମେରିକାର ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିପାରେ। ଯେଉଁଥିରେ ଇରାନ ସର୍ବାଧିକ ପ୍ରଭାବ ପକାଇବାକୁ ଦାବି କରିଛି।