ନୂଆଦିଲ୍ଲୀ, ୩୦/୦୯: ସାଇବର ଠକେଇର ଶିକାର ହେଲେ ବିଶିଷ୍ଟ ଶିଳ୍ପପତି ପାଉଲ ଓସୱାଲ। ତାଙ୍କଠାରୁ ୭ କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଜାବ ପୋଲିସ ତଦନ୍ତ କରି ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ତେବେ ଏହି ଘଟଣାକୁ ନେଇ ଲୁଧିଆନା ପୋଲିସ କମିଶନର କୁଳଦୀପ ସିଂହ ଚହଲ କହିଛନ୍ତି , ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗର ମୋଟ ୯ ଜଣ ସଦସ୍ୟ ଥିଲେ। ଏମାନେ ଆସାମ ଏବଂ ପଶ୍ଚିମବଙ୍ଗରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ଅନଲାଇନରେ ଲୁଟ୍ କରୁଥିଲେ।
ତେବେ ଗ୍ୟାଙ୍ଗର ଦୁଇ ଜଣ ଗିରଫ ହୋଇ ଥିବାବେଳେ ଅନ୍ୟ ୭ ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଏମାନେ ଶିଳ୍ପପତି ଓସୱାଲଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୭ କୋଟି ଟଙ୍କା ଲୁଟ୍ କରିଥିବା ଲୁଧିଆନା ପୁଲିସ କମିଶନର କୁଳଦୀପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତମାନେ ଶିଳ୍ପପତି ଓସୱାଲଙ୍କୁ ସିବିଆଇର ପରିଚୟ ଦେଇ ନକଲି ଗିରଫ ପରୱାନା ଦେଖାଇଥିଲେ। ସେମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରିବେ ବୋଲି ଧମକ ଦେଇଥିଲେ। ଏନେଇ ଓସଓ୍ବାଲ ସାଇବର ଥାନାରେ ଅଭିଯୋଗ କରିବା ପରେ ପଞ୍ଜାବ ପୋଲିସ ୪୮ ଘଣ୍ଟା ମଧ୍ୟରେ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି ପୋଲିସ । ପ୍ରକାଶ ଥାଉକି, ଦିନକୁ ଦିନ ସାଇବର ଅପରାଧ ବଢିଚାଲଥିବା ବେଳେ ଗତ ସପ୍ତାହେ ମଧ୍ୟରେ ରାଜ୍ୟର ଏହା ଦ୍ବିତୀୟ ଘଟଣା। ଏହାପୂର୍ବରୁ ଜଣେ ଶିଳ୍ପପତିଙ୍କ ଠାରୁ କୋଟିଏ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।